କୋହଲି ୧୦୦ ଶତକ ହାସଲ କରିବେ: ଆଝାରୁଦ୍ଦିନ

0

ନୂଆଦିଲ୍ଲୀ : ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦୦ ଶତକ ହାସଲ କରିବେ ବୋଲି ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ।
ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ କୋହଲି। ଏହା ତାଙ୍କ ଦିନିକିଆ କ୍ୟାରିୟରର୍‌ ୩୯ତମ ଶତକ। ଏ ସଂପର୍କରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଆଝାର କହିଥିଲେ କୋହଲି ଯେପରି ଭାବେ ରନ୍‌ ସଂଗ୍ରହ କରି ଚାଲିଛନ୍ତି, ତାହାକୁ ଦେଖିଲେ ଅନ୍ତର୍ଜାତୀୟ ସ୍ତରରେ ୧୦୦ ଶତକ ହାସଲ କରିବା କୋହଲିଙ୍କ ପାଇଁ କିଛି ବଡ଼ କଥା ନୁହେଁ। ଯଦି କୋହଲି ଫିଟ୍‌ ରହନ୍ତି ତେବେ ନିଶ୍ଚିିତ ଭାବେ ୧୦୦ ଶତକ ହାସଲ କରିବେ। କୋହଲିଙ୍କୁ ଉଚ୍ଚପ୍ରଶଂସା କରି ଆଝାର କହିଥିଲେ ବର୍ତ୍ତମାନ ସମୟରେ ସେ ବିଶ୍ବର ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌, ଏଥିରେ କୌଣସି ସନ୍ଦେହ ନାହିଁ। ଟେଷ୍ଟ, ଦିନିକିଆ ଓ ଟ୍ବେଣ୍ଟି୨୦ ସବୁ ଫର୍ମାଟ୍‌ରେ କୋହଲି କ୍ରମାଗତ ଭାବେ ରନ୍ ସଂଗ୍ରହ କରି ଚାଲିଛନ୍ତି। ଏପରି କ୍ରିକେଟର୍‌ କ୍ବଚିତ ଦେଖିବାକୁ ମିଳନ୍ତି। ସେହିପରି ଦ୍ବିତୀୟ ଦିନିକିଆରେ ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଓ ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ପ୍ରଶଂସା କରି ଆଝାର କହିଥିଲେ ଧୋନିଙ୍କ ନିକଟରେ ଅନ୍ତର୍ଜାତୀୟ ସ୍ତରରେ ଆଉ କିଛି ବର୍ଷ ଖେଳିବାର ସାମର୍ଥ୍ୟ ରହିଛି। ପରିସ୍ଥିତି ଅନୁଯାୟୀ କିପରି ବ୍ୟାଟିଂ କରାଯାଏ ତାହା ଧୋନିଙ୍କୁ ବେଶ୍‌ ଜଣା। ସେହିପରି ଦିନେଶ କାର୍ତ୍ତିକ ଲଢୁଆ ପ୍ରଦର୍ଶନ କରି ଦଳକୁ ବେଶ୍‌ କିଛି ସଂଖ୍ୟକ ମ୍ୟାଚ୍‌ରେ ବିଜୟୀ କରାଇଥିବାରୁ ନିଶ୍ଚିତ ଭାବେ ପ୍ରଶଂସାର ପାତ୍ର।

Leave A Reply