ନିଆଁରେ ପୋଡ଼ିହୋଇ ୨ ମୃତ

0

ଅନୁଗୋଳ : ଜିଲାର ଦୁଇଟି ସ୍ଥାନରେ ନିଅାଁରେ ପୋଡ଼ି ହୋଇ ଜଣେ ବୃଦ୍ଧ ଓ ଜଣେ ବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ଅନୁଗୋଳ ବ୍ଲକ ଅନ୍ତର୍ଗତ ପୁରୁଣାକୋଟ ଥାନା ଅଞ୍ଚଳର କରଡ଼ାପଡ଼ା ଗ୍ରାମର ଗୋବିନ୍ଦ ଦଳବେହେରା (୭୦) ଓ ରେଙ୍ଗାଳି ଥାନା ଅନ୍ତର୍ଗତ ସୁଲେଇପାଳ ଗ୍ରାମର ଦେବା ଗୋଛାୟତଙ୍କ ଝିଅ ମାଳତୀ (୧୧)। ଶୀତ ଦାଉରୁ ରକ୍ଷା ପାଇବା ପାଇଁ କରଡ଼ାପଡ଼ା ଗ୍ରାମର ଗୋବିନ୍ଦ ଘର ଭିତରେ ନିଆଁ ଜାଳି ରାତିରେ ଶୋଇଥିଲେ। ଶୋଇପଡ଼ିବା ପରେ ଜାଳିଥିବା ନିଅାଁରୁ ଲୁଗା ଜଳି ଗୋବିନ୍ଦ ଅର୍ଦ୍ଧଦଗ୍ଧ ହୋଇଯାଇଥିଲେ। ଅଣ୍ଟାଠାରୁ ତଳକୁ ପୋଡ଼ିଯାଇଥିଲା। ଜାଣିବା ପରେ ପରିବାର ଲୋକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ବେଳକୁ ରାସ୍ତାରେ ମୃତ୍ୟୁ ହୋଇଯାଇଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ଗୋବିନ୍ଦକୁ ମୃତ ଘୋଷଣା କରିବା ପରେ ଥାନାରେ ଲିଖିତ ଭାବେ ଜଣାଇଥିଲେ। ଅନୁଗୋଳ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ସେହିପରି ରେଙ୍ଗାଳି ଥାନା ଅନ୍ତର୍ଗତ ସୁଲେଇପାଳ ଗ୍ରାମର ଦେବା ଗୋଛାୟତଙ୍କ ଝିଅ ମାଳତୀ (୧୧) ରୋଷେଇ କରୁଥିବା ବେଳେ ନିଆଁରେ ପୋଡ଼ିହୋଇ ଗୁରୁତର ଅବସ୍ଥାରେ ପ୍ରଥମେ ଖମାର ଓ ପରେ ଅନୁଗୋଳ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଏଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରଥିଲେ। ଶିଶୁଟିର ମୃତ୍ୟୁରେ ପରିବାର ଲୋକେ ମର୍ମାହତ ହୋଇପଡ଼ିଛନ୍ତି। ଖବର ପାଇ ଅନୁଗୋଳ ପୁଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave A Reply