ସାଂସଦଙ୍କ ବିଜୟ ଉତ୍ସବରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ, ୨ ଗିରଫ

0

ପାଟନା : ବିହାରର ଆରାରିଆରେ ଦେଶ ବିରୋଧୀ ସ୍ଲୋଗାନ ଦେବା ଅଭିଯୋଗରେ ଗୁରୁବାର ବିଳମ୍ବିତ ରାତିରେ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି। ଆରାରିଆ ଲୋକସଭା ଉପନିର୍ବାଚନରେ ବିଜୟୀ ଆରେଜଡି ପ୍ରାର୍ଥୀ ସର୍ଫରାଜ ଆଲମଙ୍କ ବିଜୟଉତ୍ସବରେ କେତେକ ଲୋକ ପାକିସ୍ତାନ ଜିନ୍ଦାବାଦ ଏବଂ ଭାରତ ଖଣ୍ଡଖଣ୍ଡ ହେବ ସ୍ଲୋଗାନ ଦେଉଥିବାର ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଏହାପରେ କେନ୍ଦ ମନ୍ତ୍ରୀ ଏବଂ ବିଜେପି ନେତା ଗିରିରାଜ ସିଂହ ଆରାରିଆ ଆତଙ୍କବାଦୀଙ୍କ ଗଡ଼ରେ ପରିଣତ ହୋଇଛି ବୋଲି କହିଥିଲେ । ପୁଲିସ୍‌ ଭିଡ଼ିଓକୁ ଆଧାର କରି ଦେଶ ବିରୋଧୀ ସ୍ଲୋଗାନ ଦେଉଥିବା ଦୁଇ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ସୁଲ୍‌ତାନ ଆଜମି ଏବଂ ଶେହଜାଦ ବୋଲି ପୁଲିସ୍‌ ସୂତ୍ରରୁ ପ୍ରକାଶ ।

ଅଭିଯୁକ୍ତ ଦ୍ୱୟଙ୍କୁ ଆରାରିଆର ରାଜନଗର ଅଞ୍ଚଳରୁ ଗିରଫ କରାଯାଇଛି । ଆରାରିଆ ସଦର ଥାନାରେ ଏନେଇ ୫ରୁ ୬ ଜଣ ଲୋକ ଗୁରୁବାର ମୌଖିକ ଅଭିଯୋଗ କରିଥିଲେ । ସେମାନେ ପୁଲିସ୍‌କୁ ଭାଇରାଲ ଭିଡ଼ିଓ ଦେଇଥିଲେ । ପୁଲିସ୍‌ ଗୁରୁବାର ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ସେପଟେ ଲୋକସଭା ଉପନିର୍ବାଚନରେ ପରାଜିତ ବିଜେପି ପ୍ରାର୍ଥୀ ପ୍ରଦୀପ କୁମାର ସିଂହ ଅଭିଯୋଗ କରିଛନ୍ତି ଯେ ଏହି ସ୍ଲୋଗାନ ଆରଜେଡି ସାଂସଦ ସର୍ଫରାଜଙ୍କ ଘର ନିକଟରେ ଦିଆଯାଇଛି । ଏହାର ଯାଞ୍ଚ କଲେ ସତ୍ୟ ପଦାକୁ ଆସିବ ।

Leave A Reply