ଉତ୍ତରପ୍ରଦେଶରେ ସପା-ବିଏସ୍‍ପି ମେଣ୍ଟ

0

ଲକ୍ଷ୍ନୌ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ ଚୂଡ଼ାନ୍ତ ହୋଇଛି। ବିଜେପି ବିରୋଧରେ ମହାସଂଗ୍ରାମ ପାଇଁ ୨୫ ବର୍ଷ ପରେ ପୁଣି ଦୁଇ ଦଳ ଏକାଠୀ ହୋଇଛନ୍ତି। ମେଣ୍ଟରୁ କଂଗ୍ରେସ ବାଦ୍‍ ପଡ଼ିଛି। ୮୦ ଆସନ ବିଶିଷ୍ଟ ଲୋକସଭା ଆସନରୁ ଉଭୟ ଦଳ ୩୮ଟି ଲେଖାଏଁ ଆସନରେ ଲଢ଼ିବେ। ୨ଟି ଆସନ କଂଗ୍ରେସ ପାଇଁ ଛାଡ଼ି ଦିଆଯାଇଥିବାବେଳେ ଅନ୍ୟ ଦୁଇଟି ଆସନ ସହଯୋଗୀଙ୍କ ପାଇଁ ଖୋଲା ରଖାଯାଇଛି। ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମାୟାବତୀ ଓ ଅଖିଳେଶ ମେଣ୍ଟ ଏବଂ ଆସନ ଭାଗବଣ୍ଟା ସମ୍ପର୍କରେ ଘୋଷଣା କରିଛନ୍ତି। ତେବେ କେଉଁ ଦଳର ପ୍ରାର୍ଥୀ କେଉଁ ଆସନରୁ ଲଢ଼ିବେ ତାହା ପରବର୍ତ୍ତୀ ସମ୍ପର୍କରେ ଘୋଷଣା କରାଯିବ ବୋଲି ମାୟାବତୀ କହିଛନ୍ତି।
ଗତ ବର୍ଷ ଉତ୍ତରପ୍ରଦେଶରେ ଅନୁଷ୍ଠିତ ଉପନିର୍ବାଚନରେ ଶାସକ ବିଜେପି ବିରୋଧରେ ସପା-ବିଏସ୍‍ପି ମେଣ୍ଟର ଉଲ୍ଲେଖନୀୟ ସଫଳତା ପରେ ଆଗାମୀ ସାଧାରଣ ନିର୍ବାଚନରେ ଦୁଇ ଦଳ ମିଳିତ ଭାବେ ଲଢ଼ିବେ ବୋଲି ସୂଚନା ମିିଳିଥିଲା। ତେବେ ମେଣ୍ଟରେ କଂଗ୍ରେସକୁ ସାମିଲ୍‍ କରାଯିବ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ସହିତ ମେଣ୍ଟ ପ୍ରସଙ୍ଗରେ ଅଖିଳେଶ ଓ ମାୟାବତୀଙ୍କ ମତଭେଦ ହେବା ପରେ ଉତ୍ତରପ୍ରଦେଶ ମହାମେଣ୍ଟରୁ କଂଗ୍ରେସକୁ ବାଦ୍‍ ଦେବାକୁ ଦୁଇ ନେତା ନିଷ୍ପତ୍ତି ନେଇଥିଲେ। ଶେଷରେ କଂଗ୍ରେସକୁ ବାଦ୍‍ ଦେଇ ଉତ୍ତରପ୍ରଦେଶରେ ଦୁଇ ନେତା ମେଣ୍ଟ ସମ୍ପର୍କରେ ଘୋଷଣା କରିଛନ୍ତି।

 

କିଏ କଣ କହିଲେ

ମାୟାବତୀ:

ଏହି ସାମ୍ବାଦିକ ସମ୍ମିଳନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ନିଦ ହଜାଇ ଦେବ…। …ବିଗତ ଦିନର ଅଭିଜ୍ଞତାରୁ ଜଣାପଡ଼ିଛି ଯେ କଂଗ୍ରେସ ଦ୍ୱାରା ମେଣ୍ଟକୁ କୌଣସି ଫାଇଦା ମିଳିବ ନାହିଁ। ତେଣୁ ମହାମେଣ୍ଟରେ କଂଗ୍ରେସକୁ ସାମିଲ୍‍ କରାଯାଇନାହିଁ। କେବଳ ରାଏବରେଲି ଓ ଆମେଥିକୁ କଂଗ୍ରେସ ପାଇଁ ଛାଡ଼ି ଦିଆଯାଇଛି…। ….ଦେଶର ରାଜନୀତିରେ ଏହି ମହାମେଣ୍ଟ ଐତିହାସିକ ସାବ୍ୟସ୍ତ ହେବ…। ….ପଛୁଆ ବର୍ଗ, ଧାର୍ମିକ ବର୍ଗ, କୃଷକ ଓ ଅବହେଳିତ ବର୍ଗର ସ୍ୱାର୍ଥ ସୁରକ୍ଷାକୁ ମେଣ୍ଟ ପ୍ରାଥମିକତା ଦେବ….। …ସମ୍ବିଧାନ ପ୍ରଣେତା ଡ. ବିଆର ଆମ୍ବେଦକରଙ୍କ ଆଦର୍ଶରେ ବିଏସ୍‍ପି ଅନୁପ୍ରାଣିତ…। …ଉଭୟ କଂଗ୍ରେସ ଓ ବିଜେପି ଦୁର୍ନୀତିଗ୍ରସ୍ତ। କଂଗ୍ରେସ ଅମଳରେ ଜରୁରିକାଳୀନ ପରିସ୍ଥିତି ଘୋଷଣା ହୋଇଥିବା ବେଳେ ବିଜେପି ଅମଳରେ ଅଘୋଷିତ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି…।… ଲୋକସଭା ପରେ ମଧ୍ୟ ମେଣ୍ଟ ଜାରି ରହିବ…।

