ରିଲାଏନ୍ସ କମ୍ୟୁନିକେଶନ୍ସ ଡାଇରେକ୍ଟର ପଦବୀରୁ ଅନୀଲ ଅମ୍ବାନୀଙ୍କ ଇସ୍ତଫା

ନୂଆଦିଲ୍ଲୀ: ଋଣଭାର ଯୋଗୁ ଦେବାଳିଆ ହୋଇପଡ଼ିଥିବା ରିଲାଏନ୍ସ କମ୍ୟୁନିକେଶନ୍ସର ନିର୍ଦେଶକ ପଦବୀରୁ ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀ ଇସ୍ତଫା ଦେଇଛନ୍ତି। ୨୦୦୬ରୁ ସେ ଏହି ପଦବୀରେ ରହିଆସିଥିଲେ। ଅନୀଲ ଅମ୍ବାନୀଙ୍କ ସହିତ ରିଲାଏନ୍ସର ଅନ୍ୟ ୪ ନିର୍ଦେଶକ ଛାୟା ବିରାନୀ, ରାଇନା କାରାନୀ, ମଞ୍ଜରୀ କାକେର ଏବଂ ସୁରେଶ ରଙ୍ଗାଚାର ମଧ୍ୟ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନୀ ପକ୍ଷରୁ ଏ ନେଇ ବିଏସଇକୁ ନୋଟିସ ମାଧ୍ୟମରେ ଅବଗତ କରାଯାଇଛି। କମ୍ପାନୀର କମିଟି ଅଫ କ୍ରେଡିଟର୍ସଙ୍କୁ ଇସ୍ତଫାପତ୍ର ପଠାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

୨୦୧୮ ମେ ୧୫ ଠାରୁ କମ୍ପାନୀ ଋଣଭାର ଯୋଗୁ ଦେବାଳିଆ ସ୍ଥିତିକୁ ଚାଲିଆସିଛି। କମ୍ପାନୀର ସ୍ପେକ୍ଟ୍ରମ ଏବଂ ଟାୱାର ସମେତ ବିଭିନ୍ନ ସମ୍ପତ୍ତିଗୁଡ଼ିକୁ ବିକ୍ରି ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାବେଳେ ଚଳିତବର୍ଷ ୨ୟ ତ୍ରୈମାସିକ ମଧ୍ୟରେ କମ୍ପାନୀର ୩୦ ହଜାର ୧୪୨ କୋଟି ଟଙ୍କା କ୍ଷତି ହୋଇଥିବା ଶୁକ୍ରବାର କୁହାଯାଇଛି। ଏହା ପରେ ଶନିବାର ଅନୀଲ ଅମ୍ବାନୀଙ୍କ ସମେତ ଅନ୍ୟ ୪ ନିର୍ଦେଶକ ଇସ୍ତଫା ଦେଇଥିବା ଜଣାପଡ଼ିଛି।

Comments are closed.