ଆଲିୟାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା

0

ସିନେତାରକା ଯେ କେବଳ ନିଜ ଜୀବନଶୈଳୀକୁ ଅତି ସୁନ୍ଦର ଓ ବିଳାସମୟ କରିବାକୁ ଚାହିଁଥାନ୍ତି, ତା’ ନୁହେଁ। ବରଂ ନିଜ ଆୟରୁ କେତେଜଣ ତାରକା ଅନ୍ୟକୁ ମଧ୍ୟ ସହଯୋଗର ହାତ ବଢ଼ାଇଥାନ୍ତି। ନିକଟରେ ଏହିଭଳି ଏକ ପଦକ୍ଷେପ ନେଇଛନ୍ତି ଆଲିୟା ଭଟ୍ଟ। ଖୁବ୍ କମ୍ ଲୋକେ ଜାଣନ୍ତି ଆଲିୟା ତାଙ୍କ ଆୟରୁ ୧୫ଜଣ ଅସହାୟ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନରେ ସହାୟତା କରୁଛନ୍ତି। ତାଙ୍କ ଘରେ କାମ କରୁଥିବା ଜନୈକ ମହିଳାଙ୍କ ପୁଅର ଇଂଜିନିୟରିଂ ପାଠପଢ଼ାର ସମସ୍ତ ଖର୍ଚ୍ଚ ଆଲିୟା ହିଁ ତୁଲାଉଛନ୍ତି। କିଛି ମାସ ତଳର ଘଟଣା। ଆଲିୟା ଦେଖିଲେ ତାଙ୍କ ଲୁଗା ଥାକରେ ୨୦୦ରୁ ଅଧିକ ପୋଷାକ ଅଯଥାରେ ସ୍ଥାନ ମାଡ଼ିବସିଛି। ଫେସନ୍ ଅନୁସାରେ ସେଗୁଡ଼ିକ ପୁରୁଣା ହୋଇଯାଇଥିବାରୁ ଆଉ ସେସବୁକୁ ଆଲିୟା ପିନ୍ଧିପାରୁନଥିଲେ। ଏଇ ସମୟରେ ଏକ ଉପାୟ ତାଙ୍କ ମନକୁ ଆସିଲା। ତାଙ୍କର ଜଣେ ବନ୍ଧୁ ବେଙ୍ଗାଲୁରୁର ଆରୋହା ଏନଜିଓରେ କାର୍ଯ୍ୟରତ। ଆଲିୟା ସେହି ବନ୍ଧୁଙ୍କୁ ଅନୁରୋଧ କଲେ ସେସବୁ ପୋଷାକକୁ ନିଲାମ କରି ସେଥିରୁ ଲବ୍ଧ ଅର୍ଥରେ ଗରିବଙ୍କୁ ସହାୟତା କରିବା ନିମନ୍ତେ। ତୁରନ୍ତ ତାଙ୍କୁ ସହାୟତା ମିଳିଲା। ଆଲିୟାଙ୍କ ୨୦୦ ପୋଷାକର ନିଲାମରୁ ପ୍ରାୟ ୪୫ଲକ୍ଷ ଟଙ୍କା ଆୟ ହୋଇଥିବାର ପ୍ରକାଶ। ସେହି ଅର୍ଥକୁ ନିୟୋଜିତ କରାଯାଇ କର୍ଣ୍ଣାଟକର ମଣ୍ଡେୟା ଜିଲାର କିକେରୀ ଗ୍ରାମର ୪୦ ପରିବାରକୁ ବିଜୁଳି ସୁବିଧା ଯୋଗାଇ ଦିଆଯାଇଛି। ଆଲିୟାଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସିତ କରାଯାଇଛି।

Leave A Reply