ଅଖିଳେଶ ଯାଦବ:

ମେଣ୍ଟ ପାଇଁ ସହଯୋଗର ହାତ ବଢ଼ାଇଥିବାରୁ ମାୟାବତୀଙ୍କୁ ଧନ୍ୟବାଦ। ମାୟାବତୀଙ୍କ ଅପମାନ ମୋର ଅପମାନ ସହିତ ସମାନ। ବିଜେପି ନେତା ମାୟାବତୀଙ୍କୁ ଅପମାନିତ କରିବା ପରଠାରୁ ମେଣ୍ଟ ଚିନ୍ତା ମୋ ମନକୁ ଆସିଥିଲା…। …ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଉତ୍ତରପ୍ରଦେଶରେ ଗତ ୫ ବର୍ଷ ଧରି ବିଜେପିର ଅରାଜକତା ଚାଲି ଆସିଛି। ଲୋକଙ୍କୁ ଏନ୍‍କାଉଣ୍ଟରରେ ହତ୍ୟା କରାଯାଉଛି। ଜାତିଭିତ୍ତିରେ ଡାକ୍ତରଖାନାରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ଘୃଣା ବଢ଼ିଛି। ସମ୍ପ୍ରଦାୟ ଭିତ୍ତିରେ ଲୋକଙ୍କୁ ବିଭାଜିତ କରିବାକୁ ଚେଷ୍ଟା କରାଯାଉଛି। ତେଣୁ ବିଜେପିକୁ ଉତ୍ତରପ୍ରଦେଶରୁ ହଟାଇବା ପାଇଁ ବିଏସ୍‍ପି ସହିତ ମେଣ୍ଟ କରାଯାଇଛି…। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଅଖିଳେଶ କହିଲେ ଯେ ଉତ୍ତରପ୍ରଦେଶ ପୂର୍ବରୁ ବହୁ ପ୍ରଧାନମନ୍ତ୍ରୀଙ୍କୁ ଦେଇଛି। ସମୟ ଆସିଲେ ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ସେ ସମର୍ଥନ ଦେବେ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜା ମେଣ୍ଟକୁ ସ୍ୱାଗତ କରିଥିବା ବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ କହିଛନ୍ତି ଯେ ୨୦୧୪ରେ ମାତ୍ର ୩୧% ଭୋଟ ପାଇଥିବା ବିଜେପି ସମଗ୍ର ଭାରତର ଜନାଦେଶ ମିଳିଥିବା ଦାବି କରୁଛି। ଭୋଟ ବିଭାଜନ ଯୋଗୁଁ ବିଜେପି ଶାସନ କ୍ଷମତାକୁ ଆସିଛି। ତେଣୁ ବିଜେପିକୁ କ୍ଷମତାରୁ ଦୂରରେ ରଖିବାକୁ ହେଲେ ସମଗ୍ର ଦେଶରେ ମେଣ୍ଟର ଆବଶ୍ୟକତା ରହିଛି। ସେହିପରି ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ ଉତ୍ତରପ୍ରଦେଶ ଓ ବିହାରରୁ ବିଜେପିର ପରାଜୟ ଧାରା ଆରମ୍ଭ ହୋଇଗଲା। ବିଜେପି ନେତା ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ ଉଭୟ ଦଳ ନିଜ ସ୍ଥିତି ବଞ୍ଚାଇବା ପାଇଁ ମେଣ୍ଟ କରିଛନ୍ତି। ସେମାନେ ଅତୀତରେ ପରସ୍ପରକୁ ସମାଲୋଚନା କରିଥିବା ବେଳେ ଏବେ ସହଯୋଗୀ ହୋଇଛନ୍ତି। ତେବେ ସବୁ ଦଳ ଏକାଠୀ ହେଲେ ମଧ୍ୟ ବିଜେପିକୁ ରୋକି ପାରିବେ ନାହିଁ।

Leave A Reply