ଏଏମ୍‍ୟୁ ହଷ୍ଟେଲ ଅନ୍ତେବାସୀଙ୍କୁ ଛୋଟ ପୋଷାକ, ସ୍ଲିପର ମନା

0

ନୂଆଦିଲ୍ଲୀ : ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ(ଏଏମ୍‍ୟୁ) ଛାତ୍ରଙ୍କ ପ୍ରତି ‘ମୌଳିକ ପରମ୍ପରା’ ଆଧାରରେ ପ୍ରଶାସନ ପକ୍ଷରୁ କେତେକ ମାର୍ଗଦର୍ଶିକା ଜାରି କରାଯାଇଛି। ବିଶ୍ୱବିଦ୍ୟାଳୟର ସାର୍‍ ଶାହା ସୁଲେମାନ ହଲ୍‍ ଛାତ୍ରାବାସରେ ରହୁଥିବା ଅନ୍ତେବାସୀମାନେ ଏଣିକି ଛୋଟ ପୋଷାକ କିମ୍ବା ସ୍ଲିପର ଚପଲ ପିନ୍ଧି କୋଠରିରୁ ବାହାରି ପାରିବେ ନାହିଁ। ସେହିଭଳି କୁର୍ତ୍ତା ବଦଳରେ କେବଳ ସେର୍‍ୱାନି ବ୍ୟବହାର କରିବାକୁ କୁହାଯାଇଛି। ଉତ୍ସବାନୁଷ୍ଠାନରେ କଳା ସେର୍‍ୱାନି ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ନବାଗତମାନଙ୍କ ଚାଲିଚଳଣି ଅନ୍ତେବାସୀଙ୍କ ଜୀବନକୁ ପ୍ରଭାବିତ କରୁଥିବାରୁ ଏଭଳି ନିର୍ଦେଶନାମା ଜାରି କରାଯାଇଛି। ଛାତ୍ରାବାସ ବାହାରକୁ ବାହାରିଲେ ମାର୍ଜିତ ପୋଷାକ ପରିଧାନ କରିବାକୁ କୁହାଯାଇଛି। କୁର୍ତ୍ତା ପାଇଜାମା ପିନ୍ଧି ସର୍ବସାଧାରଣ ଗୃହ, ଖାଇବା ଗୃହ କିମ୍ବା ପାଠାଗାରକୁ ଯିବା ପାଇଁ ମନା କରାଯାଇଛି। ଖାଦ୍ୟ ପରଷୁଥିବା ବ୍ୟକ୍ତିଙ୍କୁ ମିଆଁ ବା ଭାଇ ସମ୍ବୋଧନ କରିବା ସହ ଅନ୍ୟ ଅନ୍ତେବାସୀଙ୍କୁ ‘ପାର୍ଟନର’ ବୋଲି କହିବାକୁ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି। ସାର୍‍ ଶାହା ସୁଲେମାନ ହଲ୍‍ ହେଉଛି ବିଶ୍ୱବିଦ୍ୟାଳୟର ସବୁଠୁ ପୁରୁଣା ଛାତ୍ରାବାସ। ଏଠାରେ ୬୫୦ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରଙ୍କ ସହ ଉପାଧ୍ୟୁତ୍ତର ଛାତ୍ରଛାତ୍ରୀ ରହିଥାନ୍ତି।

Leave A Reply