ନିଆଁ ଗିଳିଦେଲା ନଗଦ ୨ଲକ୍ଷ ଓ ୧୦ ଲକ୍ଷ ଟଙ୍କାର ସମ୍ପତ୍ତି

0

ଆରଡି : ଆରଡିପୀଠ ମୁଖ୍ୟ ବଜାରର ଚୂଳପକା ମଣ୍ଡପ ନିକଟରେ ଥିବା ମୁଆଁ ଗାଁର ସୁଦପ ସାହୁଙ୍କ ଲୁଗା ଦୋକାନ ସମେତ ପ୍ରଦୀପ ପାଢୀଙ୍କ ଭେରାଇଟ ଷ୍ଟୋର ଓ ଧେରେନ୍ଦ୍ର ପାଢୀଙ୍କ ବାସଗୃହ  ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ବିଦ୍ୟୁତ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ସମ୍ପୁର୍ଣ୍ଣ ଜଳି ପୋଡି ଭଷ୍ମିଭୂତ ହୋଇଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରାତ୍ର ପ୍ରାୟ ୨ଟା ସମୟରେ ପ୍ଲାଷ୍ଟିକ ଓ ଲୁଗା ପଟା ପୋଡା ଗନ୍ଧ ହେବାରୁ ଘର ବାହାରକୁ ଆସିଥିଲେ। ହେଲେ ଦେଖିଲା ବେଳକୁ ଘର ନିକଟରେ ଥିବା ଦୋକାନ ଗୃହ ସମେତ ଏକ ବାସଗୃହ ଜଳିବାରେ ଲାଗିଛି। ଏପରିକି ଗାଁ ଲୋକଙ୍କୁ ଡାକ ପକାଇବା ସହ ନିକଟସ୍ଥ ପୁଲିସ ଫାଣ୍ଡି ଓ ଧାମନଗର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ହେଲେ ନିଆଁର ପ୍ରକୋପ ଏପରି ଥିଲା ଯାହାକି ଜିନିଷପତ୍ର ଉଦ୍ଧାର କରିବା କିମ୍ବା ନିଆଁକୁ ଆୟତ କରିବା ସମ୍ଭବ ହୋଇନଥିଲା। ଖବର ପାଇ ଆରଡି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ ପହଁଚି ନିଆଁକୁ ଆୟତ କରିବା ନିମନ୍ତେ ସମସ୍ତ ପ୍ରକାର ପ୍ରଚେଷ୍ଟା ଚଳାଇଥିଲେ। ଏପରିକି ଆରଡି ଫାଣ୍ଡିର ଜଣେ ଦକ୍ଷ କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ କରିବା ପାଣି ଢାଳିବା ସହ ବିଦ୍ୟୁତ ସରାବର ବିଛିନ୍ନ କରିବା ଆଦି କାର୍ଯ୍ୟ ଚଳାଇଥିଲେ। ଅନ୍ୟପଟେ ଦୀର୍ଘ ଦେଢଘଣ୍ଟା ପରେ ଅଗ୍ନିଶମ ଗାଡି ପହଁଚିବା ବେଳେକୁ ନିଆଁ ଆଁରେ ସବୁକିଛି ଜଳିପୋଡି ପାଉଁଶ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ବିପନ୍ନ ହୋଇ ପଡିଥିବା ଭିନ୍ନକ୍ଷମ ସୁଦିପଙ୍କ କହିବା ଅନୁଯାୟୀ ବର୍ତ୍ତମାନ ବିବାହ ଲଗ୍ନ ଥିବାରୁ ଗତକାଲି କଟକରୁ ଲକ୍ଷାଧିକ ଟଙ୍କାର ଲୁଗା ଆଦି କ୍ରୟ କରି ଆଣିବା ସହ ଦୋକାନରେ ନଗଦ ୫୦ହଜାର ଟଙ୍କା ରଖିଥିଲେ। ସେହିପରି ପ୍ରଦୀପଙ୍କର ନଗଦ ପ୍ରାୟ ୮୦ହଜାର ଟଙ୍କା ସହ ଦୋକାନର ସମସ୍ତ ଜିନିଷ ପତ୍ର, ଫ୍ରିଜ , ଟିଭି, ଫ୍ୟାନ ଓ ଦରକାରୀ କାଗଜ ପତ୍ର ଆଦି ପୋଡି ପାଉଁଶ ହୋଇଯାଇଥିବା ବେଳେ ଧିରେନ୍ଦ୍ରଙ୍କର ବାସଗୃହ ମଧ୍ୟରେ ଥିବା ନଗଦ ଟଙ୍କା ଓ ସମସ୍ତ ଆସବାପତ୍ର ଜଳି ପୋଡି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି। ଉଭୟଙ୍କର ନଗଦ ୨ଲକ୍ଷ ଟଙ୍କା ସମେତ ୧୦/୧୨ ଲକ୍ଷ ଟଙ୍କାର ଆସବାପତ୍ର ପୋଡି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଆରଡି ଆର.ଆଇ ଦେବାଷିଶ ରାୟ, ସ୍ଥାନୀୟ ସରପଞ୍ଚ ଅରବିନ୍ଦ ପାଢୀ ପ୍ରମୁଖ ଘଟଣାସ୍ଥଳରେ ପହଁଚି ବିପନ୍ନଙ୍କୁ ଭେଟି ସମସ୍ତ ଘଟଣା ସର୍ମ୍ପକରେ ପଚାରି ବୁଝିଥିଲେ।

Leave A Reply