ଆଖଣ୍ଡଳମଣିଙ୍କ ମନ୍ଦିରରେ ଦୋଳ ନୀତି ଅନୁଷ୍ଠିତ

0

ଆରଡି : ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ରାଜ୍ୟର ଅନ୍ୟତମ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚଳଞ୍ଚଳ ହୋଇ ଉଠିଥିଲା। ଏପରିକି ଦୋଳ ନୀତିକାନ୍ତି ନିମନ୍ତେ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଗୁରୁବାର ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ ସମେତ ସମସ୍ତ ସକାଳ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ପରେ ପଅଡଖିଆ ନୀତିଭୋଗ ଲାଗି ହେବା ପରେ ଦିବା ୧ଟାରେ ମଣିବାବାଙ୍କୁ ଯୋଗୀବେଶରେ ସଜ୍ଜିତ କରାଯାଇ ବଡ ଅନ୍ନନୀତିଭୋଗ ଲାଗି କରାଯାଇଥିଲା। ଏକ ଘଣ୍ଟା ଅବକାଶ(ଶୟନ) ନୀତି କରାଯିବା ପରେ ଅପରାହ୍ଣ ୪ଟାରେ ଚନ୍ଦନ, ବିଭିନ୍ନ ଅଳଙ୍କାର ଓ ଫୁଲ ବେଲପତ୍ର ଲାଗି କରାଯାଇ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା । ଅନ୍ୟପଟେ ମଣିବାବାଙ୍କ ଚଳନ୍ତୀ ପ୍ରତିମା ହରଗୈାରୀଙ୍କୁ ମନ୍ଦିର ଗମ୍ଭୀରା ଘରୁ ଏକ ସୁସଜ୍ଜିତ ବିମାନ ଯୋଗେ ମୁକ୍ତିମଣ୍ଡପକୁ ବିଜେ କରାଯାଇଥିଲା। ତାହାସହ ଦୋଳନୀତିକାନ୍ତି ନିମନ୍ତେ ବିଗ୍ରହଙ୍କୁ ମହାସ୍ନାନ କରାଯାଇ ନୂତନବସ୍ତ୍ର ଲାଗି ହେବା ପରେ ମନ୍ଦିରର ସମସ୍ତ ସେବାୟତଙ୍କ ସହ ଶ୍ରଦ୍ଧାଳୁମାନେ ଅବିର ରଙ୍ଗ ହରଗୈାରିଙ୍କୁ ଅର୍ପଣ କରିଥିଲେ। ସେହିପରି ମଣିବାବାଙ୍କୁ ସେବାୟତମାନେ ଅବିର ରଙ୍ଗ ଅର୍ପଣ କରିବା ସହ ମନ୍ଦିର ପ୍ରାଙ୍ଗଣରେ ଥିବା ଜୟଦୁର୍ଗା, ଶ୍ରଗଣେଷ, କାର୍ତ୍ତିକଶ୍ୱର, ହନୁମାନ, ଜଗନ୍ନାଥ, ମହାକାଳୀ ଓ ଶ୍ରାବଣୀମହାଦେବଙ୍କୁ ମଧ୍ୟ ଅବିର ରଙ୍ଗ ଅର୍ପଣ କରାଯାଇଥିଲା। ସନ୍ଧ୍ୟାରେ ଷୋଡଶ ଉପଚାର ସହ ସନ୍ଧ୍ୟା ଆଳତୀ ସମ୍ପନ୍ନ ହେବା ପରେ ଘଣ୍ଟା-କିର୍ତ୍ତନ, ଚାମର, ଆଲଟ ଆଦି ଦ୍ୱାରା ହରଗୈାରିଙ୍କୁ ବିମାନ ଯୋଗେ ନଗରୀ ପରିକ୍ରମା କରାଯାଇଥିଲା। ଏହି ନଗରୀରେ ପୀଠର ଜଗନ୍ନାଥ ମନ୍ଦିରରୁ ଆସିଥିବା ମଦନମୋହନ, ଡିହସାହିରୁ ଆସିଥିବା ରସିକନାଗର, ଠୋକରାରୁ ଆସିଥିବା ରାଧାକୃଷ୍ଣ, ବୈଦନାଥ ସାହିରୁ ଆସିଥିବା ଗୋପବନ୍ଧୁ ମଣିବାବାଙ୍କ ଚଳନ୍ତୀ ପ୍ରତିମା ହରଗୈାରିଙ୍କ ସହ ନଗରୀ କରିବା ପରେ ମନ୍ଦିର ପ୍ରାଙ୍ଗଣରେ ନିର୍ମିତ ଦୋଳ ବେଦୀକୁ ବିଜେ କରିଥିଲେ। ସେଠାରେ ବିଧି ପୂର୍ବକ ପୂଜାର୍ଚ୍ଚନା ଓ ଭୋଗ ଲାଗି ହେବା ପରେ ପଣ୍ଡିତ ମଣ୍ଡଳିଙ୍କ ପକ୍ଷରୁ ଚଳିତ ବର୍ଷର ନୂତନ ବିରଜା ପଞ୍ଜିକା ପଠନ କରାଯାଇଥିଲା। ପରେ ଭକ୍ତମାନଙ୍କ ପକ୍ଷରୁ ଭଜନ କିର୍ତ୍ତନ କରାଯାଇ ଦୋଳ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ମଧ୍ୟରେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଆରଡି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ସେହିପରି ପୀଠ ନିକଟସ୍ଥ କୋଇଲିଖା, ଷାଠିବାଙ୍କୁଡା, ଦୋହରାପାଟଣା, ଖଟୁଆପାଟଣା, ମୁଆଁ, ବାତୋଳ, ମଠଡିହ, ସିଙ୍ଗିପୁର, ବାଙ୍କମୁଆ, ପହଣା, ତଳଦୁମୁକା, ଉପରଦୁମୁକା, ନାନ୍ଦପୁର ଆଦି ସ୍ଥାନରେ ମହା ଆଡମ୍ବର ସହ ଗୋପାଳ ପରିବାରଙ୍କ ପକ୍ଷରୁ ଗୋପବନ୍ଧୁ ପୂଜାର୍ଚ୍ଚନା କରାଯିବା ସହିତ ଦୋଳ ମେଲଣ ଅନୁଷ୍ଠିତ ହୋଇଥିଲା।

Leave A Reply