୯ ଆମେରିକୀୟ ରାଷ୍ଟ୍ରପତିଙ୍କ ପରେ ସଫଳ ହେଲେ ଟ୍ରମ୍ପ

0

ସିଙ୍ଗାପୁର: ବହୁ ପ୍ରତୀକ୍ଷିତ ଆମେରିକା-ଉତ୍ତର କୋରିଆ ମଧ୍ୟରେ ଐତିହାସିକ ଶିଖର ବୈଠକ ସମ୍ପନ୍ନ ହୋଇଛି। ବହୁ ବାଦବିବାଦ ଓ ଅନିଶ୍ଚିତତା ଭିତରେ ଅନୁଷ୍ଠିତ ଏହବ ବୈଠକ ସଫଳ ହୋଇଥିବା ଦୁଇ ରାଷ୍ଟ୍ରମୁଖ୍ୟ ଘୋଷଣା କରିଛନ୍ତି। ଏଥିପାଇଁ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‍ ଜୋଙ୍ଗ ଉନ୍‍ କହିଛନ୍ତି। ଏକଦା ଏହି ପ୍ରସ୍ତାବିତ ବୈଠକରୁ ଦୁଇ ଦେଶ ମୁହଁ ଫେରାଇ ନେଇଥିଲେ ହେଁ ସମସ୍ତ ମତଭେଦ ଭୁଲି ପୁଣି ଏକାଠୀ ହେବା ବିଶ୍ୱ ଶାନ୍ତି ସହାବସ୍ଥାନ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି।
ଉଲ୍ଲେଖନୀୟ ହେଲା ଏହି ବୈଠକ ସଫଳ ହେବା ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଏକ ନୂଆ ଇତିହାସ ରଚନା କରିଛନ୍ତି। ପୂର୍ବରୁ ଉତ୍ତର କୋରିଆ ସହିତ ଶାନ୍ତି ଆଲୋଚନା ପ୍ରୟାସରେ ଆମେରିକାର୯ ଜଣ ପୂର୍ବତନ ରାଷ୍ଟ୍ରପତି ବିଫଳ ହୋଇଥିବା ବେଳେ ଟ୍ରମ୍ପ ଉତ୍ତର କୋରିଆକୁ ମନାଇବାରେ ସଫଳ ହୋଇ ଏକ ମାଇଲଖୁଣ୍ଟ ସ୍ଥାପନା କରିଛନ୍ତି।
ଉତ୍ତର କୋରିଆ ଓ ଆମେରିକା ମଧ୍ୟରେ ବିବାଦ ଓ ଉତ୍ତେଜନା ବହୁ ପୁରୁଣା। ଉତ୍ତର କୋରିଆକୁ ଆଣବିକ ନିରସ୍ତ୍ରୀକରଣ କରିବା ପାଇଁ ବିଶ୍ୱର କେତେକ ରାଷ୍ଟ୍ର ଉଦ୍ୟମ କରି ଆସୁଥିବା ବେଳେ ଆମେରିକା ଏଥିରେ ମୁଖ୍ୟ ଭୂମିକା ନେଇଥିଲା। ଅପରପକ୍ଷରେ ସମ୍ପୂ୍‍ର୍ଣ୍ଣ ଆଣବିକ ନିରସ୍ତ୍ରୀକରଣ ବଦଳରେ ଉତ୍ତର କୋରିଆ ସମ୍ପୂର୍ଣ୍ଣ ସୁରକ୍ଷା ଓ ନିରାପତ୍ତା ପାଇଁ କେତେକ କଠୋର ସର୍ତ୍ତ ରଖୁଥିବାରୁ ଶାନ୍ତି ଆଲୋଚନା ସଫଳ ହୋଇପାରୁ ନ ଥିବା କୁହାଯାଉଛି। ଉତ୍ତର କୋରିଆ ଭୂଖଣ୍ଡରେ ଶାନ୍ତି ପ୍ରତିଷ୍ଠା ଓ ଆଣବିକ ନିରସ୍ତ୍ରୀକରଣ ପାଇଁ ୧୯୫୪ ମସିହାରୁ ଉଦ୍ୟମ ଆରମ୍ଭ ହୋଇଛି। ଆମେରିକା ପକ୍ଷରୁ ପ୍ରଥମ ଉଦ୍ୟମ ଆରମ୍ଭ ହୋଇଥିଲା ୧୯୬୦ ଦଶକରେ।

ଜନ୍‍ ଏଫ୍‍ କେନେଡି/ ଲିଣ୍ଡନ୍‍ ବି ଜନ୍‍ସନ୍‍:

ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜନ୍‍ ଏଫ୍‍ କେନେଡି ଓ ଲିଣ୍ଡନ୍‍ ବି ଜନ୍‍ସନ୍‍ ଉତ୍ତର କୋରିଆ ସହିତ ଶାନ୍ତି ଓ ସହାବସ୍ଥାନ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ୧୯୬୮ରେ ଆମେରିକା ନୌବାହିନୀର ଏକ ଯୁଦ୍ଧପୋତକୁ ଉତ୍ତର କୋରିଆ କବ୍‍ଜା କରିଥିଲା। ପୁଣି ୧୯୬୯ରେ ଆମେରିକାର ଏକ ମିଗ୍‍ ୨୧ ଗୁଇନ୍ଦା ବିମାନକୁ ଜାପାନ୍‍ ସାଗର ଉପରେ ଉତ୍ତର କୋରିଆ ଗୁଳି କରି ଖସାଇ ଦେଇଥିଲା। ଏଥିରେ ୩୧ ଜଣ ଆମେରିକାର କର୍ମଚାରୀ ନିହତ ହୋଇଥିଲେ। ଏହାପରେ ଉତ୍ତର କୋରିଆ ସହିତ କୋହଳ ଆଭିମୁଖ୍ୟକୁ ଆମେରିକା ପ୍ରତ୍ୟାହାର କରି ନେଇଥିଲା।

