୧୩୮ଟି ପଞ୍ଚାୟତ ପାଇଁ ୧୨୧୪ ପ୍ରକଳ୍ପ ମଞ୍ଜୁର

0

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଚାରିଟି ବ୍ଲକର ୧୩୮ଟି ପଞ୍ଚାୟତ ପାଇଁ ୧୨୧୪ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ସଂପୃକ୍ତ ଅଞ୍ଚଳର ଜନସାଧାରଣ ଓ ପଞ୍ଚାୟତ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ୩୦.୭୨ କୋଟି ଟଙ୍କାର ଏହି ସମସ୍ତ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବରଗଡ଼ ଜିଲା ସୋହେଲା ବ୍ଲକର ୨୭ଟି ପଞ୍ଚାୟତ ପାଇଁ ୬.୫୦କୋଟି ଟଙ୍କାର ୨୭୧ଟି ପ୍ରକଳ୍ପ, କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକର ୪୧ଟି ପଞ୍ଚାୟତ ପାଇଁ ୮.୭୫କୋଟି ଟଙ୍କାର ୪୪୪ଟି ପ୍ରକଳ୍ପ, ଯାଜପୁର ଜିଲା ଧର୍ମଶାଳା ବ୍ଲକର ୪୫ଟି ପଞ୍ଚାୟତ ପାଇଁ ୯.୨୨କୋଟି ଟଙ୍କାର ୩୦୪ଟି ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକର ୨୫ଟି ପଞ୍ଚାୟତ ପାଇଁ ୬.୨୫ କୋଟି ଟଙ୍କାର ୧୯୫ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି।
ପ୍ରକଳ୍ପଗୁଡ଼ିକୁ ମିଳିମିଶି ସମ୍ପୂର୍ଣ୍ଣ କରିବା ପାଇଁ ସେ ସଂପୃକ୍ତ ଅଞ୍ଚଳର ଜନସାଧାରଣ ଓ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପଗୁଡ଼ିକ ପାଇଁ ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣ ସେମାନଙ୍କର ଖୁସିବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply