କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ବିଚାରପତି ନିଯୁକ୍ତି ତ୍ବରାନ୍ବିତ କର

ନୂଆଦିଲ୍ଲୀ : ସବୁ ସ୍ତରରେ ବିଚାରପତି ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରବା ଲାଗି ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ବିଶେଷକରି ସର୍ବାଧିକ ସଂଖ୍ୟକ ବିଚାରପତି ପଦ ଖାଲି ପଡିଥିବା ୮ଟି ହାଇକୋର୍ଟରେ ନିଯୁକ୍ତି ସମ୍ବନ୍ଧରେ ତ୍ବରିତ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ୬ ମାସ ସମୟ ପର୍ଯ୍ୟାପ୍ତ ହେବ। ଏଣୁ ଏହି ସମୟ ମଧ୍ୟରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବାକୁ ଜଷ୍ଟିସ ସଞ୍ଜୟ କିଷନ କୌଲ ଏବଂ ଜଷ୍ଟିସ କେ, ଏମ. ଯୋଶେଫଙ୍କ ପୀଠ କହିଛନ୍ତି। ଓଡ଼ିଶା ଓକିଲମାନଙ୍କ ଧର୍ମଘଟ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି କରିବା ବେଳେ ବିଭିନ୍ନ ହାଇକୋର୍ଟ ଓ ଜିଲା କୋର୍ଟ ଗୁଡିକରେ ବିଚାରପତି ପଦ ଖାଲି ଥିବା ପ୍ରସଙ୍ଗ ଉଠିଥିଲା। ପୀଠ ବିଚାରପତି ନିଯୁକ୍ତି ସମ୍ବନ୍ଧୀୟ ଫାଇଲ ମାସମାସ ଧରି ପଡି ରହିବା ଘଟଣାରେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏ ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କୁ ଅବଗତ କରିବାକୁ ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲଙ୍କୁ ପୀଠ ନିର୍ଦେଶ ଦେଇଛନ୍ତି। ନିଯୁକ୍ତି ପ୍ରକ୍ରିୟା ଯେଭଳି ବିଳମ୍ବ ନ ହେବ ସେଥିପ୍ରତି ଧ୍ୟାନ ଦେବାକୁ ବିଚାରପତିମାନେ ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳଙ୍କୁ କହିଛନ୍ତି। ​କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହିତ ଏ ସମ୍ବନ୍ଧରେ ଆଲୋଚନା କରିବେ ବୋଲି ବେଣୁଗୋପାଳ ପୀଠଙ୍କୁ କହିଛନ୍ତି। ସମ୍ପ୍ରତି ସ୍ଥିତି ଚିନ୍ତାଜନକ ଥିବା ଦର୍ଶାଇ ଜଷ୍ଟିସ ଯୋଶେଫ କହିଛନ୍ତି କେନ୍ଦ୍ର ସରକାରଙ୍କ ନିକଟରେ ମାସାଧିକ କାଳ ବିଚାରପତି ନିଯୁକ୍ତି ସମ୍ବନ୍ଧୀୟ ଏକାଧିକ ସୁପାରିସ ପଡି ରହିଛି। ଉଲ୍ଲେଖଯେ ସୁପ୍ରିମକୋର୍ଟକୁ ଜଷ୍ଟିସ ଯୋଶେଫଙ୍କ ପଦୋନ୍ନତି ସମ୍ବନ୍ଧୀୟ ଫାଇଲ ଏକ ବର୍ଷ ପର୍ଯ୍ୟନ୍ତ ପଡି ରହିଥିଲା; ଯାହାକୁ ନେଇ ବିଚାର ବିଭାଗ ଏବଂ କେନ୍ଦ୍ର ମଧ୍ୟରେ ବିବାଦ ହୋଇଥିଲା।

Comments are closed.