ପ୍ରଥମ ଥର ପାଇଁ ପିତାଙ୍କ ସହ କାମ କରିବେ ଆଲିୟା

ମୁମ୍ବଇ : ଖୁବ୍‍ କମ୍‍ ଦିନରେ ଅନେକ ସଫଳତା ହାସଲ କରିଥିବା ଅଭିନେତ୍ରୀ ଆଲିୟା ଭଟ୍ଟ ପ୍ରଥମ ଥର ପାଇଁ ନିଜ ପିତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ପିତା ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘ସଡ଼କ୍‍-୨’ରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହାର ଶୁଟିଂ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ପିତାଙ୍କ ସହ କାମ କରିବାକୁ ନେଇ ଉତ୍ସାହିତ ଥିବା ଆଲିୟା ସାମାଜିକ ଗଣମାଧ୍ୟମରେ ଭାବପ୍ରବଣ ପୂର୍ବକ ଉକ୍ତି ଲେଖିଛନ୍ତି। ସେ ଇନ୍‍ଷ୍ଟାଗ୍ରାମରେ ପିତାଙ୍କ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି, “ଆଜି ସଡ଼କ୍‍-୨ର ପ୍ରଥମ ଦିନ। ମୋ ପିତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟ କ୍ୟାମେରା ପଛରେ ଥିବେ। କିଛି ଦିନ ମଧ୍ୟରେ ମୁଁ ମୋ ଶୁଟିଂ ଆରମ୍ଭ କରିବି। ମୋତେ ଡର ଲାଗୁଛି। ମୁଁ ଏବେ ଗୋଟିଏ ଛୋଟ ମୂଷା ସଦୃଶ, ଯିଏ ଏକ ବିଶାଳ ପାହାଡ଼କୁ ଲଂଘନ କରିବାକୁ ଚାହୁଁଛି। ଏହା ମୋ ପାଇଁ ଏକ କଠିନ ଯାତ୍ରା। ମୁଁ ଜାଣିଛି ଏହି ଯାତ୍ରାରେ କିଛି ପାଦ ଭଲ ହେବ ଓ କିଛି ଖରାପ ମଧ୍ୟ। ମୁଁ ହାରି ଯିବାର ସମ୍ଭାବନା ମଧ୍ୟ ରହିଛି। ହେଲେ ତଥାପି ମୁଁ ମୋ ପ୍ରୟାସ ଜାରି ରଖିବି”।

ଉଲ୍ଲେଖଯୋଗ୍ୟ, ମହେଶ ଭଟ୍ଟ ଦୀର୍ଘ ୨୦ ବର୍ଷ ପରେ ‘ସଡ଼କ୍‍-୨’ ମାଧ୍ୟମରେ ନିର୍ଦ୍ଦେଶନା କ୍ଷେତ୍ରକୁ ପୁଣିଥରେ ଫେରୁଛନ୍ତି। ଚଳଚ୍ଚିତ୍ରରେ ଆଲିୟାଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ପୂଜା ଭଟ୍ଟ ଓ ଆଦିତ୍ୟ ରୟ କପୁର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ର ଜରିଆରେ ମହେଶ ପ୍ରଥମ ଥର ନିଜ ଦୁଇ ଝିଅ ପୂଜା ଓ ଆଲିୟାଙ୍କ ସହ କାମ କରୁଥିବା ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ପ୍ରଥମ ଭାଗ ୧୯୯୧ ମସିହାରେ ମୁକ୍ତିଲାଭ କରିଥିଲା। ଏଥିରେ ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

Comments are closed.