ଅନ୍ଧାରରେ ଶୈବକ୍ଷେତ୍ର ଆଖଣ୍ଡଳମଣି ପୀଠ

- ଇଣ୍ଟରନେଟ ଓ ମୋବାଇଲ ସେବା ଅଚଳ

ଆରଡି: ଅଚାନକ ବିଦ୍ୟୁତ କାଟ ଯୋଗୁ ୨ଦିନ ହେଲା ଅନ୍ଧାରରେ ରହିଛି ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର ଆଖଣ୍ଡଳମଣିଙ୍କ ପୀଠ। ଫଳରେ ପୀଠର ଆଖପାଖ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିଥିବାରୁ ରବିବାର ପୀଠ ସମେତ ଅନେକ ଅଞ୍ଚଳରେ ଇଣ୍ଟରନେଟ ଓ ମୋବାଇଲ ସେବା ଏକପ୍ରକାର ଅଚଳ ହୋଇ ପଡିଛି। କେତେକ ସଂସ୍ଥାର ଜେନେରଟର ଥିବାରୁ କାଁଭାଁ ମୋବାଇଲ ଚାଲୁଥିବା ବେଳେ ଅଧିକାଂଶ ମୋବାଇଲର ନେଟୱାର୍କ ନଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାରେ ସମୁଖିନ୍ନ ହେଉଛନ୍ତି। ପୀଠରେ ୨ଦିନ ଧରି ବିଦ୍ୟୁତ କାଟ ଯୋଗୁ ସମସ୍ତ ଉଠା ସେଚ ପଏଣ୍ଟ ଗୁଡିକ ଏକ ପ୍ରକାର ଠପ ହୋଇଯାଇଥିବା ବେଳେ ମଣିବାବାଙ୍କ ନୀତିକାନ୍ତି ଓ ସେବାପୂଜା ପାଇଁ ଘୋର ଜଳ ସଂକଟ ଦେଖା ଦେଇଛି।

ଅନ୍ୟପଟେ ଯେପରି ସେବାପୂଜାର କୈାଣସି ବିଳମ୍ବ ନହେବ ସେଥିପାଇଁ ସେବାୟତମାନେ ବାଧ୍ୟ ହୋଇ ଗଛିତ ଥିବା ଟ୍ୟାଙ୍କର ଜଳ ନେଇ ସେବାପୂଜାରେ ବ୍ୟବହୃତ କରୁଥିବା ସେବାୟତମାନେ ପ୍ରକାଶ କରିଛନ୍ତି। ଏଥିସହ ଆକାଶ ମେଘାଛନ ରହିଥିବା ବେଳେ ବିଦ୍ୟୁତ କାଟ ଯୋଗୁ ମନ୍ଦିର ପରିସର ଓ ଭକ୍ତମାନଙ୍କ ରହଣୀସ୍ଥଳ ସବୁ ଅନ୍ଧକାରମୟ ହୋଇ ରହିଛି। ସେହିପରି ପିଇବାପାଣି ପାଇଁ ପୀଟରେ ଥିବା ହାତଗଣିତି କେତେକ ନଳକୂପରେ ସ୍ଥାନୀୟ ଲୋକଙ୍କ ସମେତ ଆଗନ୍ତୁକ ଭିଡ ଦେଖିବାକୁ ମିଳିଥିଲା। ଏପରି ବିଦ୍ୟୁତ କାଟ ସର୍ମ୍ପକରେ ଅସୁରାଳି ଷ୍ଟକ୍‍ଚର ନିର୍ବାହୀଯନ୍ତ୍ରୀଙ୍କୁ ପଚାରିବାରୁ ସେ କୋଣସି ଉତ୍ତର ଦେଇନଥିଲେ।

Comments are closed.