ସରିଲା ଅଞ୍ଜଳି ଜାତୀୟ ଶିଶୁ-ଯୁବ ଉତ୍ସବ ; ଦିବ୍ୟାଙ୍ଗଙ୍କ ବିକାଶ ପାଇଁ ‘ଅଞ୍ଜଳି’ ପ୍ଲାଟଫର୍ମ: ରାଜ୍ୟପାଳ

ଉତ୍ତରଭୁବନେଶ୍ୱର : ସ୍ୱାଭିମାନ ପକ୍ଷରୁ ଗତ ୧୪ ତାରିଖରୁ ୧୮ତମ ଜାତୀୟ ଶିଶୁ-ଯୁବ ଉତ୍ସବ ଅଞ୍ଜଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ରବିିବାର ସନ୍ଧ୍ୟାରେ ଉଦ୍‍ଯାପିତ ହୋଇଛି। ମଞ୍ଚେଶ୍ୱର ରେଳ ଅଡ଼ିଟୋରିୟମରେ ଉଦ୍‍ଯାପନୀ ସନ୍ଧ୍ୟା ଏକ ଭିନ୍ନ ପରିବେଶରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗ ଦେଇ ଦିବ୍ୟାଙ୍ଗଙ୍କ ବିକାଶ ପାଇଁ ଏହି ସଂସ୍ଥା ଏକ ପ୍ଲାଟ୍‌ଫର୍ମ ହୋଇଛି ବୋଲି କହିଥିଲେ ସେ ୨୨ଜଣ ଦିବ୍ୟାଙ୍ଗ ପିଲାଙ୍କ ଶିକ୍ଷା କ୍ଷେତ୍ରରେ ବର୍ଷକ ପାଇଁ ୨ଲକ୍ଷ ୬୪ହଜାର ଟଙ୍କା ସଂସ୍ଥାକୁ ପ୍ରଦାନ ନିମନ୍ତେ ଘୋଷଣା କରିଥିଲେ। ମୁଖ୍ୟବକ୍ତା ଗୁରୁଜୀ ପରମହଂସ ପ୍ରଜ୍ଞାନନ୍ଦଜୀ ସ୍ୱାଭିମାନ ଓ ଅଞ୍ଜଳି ଡ. ଶ୍ରୁତି ମହାପାତ୍ରଙ୍କ ଦୁଇଟି ଡେଣା ବୋଲି କହିଥିଲେ। ଏଥିରେ ଭିନ୍ନକ୍ଷମ କମିସନ ଅଧ୍ୟକ୍ଷା ସୁଲୋଚନା ଦାସ, ନିବେଦିତା ସ୍କୁଡର, ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ଅନୁ ଚୌଧୁରୀ, ସଙ୍ଗୀତା ଗୋସାଇଁ ପ୍ରମୁଖ ଯୋଗ ଦେଇଥିବା ବେଳେ ଡ. ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ୪ ଦିନର କାର୍ଯ୍ୟକ୍ରମରେ ୯ଟି ରାଜ୍ୟର ୩୫୦ ପ୍ରତିଯୋଗୀ ଅଂଶଗ୍ରହଣ କରି ଦକ୍ଷତା ପ୍ରତିପାଦନ କରିଥିଲେ। କୃତୀ ପ୍ରତିଯୋଗୀ ସମେତ ବିଭିନ୍ନ ବିଭାଗରେ କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ବ୍ୟକ୍ତିବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା।
ଅଜିତ ମିର୍ଦ୍ଧା ଓ ରାଜଲକ୍ଷ୍ମୀ ବେହେରାଙ୍କୁ ଅଞ୍ଜଳି ମେଧାବୀ ସମ୍ମାନ ପ୍ରଦାନ କରାଯାଇଥିବାବେଳେ ମହମ୍ମଦ ଜଫର ଓ ଚୁମ୍‌କି ଦତ୍ତଙ୍କୁ ଅଞ୍ଜଳି ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷ ଦିବସରେ ରଥଯାତ୍ରା ମୁଖ୍ୟ ଆର୍କଷଣ ହୋଇଥିବା ବେଳେ ଡ୍ୟାନ୍ସ, ଚିତ୍ରକଳା ଓ ପରିକଳ୍ପନା ସଂକ୍ରାନ୍ତ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଚିତ୍ରକର ସତ୍ୟଭୂଷଣ ଓଝା, କେକେ ରଥ, ଡ. ପ୍ରତ୍ୟୁଷ ମିଶ୍ର ଓ ନେହା ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ଦିଲ୍ଲୀରୁ ଆସିଥିବା ଉଇ ଆର ୱାନ୍‌ ଡ୍ୟାନ୍ସ ଗ୍ରୁପ୍‌ର ହୁଇଲ ଚେୟାରରେ ଡ୍ୟାନ୍ସ ମସ୍ତଙ୍କୁ ଆର୍କଷିତ କରିଥିଲା।
କାର୍ଯ୍ୟକ୍ରମକୁ ଅସିତ୍‍ ବେହେରା, ମିହିର ମହାନ୍ତି, ଚିନ୍ମୟ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଜ୍ୟୋତିପ୍ରସନ୍ନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.