ୱାଶିଂଟନ୍‍-ସିଓଲ ମିଳିତ ସାମରିକ ଅଭ୍ୟାସକୁ ଉତ୍ତର କୋରିଆର ବିରୋଧ

0

ସିଓଲ୍‍ : ଦୀର୍ଘ ଦିନର ଶତ୍ରୁତା ଭୁଲି ଦକ୍ଷିଣ କୋରିଆ ସହିତ ବନ୍ଧୁତ୍ୱର ହାତ ମିଳାଇଥିବା ଉତ୍ତର କୋରିଆ ୱାଶିଂଟନ୍‍ ଓ ସିଓଲ ମଧ୍ୟରେ ମିଳିତ ସମରାଭ୍ୟାସକୁ ନେଇ ଏବେ ସାମାନ୍ୟ କ୍ଷୁବ୍ଧ ହୋଇପଡିଛି। ଆକ୍ରମଣ ଉଦ୍ଦେଶ୍ୟ ରଖି ଏଭଳି ଅଭ୍ୟାସ କରାଯାଉଥିବା ଉତ୍ତର କୋରିଆ ବାରମ୍ବାର ଅଭିଯୋଗ କରିଆସୁଥିବା ବେଳେ ଦକ୍ଷିଣ କୋରିଆ ଏବଂ ଆମେରିକା ଏଥିପ୍ରତି ଦୃଷ୍ଟି ନ ଦେଇ ମିଳିତ ସମରାଭ୍ୟାସ ଜାରି ରଖିଛନ୍ତି। ଏହାର ପ୍ରତିବାଦରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ ସ୍ୱରୂପ ଉତ୍ତର କୋରିଆ ବୁଧବାର ଦକ୍ଷିଣ କୋରିଆ ସହିତ ଏହାର ଉଚ୍ଚସ୍ତରୀୟ ବୈଠକ ବାତିଲ କରିଦେଇଛି। ଏହି ସମରାଭ୍ୟାସ ଯଦି ଆଗକୁ ଜାରି ରହେ ତା’ହେଲେ ଆଗାମୀ ଦିନରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆ ମୁଖ୍ୟ କିମ୍‍ ଜଙ୍ଗ ଉନ୍‍ଙ୍କ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀକୁ ମଧ୍ୟ ରଦ୍ଦ କରାଯିବ ବୋଲି ଉତ୍ତର କୋରିଆ ସରକାର ଧମକ ଦେଇଥିବା ଦେଶର ସରକାରୀ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି। ବୁଧବାର ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ସୀମାନ୍ତବର୍ତ୍ତୀ ଏକ ଗ୍ରାମରେ ଦୁଇ ଦେଶର ଅଧିକାରୀ ଏକ ବୈଠକରେ ଯୋଗଦେଇ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ କିଛି ଦିନ ପୂର୍ବେ ଅନୁଷ୍ଠିତ ରାଜିନାମାଗୁଡିକୁ କିଭଳି କାର୍ଯ୍ୟକାରୀ କରାଯିବ ତତ୍‍ସମ୍ପର୍କିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଏହି ବୈଠକର ଠିକ୍‍ ପୂର୍ବରୁ ଉତ୍ତର କୋରିଆ ପକ୍ଷରୁ ବୈଠକ ବାତିଲ ଘୋଷଣା କରାଯାଇଥିଲା।

Leave A Reply