ଅମିତ ଶାହାଙ୍କ ‘ଏକ ଦେଶ ଏକ ଭାଷା’ ମନ୍ତବ୍ୟକୁ ନେଇ ତେଜିଲା ବିବାଦ

0

ନୂଆଦିଲ୍ଲୀ : ହିନ୍ଦୀ ଦିବସ ଅବସରରେ ଶନିବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ‘ଏକ ଦେଶ ଏକ ଭାଷା’ ମନ୍ତବ୍ୟକୁ ନେଇ ବିବାଦ ଆରମ୍ଭ ହୋଇଛି। ଶାହା ବିଶ୍ୱରେ ଭାରତର ପରିଚୟ ସୃଷ୍ଟି କରିବା ପାଇଁ ଭାଷା ରୂପରେ ହିନ୍ଦୀର ବ୍ୟବହାର କରିବା ପାଇଁ କହିଥିଲେ। ଏହାକୁ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ତୀବ୍ର ବିରୋଧ କରାଯାଇଛି।

ଶାହା ନିଜ ଅଭିଭାଷଣରେ କହିଥିଲେ ଯେ ପୂରା ଦେଶର ଗୋଟିଏ ଭାଷା ରହିବା ଅତ୍ୟନ୍ତ ଆବଶ୍ୟକ। ଏହା ବିଶ୍ୱରେ ଭାରତର ଏକ ପରିଚୟ ସୃଷ୍ଟି କରିବ। ହିନ୍ଦୀ ଭାଷା ସାରା ଭାରତକୁ ଏକତାର ସୂତ୍ରରେ ବାନ୍ଧିପାରିବ। ଅମିତ ଶାହାଙ୍କ ଏହି ମନ୍ତବ୍ୟକୁ ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦୀନ ଓୱେସି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀ, ଡିଏମକେ ମୁଖ୍ୟ ଷ୍ଟାଲିନ ସମେତ ଅନ୍ୟ କେତେକ ନେତା ତୀବ୍ର ବିରୋଧ କରିଛନ୍ତି। ଓୱେସି ଏହାକୁ ସାମ୍ପ୍ରଦାୟିକ ରଙ୍ଗ ଦେଇ ଟ୍ୱିଟ୍‍ କରିଛନ୍ତି ଯେ ହିନ୍ଦୀ ପ୍ରତି ଭାରତୀୟର ଭାଷା ନୁହେଁ। ଧାରା ୨୯ ସବୁ ଭାରତୀୟଙ୍କୁ ଭିନ୍ନା ଭାଷା ଓ ସଂସ୍କୃତିର ଅଧିକାର ଦେଉଛି। ଭାରତ ହିନ୍ଦୀ, ହିନ୍ଦୁ ଏବଂ ହିନ୍ଦୁତ୍ୱଠାରୁ ବି ବଡ଼।
ସେହିପରି ମମତା ବାନାର୍ଜୀ ଟ୍ୱିଟ୍‍ କରି ହିନ୍ଦୀ ଭାଷା ଦିବସର ଅଭିନନ୍ଦନ ଜଣାଇଛନ୍ତି। ସେ ନିଜ ଟ୍ୱିଟରେ ଲେଖିଛନ୍ତି ଯେ ଆମକୁ ସବୁ ଭାଷା ଏବଂ ସଂସ୍କୃତିକୁ ସମାନ ରୂପରେ ସମ୍ମାନ ଦେବା ଉଚିତ। ଆମେ ଅନେକ ଭାଷା ଶିଖିପାରିବୁ, କିନ୍ତୁ ନିଜ ମାତୃଭାଷାକୁ କେବେବି ଭୁଲିବୁ ନାହିଁ। ଡିଏମକେ ଅଧ୍ୟକ୍ଷ ଏମକେ ଷ୍ଟାଲିନ ଅମିତ ଶାହାଙ୍କୁ ବିରୋଧ କରିବା ସହ ମନ୍ତବ୍ୟ ଫେରାଇନେବାକୁ କହିଛନ୍ତି। ଏଭଳି ମନ୍ତବ୍ୟ ଦେଶର ଏକତାକୁ ପ୍ରଭାବିତ କରିବ ବୋଲି ସେ କହିଛନ୍ତି।

Leave A Reply