ଜନ୍ମଦିନ ବିଶେଷ : ସେହି ପ୍ରଶ୍ନ, ଯାହାର ଉତ୍ତର ଦେଇ ଐଶ୍ୱର୍ଯ୍ୟା ସାଜିଥିଲେ ବିଶ୍ୱ ସୁନ୍ଦରୀ

ମୁମ୍ବଇ : ଲୋକପ୍ରିୟ ବଲିଉଡ଼ ଅଭିନେତ୍ରୀ ତଥା ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଶୁକ୍ରବାର(୧ ନଭେମ୍ବର) ନିଜର ୪୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବିଭିନ୍ନ ମହଲରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ୧୯୭୩ ମସିହା ଆଜିର ଦିନରେ କର୍ଣ୍ଣାଟକର ମାଙ୍ଗାଲୋରରେ ତାଙ୍କର ଜନ୍ମ ହୋଇଥିଲା। ୧୯୯୪ ମସିହାରେ ଐଶ୍ୱର୍ଯ୍ୟା ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ। ସେହି ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ଐଶ୍ୱର୍ଯ୍ୟା ଏକ ପ୍ରଶ୍ନର ଉତ୍ତର ଦେଇ ସମସ୍ତଙ୍କ ମନ ଜିତିଥିଲେ ଓ ବିଜୟୀ ହୋଇଥିଲେ। ତେବେ ଆଜି ତାଙ୍କ ଜନ୍ମ ଦିନ ଅବସରରେ ଆସନ୍ତୁ ଜାଣିବା କ’ଣ ସେହି ପ୍ରଶ୍ନ ଯାହାର ଉତ୍ତର ଦେଇ ଐଶ୍ୱର୍ଯ୍ୟା ବିଶ୍ବ ସୁନ୍ଦରୀ ଆଖ୍ୟା ହାସଲ କରିଥିଲେ।

ପ୍ରତିଯୋଗିତାରେ ଐଶ୍ୱର୍ଯ୍ୟାଙ୍କୁ ପଚରା ଯାଇଥିଲା ଯେ, ଜଣେ ବିଶ୍ବ ସୁନ୍ଦରୀଙ୍କଠାରେ କେଉଁ ଗୁଣ ରହିବା ଆବଶ୍ୟକ ? ଉତ୍ତରରେ ସେ କହିଥିଲେ, ‘ଏପର୍ଯ୍ୟନ୍ତ ଆମେ ଯେତେ ଜଣ ବିଶ୍ବ ସୁନ୍ଦରୀଙ୍କୁ ଦେଖିଛେ, ସେ ସମସ୍ତଙ୍କ ନିକଟରେ ଦୟା ଭାବ ଥିଲା। ସେମାନେ କେବଳ ବଡ଼ ଲୋକଙ୍କ ପାଇଁ ନୁହେଁ ବରଂ ଯାହା ପାଖରେ କିଛିବି ନ ଥିଲା ସେମାନଙ୍କ ପାଇଁ ମଧ୍ୟ ଦୟାବାନ୍ ଥିଲେ। ମୁଁ ଏପରି ଲୋକଙ୍କୁ ଦେଖିଛି, ଯିଏ ମଣିଷ ସୃଷ୍ଟି କରିଥିବା ବାଧା ତଥା ଭେଦଭାବ, ଜାତୀୟତା ଓ ରଙ୍ଗ ଆଦିଠାରୁ ଖୁବ୍ ଉର୍ଦ୍ଧ୍ବରେ ଭାବନ୍ତି। ଆମକୁ ତାଙ୍କଠାରୁ ମଧ୍ୟ ଉର୍ଦ୍ଧ୍ବ ଚିନ୍ତାଧାରା ପୋଷଣ କରିବା ଆବଶ୍ୟକ। ତାହେଲେ ଯାଇ ଜଣେ ପ୍ରକୃତ ବିଶ୍ବ ସୁନ୍ଦରୀ ଭାବେ ଚମକିବ। ଜଣେ ପ୍ରକୃତ ମଣିଷ’। ତାଙ୍କର ଏହି ଉତ୍ତର ସେଠାରେ ଉପସ୍ଥିତ ବିଚାରକ ଓ ଦର୍ଶକଙ୍କୁ ବିମୋହିତ କରିଥିଲା।

ସୂଚନାଯୋଗ୍ୟ, ସେ ସମୟରେ ହୋଇଥିବା ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ୮୭ ଦେଶର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ହେଲେ ମାତ୍ର ୨୧ ବର୍ଷ ବୟସରେ ନିଜ ସୌନ୍ଦର୍ଯ୍ୟ ଓ ବୁଦ୍ଧିମତାର ପରିଚୟ ଦେଇ ଐଶ୍ବର୍ଯ୍ୟା ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଥିଲେ।

Comments are closed.