ଏଡ୍‌ସ ଆକ୍ରାନ୍ତ ମୃତଦେହ ମିଳିଲା ବୋଲି ଶୁଖାଗଲା ହ୍ରଦ

0

ବେଙ୍ଗାଲୁରୁ : କର୍ଣ୍ଣାଟକର ହୁବଲି ନିକଟ ମୋରାବସ୍ଥିତ ଏକ ହ୍ରଦରୁ ଏଚ୍‍ଆଇଭି ପୀଡ଼ିତ ଜଣେ ମହିଳାଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଲୋକେ ସମଗ୍ର ହ୍ରଦକୁ ଶୁଖାଇ ଦେଇଛନ୍ତି। ଗତ ସପ୍ତାହରେ ସମ୍ପୃକ୍ତ ମହିଳା ଏହି ହ୍ରଦକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଗ୍ରାମବାସୀ ଏଚ୍‍ଆଇଭି ସଂକ୍ରମଣ ଆଶଙ୍କାରେ ଏହାର ସବୁ ପାଣିକୁ ବହୁ ସଂଖ୍ୟାରେ ମୋଟର ଓ ପାଇପ ଲଗାଇ ନିଷ୍କାସନ କରିଦେଇଛନ୍ତି। ମହିଳା ଜଣଙ୍କ ଏହି ୨୫ଏକର ବ୍ୟାପୀ ହ୍ରଦ ନିକଟରେ ବସବାସ କରୁଥିଲେ। ଗ୍ରାମବାସୀ ସମ୍ପୃକ୍ତ ମହିଳାଙ୍କ ସହିତ ଏହି ହ୍ରଦର ପାଣି ବ୍ୟବହାର କରୁଥିଲେ; କିନ୍ତୁ ମହିଳା ଜଣଙ୍କ ଏଚ୍‍ଆଇଭି ପୀଡ଼ିତ ବୋଲି ଗ୍ରାମବାସୀ ଜାଣିବା ପରେ ହଠାତ୍‍ ସେ ନିଖୋଜ ହୋଇଯାଇଥିଲେ। ତିନି-ଚାରି ଦିନ ପରେ ନଭେମ୍ବର ୨୯ତାରିଖରେ ମହିଳାଙ୍କ ଗଳିତ ମୃତଦେହ ହ୍ରଦରେ ଭାସୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ଗ୍ରାମବାସୀ ହ୍ରଦର ପାଣି ବ୍ୟବହାର ନ କରିବାକୁ ନିଷ୍ପତ୍ତି ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ। ହ୍ରଦରେ ବିଶୁଦ୍ଧ ଜଳ ଭର୍ତ୍ତି କରା ନ ଯିବା ପର୍ଯ୍ୟନ୍ତ ସେମାନେ ଏହାର ଜଳ ବ୍ୟବହାର କରିବେ ନାହିଁ ବୋଲି ପ୍ରଶାସନକୁ ଜଣାଇଥିଲେ। ସରକାରୀ ଅଧିକାରୀମାନେ ତୁରନ୍ତ ଲୋକଙ୍କୁ ଏଚ୍‍ଆଇଭି ଏଭଳି ସଂକ୍ରମଣ ହୁଏ ନାହିଁ ବୋଲି ବୁଝାଇବା ସହିତ ଯେତେ ସଚେତନ କଲେ ମଧ୍ୟ ସେମାନେ ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ହ୍ରଦ ଶୁଖିଯିବା ଦ୍ୱାରା ଗ୍ରାମରେ ଜଳ ସଂକଟ ଦେଖାଦେଇଛି। ପ୍ରଶାସନ ବାଧ୍ୟହୋଇ ନିକଟସ୍ଥ ମାଲ୍ଲାପ୍ରଭା ନଦୀର ଜଳ ବ୍ୟବହାର ପାଇଁ ଲୋକଙ୍କୁ ଯୋଗାଇ ଦେଇଛନ୍ତି। ଏଥିସହିତ ଆସନ୍ତା ୨୦ତାରିଖ ସୁଦ୍ଧା ହ୍ରଦକୁ ସ୍ୱଚ୍ଛ ଓ ବିଶୁଦ୍ଧ ପାଣିରେ ଭର୍ତ୍ତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

Leave A Reply