ସ୍ୱାସ୍ଥ୍ୟକେନ୍ଦ୍ରକୁ ରୋଗୀ ଦେଖିବାକୁ ଆସି ୧ଘଣ୍ଟାରେ ଫେରିଗଲେ ଡାକ୍ତର

0

ଆରଡି : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିଧାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ରୋଗୀ ଦେଖିବାକୁ ଆସି ୧ଘଣ୍ଟାରେ ଡାକ୍ତର ଫେରିଯାଇଥିବା ଜଣାପଡିଛି।

ମହାମହିମା ମୟ ବାବା ଆଖଣ୍ଡଳମଣିଙ୍କ ମନ୍ଦିରକୁ ନେଇ ପ୍ରସିଦ୍ଧ ଲାଭ କରିଥିବା ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିଧାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେବ ଡାକ୍ତର ନଥିବା ବେଳେ ବିଭିନ୍ନ ସମସ୍ୟା ସର୍ମ୍ପକରେ ଗତ ୧୭ତାରିଖରେ ଦୈନିକ ସମାଜରେ ଖବର ପ୍ରକାଶ ପାଇବା ପରେ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଜଣେ ଡାକ୍ତରଙ୍କୁ ପଠା ଯାଇଥିଲା। ହେଲେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ଯୋଗୁ ଜୈନିକ ଡାକ୍ତର ରୋଗୀ ନଦେଖିବା ସହ ମାତ୍ର ୧ଘଣ୍ଟା ମଧ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ର ଛାଡି ପଳାଇ ଯାଇଥିଲେ। ଏସର୍ମ୍ପକରେ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀଙ୍କୁ ପଚାରିବାରୁ ସାରେ ୧୦ଟା ବେଳେ ଡାକ୍ତରଖାନାକୁ ଆସି ପରିସରରେ ଥିବା ପ୍ରସୂତି ବିଭାଗ, ଔଷଧ ବିତରଣ କେନ୍ଦ୍ର ଓ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ସମସ୍ତ ଗୃହ ବୁଲି ଦେଖିଥିଲେ। ତାହାସହ ଷ୍ଟାଫ୍ କ୍ୱାଟର ନଥିବା ଜାଣି ବିରକ୍ତି ପ୍ରକାଶ କରିବା ସହ ମାତ୍ର ୧ଘଣ୍ଟା ମଧ୍ୟରେ ଛାଡି ପଳାଇଥିଲେ। ଅନ୍ୟପଟେ ଡାକ୍ତରଖାନାକୁ ନୂଆ ଡାକ୍ତର ଆସିଛନ୍ତି ବୋଲି ଶୁଣି ରୋଗୀମାନେ ପହଞ୍ଚିଥିଲେ ମଧ୍ୟ ଡାକ୍ତରଙ୍କ ଟେବୁଲ ଖାଲିଥିବା ଦେଖି ୩୦/୪୦ ରୋଗୀ ଫେରିଯାଇଥିଲେ।

ସୂଚନା ଅନୁଯାୟୀ, ଆରଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଭଦ୍ରକ ଜିଲା ସମେତ ପଡୋଶୀ କେନ୍ଦ୍ରାପଡା ଓ ଯାଜପୁର ଜିଲାର ୮ପଞ୍ଚାୟତର ପାଖାପାଖି ୩୦ହଜାର ଲୋକ ନିର୍ଭର କରିଥାନ୍ତି। ତାହାସହ ପ୍ରସିଦ୍ଧ ଶୈବକ୍ଷେତ୍ରକୁ ଆସୁଥିବା ଅଗଣିତ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ମଧ୍ୟ ପ୍ରାଥମିକ ଚିକିତ୍ସା ପାଇଁ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥାନ୍ତି। ହେଲେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ନାନା ସମସ୍ୟା ଯୋଗୁ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନାହିଁ। ଏହି ସ୍ୱାସ୍ଥ୍ୟକେନ୍ଦ୍ରର ପର୍ଯ୍ୟାପ୍ତ ଭିତ୍ତିଭୂମୀ ରହିଥିଲେ ମଧ୍ୟ ରୋଗୀମାନଙ୍କ ଚିକିତ୍ସା ପାଇଁ ବେଡ ନଥିବା ବେଳେ ଷ୍ଟାଫ୍ ମାନଙ୍କ ରହିବା ନିମନ୍ତେ କ୍ୱାଟର ନଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନେକ ସମୟରେ ତାଲା ଝୁଲୁଛି। ଯାହଫଳରେ ରୋଗୀମାନେ ନାନା ସମସ୍ୟାରେ ସମ୍ମୁଖିନ ହେବା ସହିତ ଦୀର୍ଘ ୨୦କିମି. ଦୂରରେ ଥିବା ଧୁଷୁରୀ ଏରିଆ ଡାକ୍ତରଖାନାକୁ ଯାଉଥିବା ରୋଗୀମାନଙ୍କ ସର୍ମ୍ପକୀୟ ପ୍ରକାଶ କରିଛନ୍ତି। ଏପରି ସମସ୍ୟା ବାବଦରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରିଙ୍କ ନିକଟରେ ବାରମ୍ବାର ଦାବି ହେଉଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବା ସ୍ଥାନୀୟ ଅଧିବାସୀମାନେ ପ୍ରକାଶ କରିଛନ୍ତି।

Leave A Reply