ଭୁବନେଶ୍ବରରେ କୋର୍ଟମିତ୍ର ରଞ୍ଜିତ କୁମାର

0

ଭୁବନେଶ୍ବର : ଶ୍ରୀମନ୍ଦିରର ସଂସ୍କାର ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କୋର୍ଟମିତ୍ର (ଆମିକସ୍ କ୍ୟୁରି) ରଞ୍ଜିତ କୁମାର ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଶୁକ୍ରବାର ଭୁବନେଶ୍ବରରେ ପହଞ୍ଚିଛନ୍ତି।

ଶନିବାର ପୁରୀରେ ଶ୍ରୀମନ୍ଦିରର ସଂସ୍କାର ପ୍ରସଙ୍ଗକୁ ନେଇ ସେ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ କୋର୍ଟମିତ୍ର ୫ଟି ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରିବେ ବୋଲି ଜଣାପଡିଛି । ବିଶେଷ କରି ସିସିଟିଭି କେଉଁ ସ୍ଥାନରେ ଲାଗିଛି ଓ ଏହାର କାର୍ଯ୍ୟ, ଧାଡି ଦର୍ଶନ ବ୍ୟବସ୍ଥା, ମନ୍ଦିରର ସ୍ବଚ୍ଛତା ତଥା ପରିମଳର ସୁବ୍ୟବସ୍ଥା, ଭକ୍ତମାନଙ୍କ ଭିଡକୁ ନିୟନ୍ତ୍ରଣ ବ୍ୟବସ୍ଥା ଆଦି ଉପରେ ସେ ଅନୁଧ୍ୟାନ କରିବେ । ଏହା ସହ ସେବାୟତମାନଙ୍କ ସମସ୍ୟା ଓ ପରିଚୟ ପତ୍ର ପ୍ରସଙ୍ଗରେ ମଧ୍ୟ କୋର୍ଟମିତ୍ର ଆଲୋଚନା କରିବେ । ଭକ୍ତଙ୍କଠାରୁ ଦାନ ଦକ୍ଷିଣା ଆଦାୟ ବନ୍ଦ, ଅନ୍ନଦାନ ଅଟିକା ଓ ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ ଆଦି ପ୍ରସ୍ତାବ ଉପରେ ନିଯୋଗର ଅସହମତି ରହିଥିବାରୁ କୋର୍ଟମିତ୍ର ଏ ନେଇ ସେବାୟତମାନଙ୍କ ସହିତ ଆଲୋଚନା କରିପାରନ୍ତି ।

ଏତତ୍ ବ୍ୟତୀତ ଅକ୍ଟୋବର ୩ରେ ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ପୁରୀରେ ଘଟିଥିବା ହିଂସାକଣ୍ଡ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବେ । ପୂର୍ବରୁ ଆମିକସ୍ କ୍ୟୁରିଙ୍କ ସହଯୋଗୀ ପ୍ରିୟା ହିଙ୍ଗୋରାନୀ ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସକ ଓ ସେବକଙ୍କ ସହ ଆଲୋଚନା କରି ସାରିଛନ୍ତି ।

Pic. Courtesy : Live Law.in

ସୂଚନା ଯୋଗ୍ୟ ପୂର୍ବତନ କୋର୍ଟମିତ୍ର ଗୋପାଳ ସୁର୍ବମଣ୍ୟମ୍ ସ୍ବାସ୍ଥ୍ୟଗତ କାରଣରୁ ଏହି ସଂସ୍କାର ପ୍ରକ୍ରିୟାରୁ ଓହରିଯିବାରୁ ଜାନୁଆରୀ ୯ ତାରିଖରେ ପୂର୍ବତନ ସଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ ସୁପ୍ରିମକୋର୍ଟ କୋର୍ଟମିତ୍ର ଭାବେ ନିଯୁକ୍ତ କରିଥିଲେ।

Leave A Reply