ଶେଷ ହେବ ଅନବସର ଦର୍ଶନ, ବଢୁଛି ଭକ୍ତଙ୍କ ସମାଗମ

0

ପୁରୀ : ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନେ ଅନବସର ପିଣ୍ଡିରେ ରହି ଗୁପ୍ତସେବା ପାଇବା ପରେ ଏକାଦଶୀ ଦିନ ଖଳିପ୍ରସାଦ ଲାଗି କରାଯାଇଥିଲା। ମଙ୍ଗଳବାର ମହାପ୍ରଭୁ ସୁସ୍ଥ ହେବା ଖବର ଦଇତାପତିମାନେ ଶ୍ରୀନଅରରେ ପହଞ୍ଚାଇଛନ୍ତି। ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଯୌବନ ଦର୍ଶନ ହେବ। ଅନବସର ପିଣ୍ଡିରୁ ଉଠିବେ କାଳିଆ ସାଆନ୍ତ। ତାଙ୍କୁ ଦେଖିବା ପାଇଁ ଭକ୍ତମାନେ ବ୍ୟାକୁଳ ହୋଇ ପଡିଥିବାବେଳେ ଭକ୍ତମାନେ ଛୁଟୁଛନ୍ତି ଅଲାରନାଥଙ୍କ ଦର୍ଶନ ପାଇଁ।
ଗୁରୁବାର ଅଲାରନାଥଙ୍କ ଶେଷ ଅନବସର ଦର୍ଶନ। ରଥଯାତ୍ରା ଦେଖିବାପାଇଁ ଦେଶର ବିଭିନ୍ନ କୋଣ ଅନୁକୋଣରୁ ସାଧୁସନ୍ଥମାନେ ପହଞ୍ଚିଲେଣି ଶ୍ରୀକ୍ଷେତ୍ରରେ। ସେମାନେ ଶ୍ରୀଜୀଉଙ୍କୁ ଦର୍ଶନ ନ ପାଇ ପାଦରେ ଚାଲିଚାଲି ଯାଉଛନ୍ତି ଅଲାରନାଥଙ୍କ ପୀଠକୁ। ବୁଧବାର ପାଗ ଅନୁକୂଳ ରହିଥିଲା। ଫଳରେ ବ୍ରହ୍ମଗିରିରେ ଭକ୍ତଙ୍କ ସଖ୍ୟା ବଢିବାରେ ଲାଗିଛି। ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ୪ଟା ୧୫ରେ ମଙ୍ଗଳ ଆଳତି, ୪ଟା ୩୦ରେ ଅବକାଶ, ୫ଟା ୩୦ରେ ଅନବସର ବେଶ, ଚନ୍ଦନ ତୁଳସୀ ଲାଗିହୋଇ ସକାଳ ୬ଟାରେ ଶ୍ରୀଜୀଉ ସର୍ବସାଧାରଣଙ୍କୁ ଦର୍ଶନ ଦେଇଥିଲେ। ଦିନ୧୨ଟାରେ ସକାଳଧୂପ,୧ଟା୩୦ରେ ଖିରି ପ୍ରସାଦ ଭୋଗ ହୋଇ ଦିନ ୨ଟାରେ ଶ୍ରୀଜୀଉଙ୍କ ପହଡ ପଡିଥିଲା। ୨ଟା୧୫ରେ ଶ୍ରୀଜୀଉ ପୁନର୍ବାର ସର୍ବସାଧାରଣଙ୍କୁ ଦର୍ଶନ ଦେଇଥିଲେ। ସନ୍ଧ୍ୟା ୭ଟାରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଆଳତି ଓ ମଇଲମ ପରେ ଅନବସର ବେଶ ହୋଇଥିଲା। ରାତ୍ର ୯ଟାରେ ସନ୍ଧ୍ୟା ଧୂପ ଓ ୧୦ଟାରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ କରାଯାଇଥିଲା।

Leave A Reply