ଅଯୋଧ୍ୟା ମାମଲାକୁ ନେଇ ଅନୁପମ ଓ ସ୍ୱରାଙ୍କ ଟ୍ୱିଟ୍‍: “ସବକୋ ସନ୍‍ମତି ଦେ ଭଗବାନ”

ମୁମ୍ବଇ : ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲା ଶୁଣାଣିର କିଛି ସମୟ ପୂର୍ବରୁ ବଲିଉଡ଼ର ଲୋକପ୍ର୍ରିୟ ଅଭିନେତା ଅନୁପମ ଖେର ଓ ଅଭିନେତ୍ରୀ ସ୍ୱରା ଭାସ୍କର ଟ୍ୱିଟ୍‍ କରି ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ସ୍ୱରା ୨ ଧାଡ଼ି ଭଜନ ଲେଖି ନିଜ ଭାବନାକୁ ବ୍ୟକ୍ତ କରିବାକୁ ଚେଷ୍ଟା କରିଛନ୍ତି। ସେ ଲେଖିଛନ୍ତି, “ରଘୁପତି ରାଘବ ରାଜା ରାମ… ସବକୋ ସନ୍‍ମତି ଦେ ଭଗବାନ”। ଯାହାର ଅର୍ଥ ଈଶ୍ୱର ସମସ୍ତଙ୍କୁ ସଦ୍‍ବୁଦ୍ଧି ଦିଅନ୍ତୁ। ଦୁନିଆକୁ ଅହିଂସାର ପାଠ ପଢାଉଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଏହା ପ୍ରିୟ ଭଜନ ଥିଲା।
ଅପର ପକ୍ଷରେ ଅନୁପମ ମଧ୍ୟ ଏହି କ୍ରମରେ ଟ୍ୱିଟ୍‍ କରି ଅଯୋଧ୍ୟା ମାମଲାର ଶୁଣାଣି ହେବା ପରେ ଶାନ୍ତି ବଜାୟ ରଖିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ସେ ଲେଖିଛନ୍ତି, “ଆଲ୍ଲାହ ତେରୋ ନାମ, ଈଶ୍ୱର ତେରୋ ନାମ। ସବକୋ ସନ୍‍ମତି ଦେ ଭଗବାନ”। ଅନୁପମଙ୍କ ଟ୍ୱିଟ୍‍କୁ କିଛି ଲୋକ ବିରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ସେ ସରକାରଙ୍କ ବିରୋଧରେ କେବେ କିଛି କୁହନ୍ତି ନାହିଁ ବୋଲି ଲୋକେ କହିଛନ୍ତି। ଅନୁପମ ମୋଦୀଙ୍କ ଟ୍ୱିଟ୍‍କୁ ମଧ୍ୟ ରିଟ୍ୱିଟ୍‍ କରିଛନ୍ତି, ଯେଉଁଥିରେ ସେ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ଶନିବାର(୯ ନଭେମ୍ବର) ସୁପ୍ରିମକୋର୍ଟ ବହୁ ପ୍ରତୀକ୍ଷିତ ରାମଜନ୍ମଭୂମି-ବାବ୍ରୀ ମସଜିଦ ମାମଲାର ରାୟ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠଙ୍କ ରାୟ ଶୁଣାଣି କରି ବିବାଦୀୟ ସ୍ଥଳକୁ ହିନ୍ଦୁମାନଙ୍କୁ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏହା ସହିତ ମୁସଲମାନଙ୍କୁ ଅଯୋଧ୍ୟା ସହରର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦେବା ସହ ମସଜିଦ ନିର୍ମାଣରେ ସହାୟତା କରିବାକୁ କେନ୍ଦ୍ର ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଜାରି କରିଛନ୍ତି। ତେବେ ଏହି ମାମଲାକୁ ନେଇ ଅନେକ ରାଜନେତା ଓ ବଲିଉଡ଼ ସେଲିବ୍ରିଟି ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି।

Comments are closed.