ବଢ଼ିଲା ଏୟାର ଇଣ୍ଡିଆ ସଙ୍କଟ – ଏକାଥରରେ ଇସ୍ତଫା ଦେଲେ ୧୨୦ ପାଇଲଟ

ନୂଆଦିଲ୍ଲୀ : ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଏୟାର ଇଣ୍ଡିଆ ପାଇଁ ଖରାପ ଖବର। କମ୍ପାନୀର ପ୍ରାୟ ୧୨୦ ଜଣ ଏୟାରବସ ଏ-୩୨୦ ପାଇଲଟ ରବିବାର ସମୂହ ଭା​‌ବେ ଇସ୍ତଫା ଦେଇଛନ୍ତି। ଏହି ସବୁ ପାଇଲଟମାନେ ନିଜ ବେତନ ଓ ପଦୋନ୍ନତିକୁ ନେଇ ଖୁସି ନ ଥିଲେ। ପାଇଲଟମାନଙ୍କ କହିବା ମୁତାବକ ଏୟାର ଇଣ୍ଡିଆ ପକ୍ଷରୁ ସେମାନଙ୍କ ଦରମା ବୃଦ୍ଧି କରା ନ ଯିବା ସାଙ୍ଗକୁ ପଦୋନ୍ନତି ଦିଆଯାଉ ନ ଥିଲା। ବାରମ୍ବାର ପାଇଲଟ୍‌ମାନେ ଏ ନେଇ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କେହି ସେମାନଙ୍କ ଦାବି ବାବଦରେ ବିଚାର କରି ନ ଥିଲେ। ତେଣୁ ସେମାନେ ଇସ୍ତଫା ଦେଇଛନ୍ତି। ଏହାଛଡା କେନ୍ଦ୍ର ସରକାର ଏୟାର ଇଣ୍ଡିଆର ୧୦୦ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ନେଇଥିବା ନିଷ୍ପତ୍ତି ଏହାର ଅନ୍ୟତମ କାରଣ ।  ସୂଚନାଯୋଗ୍ୟ, ଏହି ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଉପରେ ୬୦,୦୦୦ ​କୋଟିରୁ ଅଧିକ ପରିମାଣର ଋଣ ବକେୟା ରହିଛି। କେନ୍ଦ୍ର ସରକାର ନିଜର ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ବିମାନ କମ୍ପାନୀର ୭୬ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ତେବେ ଏୟାର ଇଣ୍ଡିଆର ଅଂଶଧନ କିଣିବାକୁ କୌଣସି କମ୍ପାନୀ ଆଗ୍ରହ ପ୍ରକାଶ କରି ନ ଥିଲେ। ବର୍ତ୍ତମାନ ଏୟାର ଇଣ୍ଡିଆ ଉପରେ ତୈଳ କମ୍ପାନୀଗୁଡିକର ୪୫୦୦ କୋଟି ଟଙ୍କାର ବକେୟା ଅର୍ଥ ବାକି ରହିଛି । କିଛି ଦିନ ତଳେ ଏୟାର ଇଣ୍ଡିଆ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନୀ କହିଥିଲେ ଯେ କମ୍ପାନୀକୁ ପ୍ରତି ମାସରେ ୩୦୦ କୋଟି ଟଙ୍କା କର୍ମଚାରୀଙ୍କୁ ଦରମା ଆକାରରେ ଦେବାକୁ ପଡିଥାଏ।
ପାଇଲଟ୍‌ଙ୍କ ସମୂହ ଇସ୍ତଫା ଉପରେ ପ୍ରତିକ୍ରିୟା ରଖି ଏୟାର ଇଣ୍ଡିଆର ପ୍ରବକ୍ତା କହିଛନ୍ତି ଯେ, ଆମ ନିକଟରେ ଅଧିକ ସଂଖ୍ୟାରେ ପାଇଲଟ୍‌ ଅଛନ୍ତି ।  ପାଇଲଟ୍‌ଙ୍କ ଇସ୍ତଫା ଯୋଗୁ କୌଣସି ବି ମତେ ଏୟାର ଇଣ୍ଡିଆର ଉଡାଣ ପ୍ରଭାବିତ ହେବ ନାହିଁ  ସମ୍ପ୍ରତି ଏୟାର ଇଣ୍ଡିଆ ନିକଟରେ ୨୦୦୦ ପାଇଲଟ୍‌ ରହିଛନ୍ତି । ଏହା ମଧ୍ୟରୁ ୪୦୦ ଜଣ ହେଉଛନ୍ତି କାର୍ଯ୍ୟନିର୍ବାହୀ ।

Comments are closed.