ପୁଣି ଅପରାଜେୟ ନବୀନ

ଭୁବନେଶ୍ବର: କ୍ରମାଗତ ପଞ୍ଚମ ଥର ପାଇଁ ବିଜେଡିକୁ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ମିଳିଛି ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ନିଜକୁ ଅପରାଜେୟ ବୋଲି ପ୍ରମାଣିତ କରିଛନ୍ତି ା ଲୋକସଭା ଓ ବିଧାନସଭା ପାଇଁ ଗୁରୁବାର ଫଳ ପ୍ରକାଶ ପରେ ବିଜେଡି ତାର ସଫଳତାର ଧାରାକୁ ବଜାୟ ରଖିଛି ା ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ଗାଦିସୀନ ହେବାକୁ ଯାଉଛନ୍ତି ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନବୀନଙ୍କୁ ଅଭୁତପୂର୍ବ ସଫଳତା ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ା ଦେଶବ୍ୟାପୀ ମୋଦୀ ଲହରର ପ୍ରଭାବ ଦେଖିବାକୁ ମିଳିଛିା
ପୂର୍ବାନୁମାନ ଅନୁଯାୟୀ ଏନଡିଏକୁ ସ୍ପଷ୍ଟ ବହୁମତ ପ୍ରାପ୍ତ ହୋଇଛି ା କିନ୍ତୁ ଓଡ଼ିଶା କ୍ଷେତ୍ରରେ ‘ମୋଦୀ ମ୍ୟାଜିକ୍‌’ ସେତେଟା ପ୍ରଭାବଶାଳୀ ହୋଇପାରିନାହିଁ ା ଲୋକସଭା କ୍ଷେତ୍ରରେ ବିଜେପିକୁ ପୂର୍ବ ପ୍ରଦର୍ଶନ ଅପେକ୍ଷା ଅଧିକ ଆସନ ମିଳିବାକୁ ଯାଉଛି ା ତେବେ ଦଳ ଲୋକସଭା ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲା ସେହି ସଂଖ୍ୟା ଛୁଇଁପାରିନି ା ଅନ୍ୟପକ୍ଷରେ ବିଧାନସଭା ଆସନର ଫଳାଫଳ ଦଳର ଉତ୍ସାହରେ ଭଟ୍ଟା ଆଣିଦେଇଛି ା ୨୦୧୪ ଅପେକ୍ଷା ବିଜେପି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଏଥର ଭଲ ପ୍ରଦର୍ଶନ କରିଥିଲେ ହେଁ ‘ମିଶନ ୧୨୦+’ ରାଜ୍ୟରେ ଫଳପ୍ରଦ ହୋଇପାରିନାହିଁ। ଏହି ମିଶନକୁ ସାକାର କରିବା ନେଇ ଦଳ ପକ୍ଷରୁ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ା ‘ମୋ ବୁଥ୍‌ ସଶକ୍ତ’ କାର୍ଯ୍ୟକ୍ରମ ମଧ୍ୟମରେ ଦଳୀୟ ସଂଗଠନକୁ ବୁଥ୍‌ ସ୍ତରରୁ ସଶକ୍ତ କରିବା ସହ ପଞ୍ଚାୟତ ଓ ବ୍ଲକ ସ୍ତରରେ ଯୋଡିବା ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କର୍ମୀ ଓ ନେତାମାନଙ୍କୁ ପ୍ରଶିକ୍ଷଣ ମନ୍ତ୍ର ଦେଇଥିଲେ ା ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏହାର ସୁଫଳ ଦେଖିବାକୁ ମିଳିଥିଲା ା ଗତ ଦୁଇବର୍ଷ ଧରି ଏକ ସୁଚିନ୍ତିତ ରଣନୀତି ଭାବେ ବିଜେପି ରାଜ୍ୟ ସରକାରଙ୍କୁ ପ୍ରତ୍ୟେକ ପ୍ରସଙ୍ଗରେ ନିଶାଣ କରିଥିଲା ା ଏପରିକି