ସାବଧାନ! ଏହି ଆପ୍ ଜରିଆରେ ଚୋରି ହେଉଛି ଟଙ୍କା, ବ୍ୟକ୍ତିଗତ ତଥ୍ୟ

0

ନୂଆଦିଲ୍ଲୀ: ଇଣ୍ଟରନେଟ ବ୍ୟାଙ୍କିଙ୍ଗର ସୁବିଧା ପାଇବା ଲାଗି ଅନେକ ବ୍ୟକ୍ତି ସ୍ମାର୍ଟ ଫୋନରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ(ୟୁପିଆଇ) ପ୍ଲାଟଫର୍ମ ବା ବିଭିନ୍ନ ପେମେଣ୍ଟ ଆପ୍ଲିକେଶନ ବ୍ୟବହାର କରୁଛନ୍ତି। ତେବେ ସେହି ଆପ୍ଲିକେଶନଗୁଡ଼ିକ କେତେ ସୁରକ୍ଷିତ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେତେକ ଆପ୍ଲିକେଶନ ବ୍ୟବହାର ଦ୍ବାରା ସ୍ମାର୍ଟଫୋନ ବ୍ୟବହାରକାରୀ ଠକେଇର ଶିକାର ହେଉଛନ୍ତି। ଏବେ ଏମିତି ଏକ ଆପ୍ଲିକେଶନ ବଜାରକୁ ଆସିଛି, ଯାହାଦ୍ବାରା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ସମେତ ଟଙ୍କା ଚୋରି ହେଉଛି। ଆପ୍‌ ଡାଉନଲୋଡ୍‌ କରିବାର କେଇ ମିନିଟ ମଧ୍ୟରେ ଆକାଉଣ୍ଟରୁ ସମସ୍ତ ଟଙ୍କା ଗାଏବ ହୋଇଯିବାର ଆଶଙ୍କା ରହିଛି। ଏ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏକ ସର୍କୁଲାର ଜାରି କରି ସମସ୍ତ ବ୍ୟାଙ୍କ ଏବଂ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।

ଆରବିଆଇ ଯେଉଁ ଆପ୍‌ ବିଷୟରେ ସତର୍କ କରାଇଛି ତାହା ହେଉଛି ‘AnyDesk’ ଆପ୍ଲିକେଶନ। ୟୁପିଆଇ ପ୍ଲାଟଫର୍ମରେ ଏହି ଆପ ଜରିଆରେ ଟଙ୍କା ଟ୍ରାଞ୍ଜାକ୍ସନ କଲେ ବ୍ୟବହାରକାରୀମାନେ ଠକେଇର ଶିକାର ହୋଇପାରନ୍ତି ବୋଲି ଗତ ୧୪ ତାରିଖରେ ଆରବିଆଇ ବ୍ୟାଙ୍କଗୁଡ଼ିକୁ ସତର୍କ କରାଇଛି। ଆରବିଆଇର ସାଇବର ନିରାପତ୍ତା ଏବଂ ଆଇଟି ପରୀକ୍ଷଣ ସେଲ ପକ୍ଷରୁ କୁହାଯାଇଛି ଯେ, ଯଦି ସୋସିଆଲ ମିଡିଆରେ କୌଣସି ଲିଙ୍କ କିମ୍ବା ଅନ୍ୟ କୌଣସି ଜରିଆରେ କେହି ‘AnyDesk’ ଆପ୍‌ ଡାଉନଲୋଡ କରିବାକୁ ଆପଣଙ୍କୁ ପରାମର୍ଶ ଦେଉଛନ୍ତି, ତେବେ ତାହା କରନ୍ତୁ ନାହିଁ। ଯଦି ଆପଣ ଆପ୍‌ ଡାଉନଲୋଡ କରନ୍ତି,, ତା’ହେଲେ ଆପ୍ଲିକେଶନର ସଫ୍ଟୱେର ମୋବାଇଲ କିମ୍ବା ଲାପଟପ ଜରିଆରେ ଆପଣଙ୍କ ସମସ୍ତ ବ୍ୟକ୍ତିଗତ ତଥ୍ୟ ଚୋରି କରିନେବ।  ଏହାର କିଛି ମିନିଟ ମଧ୍ୟରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଚୋରି କରିନେଇପାରେ। ଆପ୍‌ ଡାଉନଲୋଡ କରିବା ପରେ ଏକ ୯ ଅଙ୍କ ବିଶିଷ୍ଟ କୋଡ୍‌ ଆସିଥାଏ ଏବଂ ବ୍ୟବହାରକାରୀଙ୍କ ସମ୍ପର୍କରେ ସାଇବର ଅପରାଧୀଙ୍କ ନିକଟରେ ସୂଚନା ପହଞ୍ଚିଥାଏ। ସେହି କୋଡ୍‌କୁ ଆପଣ ଏଣ୍ଟର କରିବା ପରେ ଆପଣଙ୍କ ମୋବାଇଲ କିମ୍ବା ଲାପଟପର ନିୟନ୍ତ୍ରଣ ହ୍ୟାକରଙ୍କ ନିକଟକୁ ଚାଲିଯାଏ। ସେମା​‌ନେ ମୋବାଇଲ କିମ୍ବା ଲାପଟପରୁ ବ୍ୟବହାରକାରୀଙ୍କ ସମସ୍ତ ତଥ୍ୟ ଡାଉନଲୋଡ କରିନିଅନ୍ତି ଏବଂ ପରେ ତାହାକୁ ବ୍ୟାଙ୍କ ଟ୍ରାଞ୍ଜାକ୍ସନରେ ବ୍ୟବହାର କରନ୍ତି।

Leave A Reply