ରାଠୋର ଭାରତୀୟ ଦଳର ନୂଆ ବ୍ୟାଟିଂ ପ୍ରଶିକ୍ଷକ

ଅରୁଣ ଓ ଶ୍ରୀଧର ସ୍ଥାନ ବଜାୟ ରଖିଲେ; ଡୋ‌େ‌ଙ୍ଗ୍ର ନୂଆ ମ୍ୟାନେଜର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ ବିକ୍ରମ ରାଠୋର ଭାରତୀୟ କ୍ରିକେଟ ଦଳର ନୂଆ ବ୍ୟାଟିଂ ପ୍ରଶିକ୍ଷକ ହେବା ନିଶ୍ଚିତ ହୋଇଯାଇଛି। ବିସିସିଆଇ ସିନିୟର ମନୋନୟନ କମିଟି ବ୍ୟାଟିଂ ପ୍ରଶିକ୍ଷକ ଲାଗି ଆବେଦନ କରିଥିବା ବିଭିନ୍ନ କ୍ରିକେଟ ବ୍ୟକ୍ତିତ୍ବଙ୍କର ସାକ୍ଷାତ୍‌କାର ଇତିମଧ୍ୟରେ ସମାପ୍ତ କରିଛି। ଏହାସହ ପସନ୍ଦ ଅନୁସାରେ ପ୍ରତି ବିଭାଗରେ ୩ଟି ଲେଖାଏଁ ନାମ ବିସିସିଆଇ ପ୍ରଶାସକ କମିଟି (ସିଓଏ)କୁ ପ୍ରଦାନ କରିଛି। ବ୍ୟାଟିଂ ପ୍ରଶିକ୍ଷକ ଲାଗି ପ୍ରଥମ ପସନ୍ଦ ଭାବେ ବିକ୍ରମ ରାଠୋରଙ୍କୁ ରଖାଯାଇଛି। ୨ୟ ସ୍ଥାନରେ ଅଛନ୍ତି ଏବେ ବର୍ତ୍ତମାନ ବ୍ୟାଟିଂ ପ୍ରଶିକ୍ଷକ ଭାବେ ଇଣ୍ଡିଜ୍ ଗସ୍ତରେ ଥିବା ସଞ୍ଜୟ ବାଙ୍ଗର ଏବଂ ୩ୟ ସ୍ଥାନରେ ଅଛନ୍ତି ଇଂଲଣ୍ଡର ପୂର୍ବତନ ବ୍ୟାଟ୍‌ସମ୍ୟାନ୍ ମାର୍କ ରାମପ୍ରକାଶ।

ଗତ ସପ୍ତାହରେ ରବି ଶାସ୍ତ୍ରୀ ପୁଣିଥରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ମନୋନୀତ ହୋଇଥିଲେ। ତେବେ ଭାରତୀୟ ଦଳର ବ୍ୟାଟିଂ ପ୍ରଶିକ୍ଷକ ଥିବା ସଞ୍ଜୟ ବାଙ୍ଗରଙ୍କ କାର୍ଯ୍ୟରେ ବିସିିସିଆଇ ସନ୍ତୁଷ୍ଟ ନଥିଲା। ବାଙ୍ଗର ଗତ ୨ ବର୍ଷ ହେଲା ଭାରତୀୟ ଦଳର ବ୍ୟାଟିଂ ପ୍ରଶିକ୍ଷକ ଥିବା ସତ୍ତ୍ବେ ଅଦ୍ୟାବଧି ଭାରତ ସୀମିତ ଓଭର ପାଇଁ ଜଣେ ସ୍ଥାୟୀ ୪ନଂ ବ୍ୟାଟ୍‌ସମ୍ୟାନ୍ ପାଇ ପାରିନଥିଲା। ତେଣୁ ବାଙ୍ଗରଙ୍କ ମୁଣ୍ଡ ଉପରେ ବିସିସିଆଇର ଖଣ୍ଡା ଝୁଲି ରହିଥିଲା। ଏବେ ତାଙ୍କ ସ୍ଥାନରେ ପଞ୍ଜାବର ବିକ୍ରମ ରାଠୋର ନିଯୁକ୍ତ ହୋଇଛନ୍ତି। ୫୦ ବର୍ଷ ବୟସ୍କ ବିକ୍ରମ ରାଠୋର ଜଣେ ଓପ୍‌ନିଂ ବ୍ୟାଟ୍‌ସମ୍ୟାନ ଭାବେ ୧୯୯୬ରେ ଭାରତ ପାଇଁ ୬ଟି ଟେଷ୍ଟ ଓ ୭ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟରେ ତାଙ୍କ ରେକର୍ଡ ବହୁତ ଭଲ। ସନ୍ଦୀପ ପାଟିଲ ବିସିସିଆଇର ସିନିୟର ମନୋନୟନ କମିଟି ଅଧ୍ୟକ୍ଷ ଥିବା ବେଳେ ବିକ୍ରମ ରାଠୋର ୨୦୧୬ ପର୍ଯ୍ୟନ୍ତ ମନୋନୟନ କମିଟିର ସଦସ୍ୟ ଥିଲେ। ପୂର୍ବରୁ ରାଠୋର ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ର ବ୍ୟାଟିଂ ପରାମର୍ଶଦାତା ଏବଂ ଭାରତୀୟ ୧୯ ବର୍ଷରୁ କମ୍ ଦଳର ବ୍ୟାଟିଂ ପ୍ରଶିକ୍ଷକ ହେବାକୁ ଅାବେଦନ କରିଥିଲେ। ତେବେ ରାଠୋରଙ୍କ ଶାଳକ ଆଶିଷ କପୁର ବିସିସିଆଇ ଜୁନିୟର ମନୋନୟନ କମିଟିର ସଦସ୍ୟ ଥିବାରୁ ତାଙ୍କ ଆବେଦନକୁ ବିଚାରକୁ ନିଆ ଯାଇନଥିଲା।

