ସମ୍ବିଧାନ ନିର୍ମାତା ଡ. ଆମ୍ବେଦକରଙ୍କ ୧୨୭ତମ ଜୟନ୍ତୀ

0

ନୂଆଦିଲ୍ଲୀ : ଅପ୍ରେଲ ୧୪ରେ ଭାରତର ସମ୍ବିଧାନ ନିର୍ମାତା ଡ. ବି.ଆର ଆମ୍ବେଦକରଙ୍କ ୧୨୭ ତମ ଜୟନ୍ତୀ ଦେଶ ବ୍ୟାପୀ ପାଳନ ହେବ। ବାବାସାହବ ଆମ୍ବେଦକର ନାମରେ ପ୍ରସିଦ୍ଧ ଡ. ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ କିଛି ଜଣା ଓ ଅଜଣା କଥା ଏଠି ଉପସ୍ଥାପନ କରାଗଲା ।

ସ୍ୱାଧୀନ ଭାରତର ନୂତନ ସମ୍ବିଧାନ ପ୍ରଣୟନ ପାଇଁ ସର୍ବସମ୍ମତି କ୍ରମେ ଡ. ଆମ୍ବେଦକରଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା। ସମ୍ବିଧାନ ନିର୍ମାଣର ସମସ୍ତ ଚିନ୍ତାନାୟକ ସଦଦ୍ୟମାନେ ତାଙ୍କୁ ଆତ୍ମୀୟତାର ସହ ସହଯୋଗ କରିଥିଲେ। ୧୯୪୭ ଏପ୍ରିଲ୍ ୨୯ ତାରିଖରେ ଭାରତର ସମ୍ବିଧାନ ପରାମର୍ଶଦାତା ପରିଷଦରେ ଲୌହମାନବ ସର୍ଦାର ବଲ୍ଲଭଭାଇ ପଟେଲ ଘୋଷଣା କରିଥିଲେ ଯେ ସମଗ୍ର ଭାରତବର୍ଷ ମଧ୍ୟରେ ଅସ୍ପୃଶ୍ୟତାକୁ ବିଲୋପ କରାଗଲା ଏବଂ ଯଦି କୌଣସି ପ୍ରକାରରେ ଏହାକୁ କେହି ବଳପୂର୍ବକ ଲାଗୁ କରିବେ ତେବେ ସେ ଦଣ୍ଡନୀୟ ହେବେ। ଡ. ଆମ୍ବେଦକର ଦୀର୍ଘ ଦୁଇ ଦଶକ ଧରି ଏହି ଆଇନ ପାଇଁ ସମାଜରେ ଯେଉଁ ସଂଘର୍ଷ କରୁଥିଲେ ତା’ର ବିଜୟ ହେଲା।
୧୯୪୮ ମସିହା ନଭେମ୍ବର ୪ ତାରିଖରେ ଡ. ଆମ୍ବେଦକର ସମ୍ବିଧାନ ସଭାରେ ସମ୍ବିଧାନର ନକଲ ଚିଠା ଉପସ୍ଥାପନ କରିଥିଲେ। ସେ କହିଥିଲେ – ୧୯୩୫ର ଭାରତ ଶାସନ ଧାରାଗୁଡ଼ିକର କେତେକ ଶ୍ରେଷ୍ଠ ଅଂଶ ଏହି ନୂତନ ସମ୍ବିଧାନରେ ସାମିଲ କରାଯାଇଛି। ଏଥିରେ ଆବଶ୍ୟକ ସୁଧାର ପାଇଁ ସମସ୍ତେ ଉପଯୁକ୍ତ ପ୍ରସ୍ତାବ ଦେଇପାରିବେ। ଶାନ୍ତି ସମୟରେ କିମ୍ବା ଯୁଦ୍ଧ ସମୟରେ, ସମଗ୍ର ଦେଶକୁ ଏକସୂତ୍ରରେ ବାନ୍ଧି ରଖିବାର ସମସ୍ତ ଶକ୍ତି ଏହି ସମ୍ବିଧାନରେ ନିହିତ ଅଛି। ୧୯୪୯ ନଭେମ୍ବର ୨୫ରେ ସମ୍ବିଧାନ ସଭାରେ ସେ ଯେଉଁ ଭାଷଣ ପ୍ରଦାନ କରିଥିଲେ ତାହା ଅତ୍ୟନ୍ତ ଉଚ୍ଚକୋଟୀର ଥିଲା ଏବଂ ଭାରତର ଏକତା ଓ ଅଖଣ୍ଡତା ସମ୍ବନ୍ଧରେ ତାଙ୍କର ଯେଉଁ ସ୍ୱପ୍ନ ଥିଲା ତାହା ଚରିତାର୍ଥ କରାଗଲା ବୋଲି ଉଲ୍ଲେଖ କରିଥିଲେ। ପରଦିନ ନଭେମ୍ବର ୨୬ ତାରିଖ ୩୯୫ ଧାରା ବିଶିଷ୍ଟ ୮ ପରିଶିଷ୍ଟ ସହିତ ଭାରତର ସମ୍ବିଧାନକୁ ଡ. ରାଜେନ୍ଦ୍ର ପ୍ରସାଦଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ସଭା ସ୍ୱୀକୃତି ପ୍ରଦାନ କଲା। ଦୀର୍ଘ ତିନିବର୍ଷର ଅଖଣ୍ଡ ପ୍ରଚେଷ୍ଟା କ୍ରିୟାନ୍ୱୟନ ହେବା ଦେଖି ଡ. ଆମ୍ବେଦକର ଆତ୍ମତୃପ୍ତି ଲାଭ କରିଥିଲେ। ଭାରତର ସମ୍ବିଧାନ ୧୯୪୮ ନଭେମ୍ବର ୨୬ରେ ସର୍ବସମ୍ମତିକ୍ରମେ ସ୍ୱୀକୃତ ହୋଇଥିଲା। ସମ୍ବିଧାନ ନିର୍ମାଣ ସମୟରେ ଓ ପରେ ଡ. ଆମ୍ବେଦକର କେନ୍ଦ୍ର ଆଇନମନ୍ତ୍ରୀ ଥିଲେ। ସେ ସଂସଦରେ ‘ହିନ୍ଦୁ କୋଡ୍‌ ବିଲ’ ଉପସ୍ଥାପନ କରିଥିଲେ।

Leave A Reply