କାୟାକଳ୍ପରେ ଏମ୍ସ ଭୁବନେଶ୍ୱରକୁ ମିଳିଲା ୧ କୋଟି

0

ଭୁବନେଶ୍ୱର: କାୟାକଳ୍ପ ଯୋଜନା ଅଧୀନରେ ପ୍ରସ୍ତୁତ ସ୍ୱଚ୍ଛତା ତାଲିକାରେ ଭୁବନେଶ୍ୱର ଏମ୍ସ ଦ୍ୱିତୀୟସ୍ଥାନ ଅଧିକାର କରିଛି। ଖ ବର୍ଗର ହସ୍ପିଟାଲ୍‍ ତାଲିକାରେ ଏମ୍ସକୁ ଏହି ମାନ୍ୟତା ସହିତ ୧ କୋଟି ଟଙ୍କାର ପୁରସ୍କାର ରାଶି ମିଳିଛି। ଏମ୍ସ ଭୁବନେଶ୍ୱର ପକ୍ଷରୁ ଏପ୍ରିଲ୍‍ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳିତ ହେଉଛି। ଏହି ଅବସରରେ ହସ୍ପିଟାଲ୍‍ର ଆନ୍ତଃ ଓ ବାହ୍ୟ ସ୍ୱଚ୍ଛତା ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ୱଚ୍ଛତା ସମ୍ପର୍କରେ କର୍ମଚାରୀ ଓ ଜନସାଧାରଣଙ୍କୁ ମଧ୍ୟ ସଚେତନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ମଧ୍ୟ ସ୍ୱଚ୍ଛତା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଗାୟତ୍ରୀ ମିଶ୍ର ଗତ ୧୧ ତାରିଖରେ ଏମ୍ସ ପରିଦର୍ଶନରେ ଆସି ପାରିପାଶ୍ୱର୍ିକ ସ୍ୱଚ୍ଛତା ପାଇଁ ସନ୍ତୋଷ ପ୍ରକାଶ କରିବା ସହିତ ଡାକ୍ତରଖାନାର ଉଦ୍ୟମକୁ ପ୍ରଶଂସା କରିଥିଲେ। ଏମ୍ସ ଭୁବନେଶ୍ୱର ଉପରେ ଆସ୍ଥା ପ୍ରକଟ କରିଥିବା ଜନସାଧାରଣଙ୍କୁ ଏମ୍ସ ନିର୍ଦେଶକ ଡ. ଗୀତାଞ୍ଜଳି ବି. ଧନ୍ୟବାଦ ଦେଇଥିଲେ। ସ୍ୱଚ୍ଛତା ସଂକ୍ରାନ୍ତରେ ଏମ୍ସକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟ ମତାମତ ଆଧାରରେ ହିଁ ଏମ୍ସକୁ ଏହି ସଫଳତା ମିଳିଛି ବୋଲି ସେ କହିଥିଲେ। ଏମ୍ସ ଅଧୀକ୍ଷକ ଡ. ଏସ୍‍ ଏନ୍‍ ମହାନ୍ତି ଏହି ସଫଳତା ପାଇଁ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସ୍ୱଚ୍ଛ ଭାରତ ମିଶନ୍‍କୁ ସଫଳ କରିବାକୁ ଉଦ୍ୟମ କରିଥିବା ଛାତ୍ରଛାତ୍ରୀଙ୍କୁ ଏମ୍ସ ଭୁବନେଶ୍ୱର ଡିନ୍‍ ଡ. ବିକାଶ ଭାଟିଆ ପ୍ରଶଂସା କରିଛନ୍ତି।

Leave A Reply