କର୍ତ୍ତବ୍ୟନିଷ୍ଠ ମହିଳା ପୁଲିସ ଅଫିସର ଅର୍ଚ୍ଚନା ଝା

0

ରାୟପୁର : ସୀମାରେ ଦେଶର ସୁରକ୍ଷା ଠାରୁ ନେଇକରି ଫାଇଟର ପ୍ଲେନ ଉଡ଼େଇ ଝିଅମାନେ ପ୍ରମାଣ କରିଦେଇଛନ୍ତି କି ସେମାନେ କୌଣସି ବି କାମରେ ପୁଅମାନଙ୍କ ଠାରୁ କମ୍ ନୁହଁନ୍ତି। ସେ ରାଜନୀତିରେ ହେଉ କି ରଣଭୂମିରେ, ସର୍ବଦା ପରାକାଷ୍ଠା ଦେଖାଇ ଆସିଛନ୍ତି ନାରୀ। ଇଏ ମଧ୍ୟ ଏପରି ଜଣେ ନାରୀ, ଯିଏ କି ନିଜ ଛୋଟ ଝିଅକୁ ଅଣ୍ଟାରେ ବାନ୍ଧି କର୍ତ୍ତବ୍ୟ ପାଳନ କରିଛନ୍ତି। ଛତିଶଗଡ଼ର ରାୟପୁର ଡିଏସ୍‌ପି ଅର୍ଚ୍ଚନା ଝାଙ୍କ କାର୍ଯ୍ୟଶୈଳୀ ଆଜି ଅନ୍ୟମାନଙ୍କ ପାଇଁ ଉଦାହାରଣ ପାଲଟି ଯାଇଛି। ଝାନ୍‌ସୀରରାଣୀ ଲକ୍ଷ୍ମୀ ବାଈ କାନ୍ଧରେ ନିଜ ପୁଅକୁ ଝୁଲାଇ ଯୁଦ୍ଧଭୂମିକୁ ଓହ୍ଲାଇଥିଲେ। ଲକ୍ଷ୍ମୀ ବାଈଙ୍କର ଏପରି ରଣକୌଶଳ ଦେଖି ଇଂରେଜମାନେ ଝାନ୍‌ସୀ ଛାଡ଼ି ପଳାଇଥିଲେ। ତେବେ ଅର୍ଚ୍ଚନାଙ୍କର କାହାଣୀକୁ ଦେଖିଲେ ତାଙ୍କୁ ମଧ୍ୟ ଆଜିର ଲକ୍ଷ୍ମୀ ବାଈ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।
ଡିଏସପି ଅର୍ଚ୍ଚନା ଗର୍ଭାବସ୍ଥାରେ ଛତିଶଗଡ଼ର ରାସ୍ତାରେ ଲଗାତାର ସାତ ଦିନ ଧରି ପାଟ୍ରୋଲିଂ କରିଥିଲେ। ଖାଲି ଏତିକି ନୁହେଁ; ଝିଅ ଜନ୍ମ ହେବା ପରେ ମଧ୍ୟ ତାକୁ ସାଙ୍ଗରେ ଧରି ନିଜ ଡ୍ୟୁଟି କରୁଥିଲେ। ଅର୍ଚ୍ଚନା ଚାହିଁଥିଲେ ଛୁଟି ନେଇପାରିଥାନ୍ତେ; ହେଲେ ସେ ନିଜ କର୍ତ୍ତବ୍ୟ ପାଳନ କରିବାକୁ ପସନ୍ଦ କରିଥିଲେ। ଏମିତିକି ଥରେ ଛତିଶଗଡ଼ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଥିବା ବେଳେ ଗର୍ଭାବସ୍ଥାକୁ ଖାତିର ନ କରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ରାତିରେ ପାଟ୍ରୋଲିଂ କରିଥିଲେ ଅର୍ଚ୍ଚନା।
ସେ ପାଟ୍ରୋଲିଂ ହେଉ କି ଅପରାଧୀଙ୍କୁ ସାବାଡ଼ କରିବା ହେଉ, ଅବା ନିର୍ବାଚନ କି ଆଇପିଏଲ ମ୍ୟାଚ୍‌ରେ କଡ଼ା ସୁରକ୍ଷା କଥା- ସବୁ କ୍ଷେତ୍ରରେ ଭଲ କାମ କରି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ଅର୍ଚ୍ଚନା। ସେଥିପାଇଁ ସେ ଆଜି ପୁରା ପୁଲିସ୍ ବିଭାଗ ପାଇଁ ଆଦର୍ଶ ଓ ପ୍ରେରଣା ପାଲଟି ଯାଇଛନ୍ତି। କଠୋର ପରିଶ୍ରମ, କର୍ତ୍ତବ୍ୟ ପ୍ରତି ନିଷ୍ଠାପରାୟଣତା ଏବଂ ସଚ୍ଚୋଟପଣିଆ ପାଇଁ ଅର୍ଚ୍ଚନା କ୍ରାଇମ୍‌ବ୍ରାଞ୍ଚର ମୁଖ୍ୟ ଅଫିସର ହୋଇପାରିଛନ୍ତି।

Leave A Reply