ଆସନ୍ତାକାଲି ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ : ଭୋଟ୍‍ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ

ମୁମ୍ବଇ/ଚଣ୍ଡିଗଡ଼ :  ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନର ଫଳାଫଳ ଆସନ୍ତାକାଲି ଅର୍ଥାତ ଗୁରୁବାର ପ୍ରକାଶ ପାଇବ। ଭୋଟ୍‍ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଓ ୯୦ ସଦସ୍ୟ ବିଶିଷ୍ଟ ହରିଆଣା ବିଧାନସଭା ପାଇଁ ଗତ ସୋମବାର ଦିନ ଭୋଟ୍‍ ଗ୍ରହଣ ହୋଇଥିଲା। ମହାରାଷ୍ଟ୍ରରେ ଶତକଡ଼ା ୬୧ ଭାଗ ମତଦାନ ହୋଇଥିଲା।

ହରିଆଣାରେ ଭୋଟ୍‍ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟର ୫୯ଟି ସ୍ଥାନରେ ୯୦ଟି ଷ୍ଟ୍ରଙ୍ଗରୁମ୍‍ ସ୍ଥାପନ କରାଯାଇ ଇଭିଏମ୍‍ ଓ ଭିଭିପାଟ୍‍ ମେସିନ୍‍ଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍‍ଗୁଡ଼ିକରେ ରଖାଯାଇଛି । ସେହି ଷ୍ଟ୍ରଙ୍ଗରୁମ୍‍ଗୁଡ଼ିକର ଚତୁଃପାର୍ଶ୍ବରେ ତ୍ରିସ୍ତରୀୟ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୋଟ୍‍ ଗଣତି କେନ୍ଦ୍ରଗୁଡ଼ିକର ଚତୁଃପାର୍ଶ୍ବରେ ୧୪୪ ଧାରା ଲାଗୁ କରାଯାଇଛି।
ହରିଆଣାର ଉଚ୍ଚନା, ପ୍ରଥଲା, କୋଶଲୀ, ବିନ୍‍ ଓ ନାରନଉଁଦ୍‍ ଭୋଟ୍‍ଗ୍ରହଣ କେନ୍ଦ୍ରରେ ବୁଧବାର ପୁନଃମତଦାନ ହୋଇଛି। ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ସେହି ଭୋଟ୍‍ଗ୍ରହଣ କେନ୍ଦ୍ରଗୁଡ଼ିକରେ ପୁନଃମତଦାନ ହେଉଛି।

ସେହିପରି ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଭୋଟ ଗଣନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।  ଭୋଟଗଣତି ପାଇଁ ୨୫୦୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଭୋଟ ଗଣତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷହେବ।
ସେହିପରି ସତରା ଓ ସମସ୍ତିପୁର ଲୋକସଭା ଆସନ ସମେତ ୧୭ଟି ରାଜ୍ୟର ୫୧ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଭୋଟ୍‍ ଗଣତି ମଧ୍ୟ ଆସନ୍ତାକାଲି କରାଯିବ।

Comments are closed.