କେଜରିୱାଲ, ସିସୋଦିଆ ଓ ଯୋଗେନ୍ଦ୍ରଙ୍କ ବିରୋଧରେ ଗିରଫ ପରୱାନା

ନୂଆଦିଲ୍ଲୀ : ଦେଶରେ ସାଧାରଣ ନିର୍ବାଚନ ଚାଲିଥିବାବେଳେ ଆମ୍ ଆଦମୀ ପାର୍ଟି (ଆପ୍‌)କୁ ବଡ ଧରଣର ଝଟକା ଲାଗିଛି। ମଙ୍ଗଳବାର ଦିଲ୍ଲୀର ଅତିରିକ୍ତ ମୁଖ୍ୟ ଦୌରାଜଜ କୋର୍ଟ ଆପ୍ ଆବାହକ ଅରବିନ୍ଦ କେଜରିୱାଲ, ଦଳର ବରିଷ୍ଠ ନେତା ମନୀଷ ସିସୋଦିଆ ଓ ସ୍ବରାଜ ଅଭିଯାନର ପ୍ରତିଷ୍ଠାତା ଯୋଗେନ୍ଦ୍ର ଯାଦବଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ଏକ ମାନହାନି ମାମଲାକୁ ଅଦାଲତ ଏହି ତିନି ନେତାଙ୍କୁ ହାଜର ଲାଗି ନୋଟିସ ଜାରି କରିଥିଲେ। ତେବେ ଅଦାଲତଙ୍କ ନୋଟିସକୁ ଉପେକ୍ଷା ପୂର୍ବକ ଏମାନେ ବ୍ୟକ୍ତିଗତ କିମ୍ବା ସେମାନଙ୍କ ପକ୍ଷରୁ କେହି ହାଜର ହୋଇ ନ ଥିବାରୁ ଏହି ଗିରଫ ପରୱାନା ଜାରି କରାଯାଇଛି। ୨୦୧୩ରେ ଆପ୍‌ର ଟିକଟ ଆଶାୟୀ ତଥା ଓକିଲ ସୁରେନ୍ଦ୍ର କୁମାର ଶର୍ମା ଏହି ତିନି ନେତାଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଥିଲେ। ଶର୍ମା ଅଭିଯୋଗ କରିଛନ୍ତି ଯେ ୨୦୧୩ରେ ଆପ୍‌ର କିଛି ସ୍ବେଚ୍ଛାସେବୀ ତାଙ୍କୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢିବା ଲାଗି ନିବେଦନ କରିଥିଲେ। ସ୍ବେଚ୍ଛାସେବୀମାନେ କହିଥିଲେ ଯେ କେଜରିୱାଲ ତାଙ୍କୁ ଆପ୍ ଟିକଟ ଦେବାକୁ ଆଗ୍ରହୀ। ଏହା ପରେ ମନୀଷ ସିସୋଦିଆ ଓ ଯୋଗେନ୍ଦ୍ର ଯାଦବ ତାଙ୍କୁ ଦଳୀୟ ଟିକଟ ଦିଆଯିବା ନେଇ କହିଥିଲେ। ଫଳରେ ଶର୍ମା ବିଧାନସଭା ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ତାଙ୍କୁ ଆପ୍ ଟିକଟରୁ ବଞ୍ଚିତ କରାଯାଇଥିଲା। ଅଭିଯୋଗକାରୀ ଶର୍ମା ଦାବି କରିଛନ୍ତି ଯେ ୨୦୧୩ ଅକ୍ଟୋବର ୧୪ରେ ପ୍ରମୁଖ ଖବରକାଗଜରେ ଖବର ପ୍ରକାଶ ପାଇଥିଲା ଯେଉଁଥିରେ ଅଭିଯୁକ୍ତମାନେ ତାଙ୍କ ବିରୋଧରେ ଆପମାନଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏହା ସମାଜରେ ଓ ଓକିଲ ସଂଘରେ ତାଙ୍କର ସମ୍ମାନ ହାନି କରିଥିଲା। ମାମଲା ଆଧାରରେ ଅଦାଲତ ଅଭିଯୁକ୍ତଙ୍କୁ ହାଜର ନିମନ୍ତେ ନୋଟିସ ଜାରି କରିଥିଲେ। ପୂର୍ବରୁ ଅଭିଯୁକ୍ତଙ୍କୁ ଜାମିନ ମିଳିଛି।

Comments are closed.