ଆରବଗାମୀ ନାବାଳକଙ୍କ ପାଇଁ ଏୟାର ଇଣ୍ଡିଆର ନୂଆ ନିୟମ

0

ନୂଆଦିଲ୍ଲୀ : ଶିଶୁ ଚାଲାଣ ରୋକିବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ନୂଆ ନିୟମ ପ୍ରଣୟନ କରାଯାଇଛି। ଏହି ଅନୁସାରେ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)କୁ ଏକୁଟିଆ ଯାଉଥିବା ୧୮ବର୍ଷରୁ କମ୍‍ ବାଳକ ବାଳିକାଙ୍କୁ ସେମାନଙ୍କ ବାପା-ମାଆଙ୍କଠାରୁ ଅନୁମତି ବା ପ୍ରାଧିକୃତ ପ୍ରମାଣପତ୍ର ଆଣିବାକୁ ପଡ଼ିବ। ଏଭଳି ପ୍ରମାଣପତ୍ର ବିନା କାହାରିକୁ ବିଦେଶ ଛଡ଼ାଯିବ ନାହିଁ ବୋଲି ଶୁକ୍ରବାର, ଜୁନ୍‍ ୧ତାରିଖଠାରୁ ନିୟମ ଜାରି ହୋଇଛି। ଏହା ମଧ୍ୟ ତତ୍କାଳ କାର୍ଯ୍ୟକାରୀ ହୋଇଛି। ଦୁବାଇ ପୁଲିସ ପକ୍ଷରୁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ଶିଶୁ ଚାଲାଣ ରାକେଟ ସମ୍ପର୍କରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। କଥିତ ପ୍ରମାଣପତ୍ରରେ ସମ୍ପୃକ୍ତ ନାବାଳକ ବା ନାବାଳିକାଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ରହିଥିବ। ସେ କେଉଁଠିକୁ ଓ କ’ଣ ପାଇଁ ଯାଉଛନ୍ତି ଏବଂ ଆରବରେ ତାଙ୍କୁ କିଏ ଗ୍ରହଣ କରିବେ ତଥା ତାଙ୍କ ସହିତ ସମ୍ପର୍କ କ’ଣ ତାହା ମଧ୍ୟ ଉଲ୍ଲେଖ ଥିବ। କୌଣସି ପରିବାର ସଦସ୍ୟଙ୍କ ସହିତ ଯଦି ସମ୍ପୃକ୍ତ ପିଲା ଯାଉଥାଆନ୍ତି; ତେବେ ସେ ସମ୍ପର୍କରେ ମଧ୍ୟ ବର୍ଣ୍ଣନା ଥିବ। ଏୟାରଲାଇନ୍ସ କର୍ମଚାରୀ ଏହି ପ୍ରମାଣପତ୍ରର ତନଖି କରିବା ପରେ ଯାଇ ସମ୍ପୃକ୍ତ ପିଳାଙ୍କୁ ଯିବା ଅନୁମତି ମିଳିବ।

Leave A Reply