ରାଜସ୍ଥାନ: କଂଗ୍ରେସରେ ଯୋଗଦେଲେ ବିଏସ୍‍ପିର ୬ ବିଧାୟକ

0

ଜୟପୁର : ରାଜସ୍ଥାନ ବହୁଜନ ସମାଜ ପାର୍ଟି (ବିଏସ୍‍ପି)ର ସମସ୍ତ ୬ ବିଧାୟକ ଦଳ ତ୍ୟାଗ କରି ସୋମବାର ବିଳମ୍ବିତ ରାତିରେ କଂଗ୍ରେସରେ ଯୋଗଦେଇଛନ୍ତି। ଫଳରେ ବିଧାନସଭାରେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ୧୦୦ରୁ ବୃଦ୍ଧି ପାଇ ୧୦୬ରେ ପହଞ୍ଚିଛି।

ପୂର୍ବରୁ ରାଜସ୍ଥାନର କଂଗ୍ରେସ ସରକାରଙ୍କୁ ବିଏସ୍‍ପି ବାହାରୁ ସମର୍ଥନ ଦେଉଥିଲା। ବିଧାନସଭା ବାଚସ୍ପତି ସିପି ଯୋଶୀ କହିଛନ୍ତି ଯେ କଂଗ୍ରେସରେ ଯୋଗଦେବା ପାଇଁ ବିଏସପି ବିଧାୟକଙ୍କ ପତ୍ର ମିଳିଛି। ତେଣୁ ଏଥିରେ ଆଉ କୌଣସି ଆଇନଗତ ବିବାଦ ନାହିଁ। ଏହାକୁ ନେଇ ବିଏସ୍‍ପି ଅଧ୍ୟକ୍ଷା ମାୟାବତୀ ଟ୍ୱିଟ୍‍ କରିଛନ୍ତି ଯେ ରାଜସ୍ଥାନରେ କଂଗ୍ରେସ ବିଏସ୍‍ପି ବିଧାୟକଙ୍କୁ ନିଜ ପଟକୁ ନେଇ ପୁଣି ଥରେ ଧୋକାବାଜ ଏବଂ ଅବିଶ୍ୱାସୀ ଦଳ ବୋଲି ପ୍ରମାଣିତ କରିଛି। କଂଗ୍ରେସ ନିଜ ପାରମ୍ପରିକ ବିରୋଧୀ ଦଳଙ୍କ ସହ ଲଢିବା ପରିବର୍ତ୍ତେ ତାକୁ ସହଯୋଗ/ସମର୍ଥନ ଦେଉଥିବା ଦଳର କ୍ଷତି କରୁଛି। କଂଗ୍ରେସ ଏକ ଏସସି, ଏସଟି, ଓବିସି ବିୋରଧୀ ପାର୍ଟି ଥିଲାବେଳେ ଏହି ବର୍ଗର ସଂରକ୍ଷଣ ଏବଂ ଅଧିକାର ପ୍ରତି କେବେବି ଗୁରୁତ୍ୱ ଦେଇନାହିଁ। ସୂଚନା ଅନୁସାରେ ବିଏସପି ବିଧାୟକମାନେ ସୋମବାର ରାତି ସାଢେ ୯ଟା ବେଳେ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କୁ ଭେଟିଥିଲେ। ଏହାପରେ ବିଧାନସଭା ବାଚସ୍ପତି ଯୋଶୀଙ୍କୁ ଭେଟି କଂଗ୍ରେସ ସହ ମିଶିବା ପାଇଁ ଆବେଦନପତ୍ର ଦେଇଥିଲେ। ରାତି ପ୍ରାୟ ୧୧ଟା ବେଳେ ବିଏସପି ବିଧାୟକଙ୍କ କଂଗ୍ରେସରେ ଯୋଗଦାନର ଘୋଷଣା କରାଯାଇଥିଲା।

Leave A Reply