ଦିଲ୍ଲୀରୁ ଓଡ଼ିଶା ଫେରିବ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର!

0

ଭୁବନେଶ୍ୱର : ଦିଲ୍ଲୀ ଅଭିଲେଖାଗାରରେ ଥିବା ଓଡ଼ିଶା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ନଥିପତ୍ରକୁ ଓଡ଼ିଶା ଅଭିଲେଖାଗାରକୁ ସ୍ଥାନାନ୍ତର କରିବାକୁ ଭାରତୀୟ ଜାତୀୟ କଳା ଏବଂ ସଂସ୍କୃତି ଐତିହ ଟ୍ରଷ୍ଟ (ଇନଟାକ) ପକ୍ଷରୁ ଦାବି କରାଯାଇଛି। ଏନେଇ ଇନଟାକର ଏକ ପ୍ରତିନିଧି ଦଳ ଭୁବନେଶ୍ୱସ୍ଥିତ ଭାରତୀୟ ଜାତୀୟ ଅଭିଲେଖାଗାର ମହାନିର୍ଦେଶକ ପ୍ରିତମ ସିଂହଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଓଡ଼ିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଦିଲ୍ଲୀର ଜାତୀୟ ଅଭିଲେଖାଗାରରେ ରହିଛି। ଗବେଷକଙ୍କ ପାଇଁ ଦିଲ୍ଲୀ ଯାଇ ନଥିପତ୍ର ହାସଲ କରିବା କଷ୍ଟକର ଏବଂ ବ୍ୟୟସାପେକ୍ଷ ହେଉଛି। ଭାରତୀୟ ଜାତୀୟ ଅଭିଲେଖାଗାର ପ୍ରତିଷ୍ଠାର ୧୨୫ ବର୍ଷ ପୂରଣ କରିଛି। ଏହା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ରହିଛି। ଏହାର ଏକ ଆଞ୍ଚଳିକ କାର୍ଯ୍ୟାଳୟ ଭୋପାଳରେ ଥିବାବେଳେ ତିନିଟି ଅଭିଲେଖାଗାର ଜୟପୁର, ପୁଡୁଚେରୀ ଏବଂ ଭୁବନେଶ୍ୱରରେ ରହିଛି। ଇନାଟକର ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ, ଭୁବନେଶ୍ୱର ଆବାହକ ବୈକୁଣ୍ଠନାଥ ପାଣିଗ୍ରାହୀ ଏବଂ ପ୍ରୋଜେକ୍ଟ ସଂଯୋଜକ ଅନିଲ ଧିର ଭୁବନେଶ୍ୱର ଜାତୀୟ ଅଭିଲେଖାଗାର ମହାନିର୍ଦେଶକଙ୍କୁ ଭେଟି ଗବେଷକମାନେ ଭୋଗୁଥିବା ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଓରିସା ଷ୍ଟେଟ୍‍ ଏଜେନ୍ସିର ୧୯୧୭ରୁ ୧୯୪୭ ପର୍ଯ୍ୟନ୍ତ ୧୮ ଖଣ୍ଡ ନଥିପତ୍ର, ବାଲେଶ୍ୱର କାରଖାନା ନଥିପତ୍ର, ବେଙ୍ଗଲ ପବ୍ଲିକ୍‍ କନସୋଲଟିସନର ୨୨ ଖଣ୍ଡ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର କେବଳ ଦିଲ୍ଲୀରେ ରହିଛି। ଗବେଷକ ଏବଂ ଐତିହାସିକମାନେ ଓଡ଼ିଶାରେ ଥିବା ରାଜ୍ୟ ଏବଂ ଜାତୀୟ ଅଭିଲେଖାଗାରରେ ସମସ୍ତ ନଥିପତ୍ରକୁ ଅନୁଧ୍ୟାନ କରିବାର ସୁଯୋଗ ପାଉନାହାନ୍ତି। ତେଣୁ ସଠିକ୍‍ ଏବଂ ତ୍ରୁଟିଶୂନ୍ୟ ଇତିହାସ ଲେଖିବାରେ ଅସୁବିଧା ହେଉଛି।

Leave A Reply