ହିଜ୍‍ବୁଲ କମାଣ୍ଡର ମନ୍ନାନ ୱାନି ନିହତ

0

ଶ୍ରୀନଗର : ଜାମ୍ମୁ କାଶ୍ମୀର କୁପୱାଡ଼ା ଜିଲାରେ ଗୁରୁବାର ସୁରକ୍ଷା ବାହିନୀଙ୍କ କାର୍ଯ୍ୟାନୁଷ୍ଠାନରେ ହିଜବୁଲର ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀ ମଧ୍ୟରୁ ଜଣେ ହିଜ୍‍ବୁଲ କମାଣ୍ଡର ମନ୍ନାନ ୱାନି ବୋଲି ଚିହ୍ନଟ କରାଯାଇଛି। ମୃତ ମନ୍ନାନ ୱାଡ଼ି ଆଲିଗଡ଼ ମୁସଲିମ୍‍ ବିଶ୍ୱବିଦ୍ୟାଳୟ (ଏଏମ୍‍ୟୁ)ର ଛାତ୍ର ଥିଲା ଓ ଚଳିତ ବର୍ଷ କେଉଁଆଡେ ନିଖୋଜ ହୋଇଯାଇଥିଲା। ପରେ ସେ ଆତଙ୍କବାଦୀ ସଂଗଠନ ହିଜ୍‍ବୁଲ ମୁଜାହିଦିନରେ ଯୋଗ ଦେଇଥିବା ଜାଣିବାକୁ ମିଳିଥିଲା। ଫଳରେ ଏଏମ୍‍ୟୁ ମନ୍ନାନକୁ ବହିଷ୍କାର କରିଥିଲା। ସୂଚନା ଅନୁସାରେ ହନ୍ଦୱାଡ଼ାର ଶାଟଗୁଣ୍ଡ ଅଞ୍ଚଳରେ ସେନାର ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସିଆରପିଏଫର ମିଳିତ ଅଭିଯାନରେ ଦୁଇ ହିଜ୍‍ବୁଲ ଆତଙ୍କବାଦୀ ନିହତ ହୋଇଛନ୍ତି। ମନ୍ନାନ ୱାନିଙ୍କ ପାଇଁ ଟେଲିଗ୍ରାମ ଚ୍ୟାନେଲରେ ଏକ ବାର୍ତ୍ତା ଜାରି କରାଯାଇଛି। ଏଥିରେ ଡକ୍ଟର ୱାନି ସହିଦ୍‍ ହୋଇଛନ୍ତି ଓ ଆଲ୍ଲା ତାଙ୍କୁ ସ୍ୱର୍ଗରେ ସ୍ଥାନ ଦିଅନ୍ତୁ ବୋଲି ଲେଖାଯାଇଛି।
ପ୍ରକାଶଯୋଗ୍ୟ ଯେ ମନ୍ନାନ ୱାନି ଚଳିତ ବର୍ଷ ଆରମ୍ଭରେ ଏଏମ୍‍ୟୁରେ ପିଏଚ୍‍ଡ଼ି ପାଠ୍ୟକ୍ରମ ଛାଡ଼ି ହିଜବୁଲ ମୁଜାହିଦିନ୍‍ରେ ଯୋଗ ଦେଇଥିଲା। ହିଜ୍‍ବୁଲ୍‍ ତାଙ୍କୁ କୁପୱାଡ଼ାର କମାଣ୍ଡର ଭାର ଦେଇଥିଲା। ଗତ ମାସରେ ସେନା ପକ୍ଷରୁ ଜାରି ମୋଷ୍ଟ ୱାଣ୍ଟେଡ୍‍ ଆତଙ୍କବାଦୀ ତାଲିକାରେ ମନ୍ନାନ ୱାନି ନାମକୁ ଅନ୍ତର୍ଭୁକ୍ତ କରାଯାଇଥିଲା।

Leave A Reply