ଅଯୋଧ୍ୟା ରାୟ: ପୁନର୍ବିଚାର ପିଟିଶନ ଦାଖଲ କରିବ ମୁସଲିମ ଲ ବୋର୍ଡ, ମସଜିଦ ପାଇଁ ଗ୍ରହଣ କରିବନି ବିକଳ୍ପ ଜାଗା

ଲକ୍ଷ୍ନୌ: ଅଯୋଧ୍ୟା ବିବାଦ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନର୍ବିଚାର ପାଇଁ ଆବଦେନ କରିବ ମୁସଲିମ ଲ ବୋର୍ଡ। ଏ ​ନେଇ ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ ଲ ବୋର୍ଡ(ଏଆଇଏମପିଏଲବି) ପକ୍ଷରୁ ପୁନର୍ବିଚାର ପିଟିଶନ ଦାଖଲ କରାଯିବ। ସେହିପରି ସୁପ୍ରିମକୋର୍ଟ ମୁସଲିମ ପକ୍ଷଙ୍କୁ ମସଜିଦ ନିର୍ମାଣ ପାଇଁ ୫ ଏକର ବିକଳ୍ପ ଜାଗା ଯୋଗାଇଦେବାକୁ ରାୟ ଦେଇଥିଲେ। କିନ୍ତୁ ମୁସଲିମ ଲ ବୋର୍ଡ ଏହି ବିକଳ୍ପ ଜାଗାକୁ ଗ୍ରହଣ କରିବ ନାହିଁ ବୋଲି ରବିବାର ସ୍ପଷ୍ଟ କରିଛି। ଲକ୍ଷ୍ନୌର ମମତାଜ ପିଜି କଲେଜରେ ମୁସଲିମ ଲ’ ବୋର୍ଡ ଅଧ୍ୟକ୍ଷ ମୌଲାନା ସୟୟ ରାବେ ହସନ ନଦବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବୈଠକ ପରେ ବୋର୍ଡ ସଦସ୍ୟମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ବୋର୍ଡ ସଚିବ ଆଡ୍‌ଭୋକେଟ ଜଫରୟାବ ଜିଲାନୀ କହିଛନ୍ତି, ଆମକୁ ସେହି ଜାଗା ଦରକାର, ଯାହା ପାଇଁ ଆମେ ଲଢୁଥିଲୁ। ମସଜିଦ ପାଇଁ କୌଣସି ଦ୍ବିତୀୟ ଜାଗା ନେଇହେବ ନାହିଁ। ସେ କହିଛନ୍ତି, ସୁପ୍ରିମକୋର୍ଟ ଏହା ମାନିଛନ୍ତି ଯେ, ସେଠାରେ ନମାଜ ପାଠ କରାଯାଉଥିଲା। ଉକ୍ତ ସ୍ଥାନ ଭଗବାନ ରାମଙ୍କ ଜନ୍ମସ୍ଥାନ ବୋଲି କୌଣସି ପ୍ରମାଣ ମିଳିନାହିଁ। ମସଜିଦର ଜାଗା ସ୍ଥାନାନ୍ତର କରାଯାଇପାରିବ ନାହିଁ।

ଅନ୍ୟପଟେ ମାମଲାର ମୁଖ୍ୟ ପକ୍ଷକାର ଇକ୍‌ବାଲ ଅନ୍‌ସାରୀ ପୁନର୍ବିଚାର ପିଟିଶନ ଦାଖଲ କରିବେ ନାହିଁ ବୋଲି ମନା କରିଦେବା ସମ୍ପର୍କରେ ଜିଲାନୀ କହିଛନ୍ତି, ଅଯୋଧ୍ୟାର ଲୋକମାନେ ଆମକୁ ଜଣାଇଛି ଯେ, ଜିଲା ପୁଲିସ ଏବଂ ପ୍ରଶାସନ ରାୟ ବିରୋଧରେ ମତ ନ ଦେବାକୁ ସେମାନଙ୍କ ଉପରେ ଚାପ ପକାଇଥିଲା। ହୋଇପାରେ ଏହି କାରଣରୁ ଇକବାଲ୍‌ ଅନ୍‌ସାରୀ ପୁନର୍ବିଚାର ପିଟିଶନ ଦାଖଲ କରିବା ପକ୍ଷରେ ନାହାନ୍ତି। ପିଟିଶନ ଦାଖଲ କରିବାକୁ ଆମ ନିକଟରେ ୩୦ ଦିନ ସମୟ ଅଛି। ଏହି ସମୟ ଭିତରେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିନେବୁ।

Comments are closed.