ତେବେ ବୋଲିଂ ପ୍ରଶିକ୍ଷକ ଭାବେ ତାମିଲନାଡ଼ୁର ଭାରତ ଅରୁଣ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ଭାରତୀୟ ବୋଲରଙ୍କ ପାଇଁ ତାଙ୍କ କାର୍ଯ୍ୟରେ ମନୋନୟନକାରୀ ସନ୍ତୋଷ ପ୍ରକାଶ କରିଛନ୍ତି। ଅରୁଣଙ୍କ ସମୟରେ ଯଶପ୍ରୀତ୍ ବୁମ୍‌ରା, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଉମେଶ ଯାଦବ, ସାର୍ଦ୍ଦୁଳ ଠାକୁର, ନବଦୀପ ସୈନି ପ୍ରଭୃତି ବୋଲର ଚମତ୍କାର ପ୍ରଦର୍ଶନ କରିଛନ୍ତି। ପୁଣି ଭାରତୀୟ ସ୍ପିନର ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ମନୋନୟନକାରୀ ଅରୁଣଙ୍କୁ ପ୍ରଥମ ପସନ୍ଦର ବୋଲିଂ ପ୍ରଶିକ୍ଷକ ଭାବେ ଦର୍ଶାଇଥିବା ବେଳେ ପୂର୍ବତନ ଭାରତୀୟ ପେସ୍ ବୋଲର ପାରସ୍ ମାହ୍‌​‌େ​‌ମ୍ବ୍ର ୨ୟ ଓ ଭେଙ୍କଟେଶ ପ୍ରସାଦ ୩ୟ ସ୍ଥାନରେ ରହିଥିଲେ। ଭାରତୀୟ ଦଳର ଫିଲ୍‌ଡିଂ ପ୍ରଶିକ୍ଷକ ଦାୟିତ୍ବ ବଜାୟ ରଖିଛନ୍ତି ଆର୍. ଶ୍ରୀଧର। ତାଙ୍କ ସମୟରେ ଗତ ୨ ବର୍ଷ ହେଲା ଭାରତୀୟ ଖେଳାଳିଙ୍କ ଫିଲ୍‌ଡିଂରେ ବେଶ୍ ଉନ୍ନତି ହୋଇଥିବାରୁ ତାଙ୍କୁ ପୁଣି ଏହି ଦାୟିତ୍ବ ମନୋନୟନକାରୀ ଦେଇଛନ୍ତି। ଏହି ଦୌଡ଼ର ୨ୟ ସ୍ଥାନରେ ଅଭୟ ଶର୍ମା ଓ ୩ୟ ସ୍ଥାନରେ ଟି. ଦିଲୀପ ରହିଛନ୍ତି। ମୁମ୍ବଇର ନୀତିନ ପଟେଲ ଭାରତୀୟ ଦଳର ନୂତନ ଫିଜିଓଥେରାପିଷ୍ଟ ନିଯୁକ୍ତ ହୋଇଛନ୍ତି। ପୂର୍ବ ଫିଜିଓଥେରାପିଷ୍ଟ ପ୍ୟାଟ୍ରିକ୍ ଫରହାତ୍ ଦାୟିତ୍ବରୁ ଅବ୍ୟାହତି ନେଇଥିଲେ। ଗିରୀଶ ଡେ​‌େ​‌ଙ୍ଗ୍ର ଭାରତୀୟ କ୍ରିକେଟ ଦଳର ସ୍ଥାୟୀ ମ୍ୟାନେଜର ନିଯୁକ୍ତ ହୋଇଛନ୍ତି। ସୁନୀଲ ସୁବ୍ରମଣ୍ୟମ୍‌ଙ୍କ ସ୍ଥାନରେ ଡେ​‌େ​‌ଙ୍ଗ୍ରଙ୍କୁ ଏହି ଦାୟିତ୍ବ ମିଳିଛି। ଭାରତୀୟ କ୍ରିକେଟ ଦଳର ଚଳିତ ୱେଷ୍ଟଇଣ୍ଡିଜ ଗସ୍ତରେ ସୁବ୍ରମଣ୍ୟମ୍‌ଙ୍କୁ ନେଇ ବିବାଦ ଦେଖା ଦେଇଥିଲା। ତ୍ରିନିଦାଦ୍ ଏଣ୍ଡ ଟବାଗୋସ୍ଥିତ ଭାରତୀୟ ଦୂତାବାସର କର୍ମଚାରୀଙ୍କୁ ସୁନୀଲ ସୁବ୍ରମଣ୍ୟମ ଦୁର୍ବ୍ୟବହାର କରିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ସୁବ୍ରମଣ୍ୟମଙ୍କୁ ତୁରନ୍ତ ୱେଷ୍ଟଇଣ୍ଡିଜ୍ ଛାଡ଼ି ସ୍ବଦେଶ ଫେରିବାକୁ ନିର୍ଦେଶ ଦିଆ ଯାଇଥିଲା। ତେବେ ସୁବ୍ରମଣ୍ୟମ୍ ତାଙ୍କ ଭୁଲ୍ ସ୍ବୀକାରକରି ନିସର୍ତ୍ତ କ୍ଷମାପ୍ରାର୍ଥନା କରିଥିଲେ। ଫଳରେ ତାଙ୍କୁ ୱେଷ୍ଟଇଣ୍ଡିଜ୍‌ରେ ଦଳ ସହ ରହିବାର ଅନୁମତି ମିଳିଥିଲା।

Comments are closed.