ରିଚାର୍ଡ ନିକ୍ସନ୍‍/ଗେରାଲ୍ଡ ଫୋର୍ଡ:

କୋରିଆ ଭୂଖଣ୍ଡରେ ଶାନ୍ତି ପ୍ରତିଷ୍ଠା ଓ ଯୁଦ୍ଧବିରତି ପାଇଁ ଉତ୍ତର କୋରିଆ ପକ୍ଷରୁ ୧୯୭୪ରେ ଆମେରିକା ପ୍ରଶାସନକୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ରିଚାର୍ଡ ନିକ୍ସନ୍‍ ଓ ଗେରାଲ୍ଡ ଫୋର୍ଡ ଏ ଦିଗରେ କୌଣସି ପଦକ୍ଷେପ ନେଇ ନଥିଲେ।
କିମି କାର୍ଟର: ଉତ୍ତର କୋରିଆର ତତ୍କାଳୀନ ରାଷ୍ଟ୍ରପତି କିମ୍‍ ଦ୍ୱିତୀୟ ଶାନ୍ତି ଚୁକ୍ତି ପାଇଁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜିମି କାର୍ଟରଙ୍କୁ ପ୍ରସ୍ତାବ ଦେଇଥିଲେ। ଉତ୍ତର କୋରିଆରୁ ଆମେରିକାର ସେନା ପ୍ରତ୍ୟାହାର ପାଇଁ କାର୍ଟର ଚାହୁଁଥିଲେ ମଧ୍ୟ ପେଣ୍ଟାଗନ୍‍ର ବିରୋଧ ଯୋଗୁଁ ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ତେଣୁ ସେତେବେଳେ ମଧ୍ୟ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇପାରିନ ଥିଲା।

ରୋନାଲ୍ଡ ରେଗାନ୍‍:

୧୯୮୧ରେ ଉତ୍ତର କୋରିଆ ପକ୍ଷରୁ ରୋନାଲ୍ଡ ରେଗାନ୍‍ ଶାନ୍ତି ଚୁକ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହିତ କୋରିଆ ଭୂଖଣ୍ଡରେ ଅଧିକ ସେନା ମୁତୟନ ପାଇଁ ନିର୍ଦେଶ ଦେଇଥିଲେ।

ଜର୍ଜ ବୁଶ୍‍:

ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ଜଜ୍‍ର୍ ବୁଶ୍‍ ଉତ୍ତର କୋରିଆ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିଥିଲେ ହେଁ ଶାନ୍ତି ଚୁକ୍ତି ପାଇଁ ପ୍ରୟାସ କରି ନ ଥିଲେ।

ବିଲ୍‍ କ୍ଲିଣ୍ଟନ୍‍:

୧୯୯୩ରୁ ୨୦୦୧ ମଧ୍ୟରେ ଉତ୍ତର କୋରିଆ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବା ପାଇଁ କ୍ଲିଣ୍ଟନ୍‍ ଚେଷ୍ଟା କରିଥିଲେ। ୧୯୯୪ରେ ସେ ଏ ଦିଗରେ ଉଦ୍ୟମ ଆରମ୍ଭ କରିଥିଲେ। ୨୦୦୦ ମସିହାରୁ ୱାଶିଂଟନ୍‍ ଓ ପ୍ୟୋଙ୍ଗୟାଙ୍ଗ ମଧ୍ୟରେ ଶାନ୍ତି ଚୁକ୍ତି ଦିଗରେ କିଛିଟା ଆଖିଦୃଶିଆ ପଦକ୍ଷେପ ନିଆଯାଇଥିଲେ ହେଁ କ୍ଲିଣ୍ଟନ୍‍ଙ୍କ କାର୍ଯ୍ୟକାଳ ସମାପ୍ତ ହେବା ସହିତ ଏହି ଉଦ୍ୟମରେ ପୂର୍ଣ୍ଣଛେଦ ପଡ଼ିଥିଲା।

ଜଜ୍‍ ବୁଶ୍‍(୨):

କ୍ଲିଣ୍ଟନ୍‍ଙ୍କ ପରେ ରାଷ୍ଟ୍ରପତି ଭାର ସମ୍ଭାଳିଥିବା ଜଜ୍‍ ବୁଶ୍‍(ଦ୍ୱିତୀୟ) ନୂଆ ବୈଦେଶିକ ନୀତିରେ ଉତ୍ତର କୋରିଆ ବିରୋଧରେ କଠୋର ଆଭିମୁଖ୍ୟ ପୋଷଣ କରିଥିଲେ। ଏଥିଯୋଗୁଁ ଆଣବିକ ଅସ୍ତ୍ର ନିରୋଧ ଚୁକ୍ତିରୁ ଉତ୍ତର କୋରିଆ ୨୦୦୩ରେ ଓହରି ଆସିବା ପରେ ଶାନ୍ତି ଚୁକ୍ତି ଆଶା ମଉଳି ଯାଇଥିଲା।

ବାରାକ୍‍ ଓବାମା:

୨୦୦୯ରେ ବାରାକ୍‍ ଓବାମା ଆମେରିକାର ରାଷ୍ଟ୍ରପତି ହେବା ପରେ ଏ ଦିଗରେ ସେତେଟା ଉଲ୍ଲେଖନୀୟ ପଦକ୍ଷେପ ନେଇ ନଥିଲେ। କେବଳ କେତେକ କଟକଣା ଜାରି କରି ସମୟକୁ ଅପେକ୍ଷା କରି ଥିଲେ।

Leave A Reply