ଚିଟ୍‌ଫଣ୍ଡ, ପିସି କାରବାର, ଦୁର୍ନୀତି, ଭ୍ରଷ୍ଟାଚାର, ମହିଳା ସୁରକ୍ଷା ଓ ନାରୀ ନିର୍ଯାତନା ଭଳି ବିଷୟରେ ବିଜେପି ସରକାରଙ୍କୁ ଘେରିବା ନେଇ ପ୍ରୟାସ କରିଥିଲା ା ବିଧାନସଭାରୁ ଆରମ୍ଭ କରି ରାଜରାସ୍ତାରେ ସରକାରଙ୍କୁ ବିରୋଧ କରି ଜନତାଙ୍କ ଆସ୍ଥାଭାଜନ ପାଇଁ ଉଦ୍ୟମ କରିଥିଲା ା କୁନ୍ଦୁଲି ପୀଡିତାଙ୍କଠାରୁ ଆରମ୍ଭ କରି ବେବିନା ପ୍ରସଙ୍ଗ, ଚାଷୀ ଆତ୍ମହତ୍ୟା, ରତ୍ନଭଣ୍ଡାର ଚାବି ହଜିବା, ଆଦି ପ୍ରସଙ୍ଗକୁ ଆଧାର କରି ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି ବିଜେପି ପାଇଁ ପ୍ରାଥମିକତା ପାଲଟିଥିଲା ା ନିର୍ବାଚନ ତାରିଖ ଘୋଷଣା ପରେ ଏ ନେଇ ବିଜେଡି ଓ ବିଜେପି ଏକପ୍ରକାର ମୁହାଁମୁହିଁ ହୋଇଥିଲେ ା ଗଣମାଧ୍ୟମ ଓ ରାଜରାସ୍ତାରେ ଏହାର ପ୍ରତିଫଳନ ସାଧାରଣରେ ଦେଖିବାକୁ ମିଳିଥିଲା ା
ବୈଜୟନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ, ଦାମୋଦର ରାଉତ ଓ ବିଜୟ ମହାପାତ୍ରଙ୍କ ସଂଘବଦ୍ଧ ନେତୃତ୍ବ ବିଜେପିକୁ ଅଧିକ କ୍ରିୟଶୀଳ ଲୋକାଭିମୁଖୀ କରିପାରିଥିଲା ା ନିର୍ବାଚନ ଅବ୍ୟବହିତ ପୂର୍ବରୁ ବୈଜୟନ୍ତ ପଣ୍ଡାଙ୍କୁ ରାଜ୍ୟ ନେତୃତ୍ବ ଦାୟିତ୍ବରେ ସାମିଲ କରାଇବା ସହ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ଜାତୀୟ ପ୍ରବକ୍ତା ଭାବେ ସ୍ବୀକୃତି ରାଜ୍ୟ ରାଜନୀତିକୁ ସରଗରମ କରିବା ସହ ବିଜେଡି ପାଇଁ ଆହ୍ବାନ ସୃଷ୍ଟି କରିଥିଲା ା ଏକ ସୁଚିନ୍ତିତ ରଣନୀତି ଆଧାରରେ ବିଜେପି ବିଗତ ଏକବର୍ଷ ଧରି ଗଣମାଧ୍ୟମରେ ନିଜର ଉପସ୍ଥିତି ଜାହିର ପାଇଁ ପ୍ରୟାସ ଜାରି ରଖିଥିଲା ା ନିର୍ବାଚନ ଯେତିକି ପାଖେଇଥିଲା ଏହି ଧାରା ସେତିକି ରୋଚକ ହୋଇଥିଲା ା ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଘନ ଘନ ଓଡ଼ିଶା ଗସ୍ତ ଓ ‘ଡବଲ ଇଞ୍ଜିନ’ ନାରା ସେତେଟା ପ୍ରଭାବ ପକାଇପାରିନାହିଁ ା ଏପରିକି ଅମିତ ଶାହାଙ୍କ ‘ପୋଡା ଟ୍ରାନ୍ସଫରମର, ରାଜ୍ୟ ସରକାରଙ୍କୁ ଉଠାଇ ବଙ୍ଗୋପସାଗରେ ଫୋପାଡିଦେବା’ ଏବଂ ମୋଦୀଙ୍କ ‘ନବୀନ ସରକାର ପିସି ସରକାର’ ‘ନବୀନ ବାବୁ ଆପଣ ଏଥର ଯାଉଛନ୍ତି’ ଭଳି ନିର୍ବାଚନ କଟାକ୍ଷ ଲୋକେ ଗ୍ରହଣ କରିନାହାନ୍ତି ା ବିଭିନ୍ନ ନିର୍ବାଚନ ସଭାରେ ମୋଦୀ ଓ ଶାହାଙ୍କର ନବୀନ ସରକାରଙ୍କ ପ୍ରତି ଆକ୍ରମଣାତ୍ମକ ଓ କଠୋର ଆଭିମୁଖ୍ୟ ନିର୍ବାଚନ ଫଳାଫଳ ପରିପ୍ରେକ୍ଷୀରେ ମୂଲ୍ୟହୀନ ହୋଇଛି ା ମୋଦୀ ଓ ଶାହାଙ୍କ ରଣନୀତି ‘ବ୍ରାଣ୍ଡ ନବୀନ’ଙ୍କ ଆଗରେ ଫିକା ପଡିଛି ା ନବୀନଙ୍କ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ସହିତ ଯୋଡିହୋଇ ରହିବା ନିରନ୍ତର ପ୍ରୟାସ, ତାଙ୍କର ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ରାଜ୍ୟବାସୀଙ୍କ ସମର୍ଥନ ଜିଣିବାରେ ସହାୟକ ହୋଇଛି ା
ମିଶନଶକ୍ତି, କାଳିଆ ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ, ଆହାର ଓ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସଫଳ ମୁକାବିଲା ନବୀନଙ୍କୁ ଜନପ୍ରିୟତାରେ ଶୀର୍ଷରେ ପହଞ୍ଚାଇଛି ା ଚଳିତ ନିର୍ବାଚନ ଫଳାଫଳ ଏହାର ନିଦର୍ଶନ ହେବା ସହ ବିଜେଡିକୁ ଅଧିକ ଶକ୍ତିଶାଳୀ କରିଛି ା ପ୍ରମିଳା ବିଷୋୟୀଙ୍କ ଭଳି ଶିକ୍ଷାଗତ ଯୋଗ୍ୟତା ନଥିବା ଜଣେ ଗୃହିଣୀଙ୍କୁ ଆସ୍କା ଲୋକସଭା ଆସନରୁ ପ୍ରାର୍ଥୀ କରି ବିପୁଳ ଭୋଟରେ ଜିତାଇ ରାଜ୍ୟ ରାଜନୀତିରେ ନବୀନ ଏକ ଉଦାହରଣ ସୃଷ୍ଟି କରିଛନ୍ତି ା ଚଳିତ ନିର୍ବାଚନରେ ୭୦ରୁ ଊର୍ଦ୍ଧ୍ବ ବିଧାୟକ ଓ ୧୮ସାଂସଦଙ୍କୁ ଟିକଟ ନ ଦେଇ ନବାଗତଙ୍କୁ ସୁଯୋଗ ଦେବା ଓ ଲୋକସଭାରେ ଏକ ତୃତୀୟାଂଶ ମହିଳା ପ୍ରାର୍ଥୀ କରିବା ନବୀନଙ୍କ ପାଇଁ ବଡ଼ ନିଷ୍ପତ୍ତି ଥିଲା ା ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ବଳରେ ନିଜ ନିଷ୍ପତ୍ତିକୁ ସମୟୋଚିତ ପଦକ୍ଷେପ ବୋଲି ପ୍ରମାଣିତ କରିବା ସହ ନିଜର ବଳିଷ୍ଠ ନେତୃତ୍ବକୁ ପ୍ରତିପାଦିତ କରିପାରିଛନ୍ତି ା ଚାରି ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନରେ ସେ ଏକାକୀ ଏପ୍ରିଲ ୫ରୁ ତିନି ସପ୍ତାହରୁ ଊର୍ଦ୍ଧ୍ବ ସମୟ ଧରି ରାଜ୍ୟବ୍ୟାପୀ ପ୍ରଚାର କରି ଲୋକଙ୍କ ସହ ଯୋଡିହେବାର ପ୍ରୟାସ ତାଙ୍କୁ ସଫଳତା ଆଣିଦେଇଛି ବୋଲି ରାଜନୀତି ବିଶାରଦ ବିବେଚନା କରିଛନ୍ତି ା
ଅଳ୍ପକଥା କହୁଥିବା ନବୀନ ନିର୍ବାଚନ ପ୍ରଚାରରେ ଯେଉଁଭଳି ଢଙ୍ଗରେ କେନ୍ଦ୍ର ଅବହେଳା ପ୍ରସଙ୍ଗଗୁଡିକୁ ନିଜସ୍ବ ଶୈଳୀରେ ଲୋକଙ୍କ ନିକଟରେ ଉପସ୍ଥାପନ କଲେ ତାହା ରାଜ୍ୟବାସୀଙ୍କ ବିଶ୍ବାସ ଜିଣିବାରେ ସହାୟକ ହୋଇପାରିଛି ା ‘ଆପଣମାନେ ଖୁସି ତ’ ‘ମୁଁ ବି ଖୁସି’ ଏହାଥିଲା ରାଜ୍ୟରେ ଚଳିତ ନିର୍ବାଚନର ସାର୍ବାଧିକ ଲୋକପ୍ରିୟ ସ୍ଲୋଗାନ ା ଏହି ପଂକ୍ତିଟି ମଧ୍ୟ ନବୀନଙ୍କୁ ଅଧିକ ଜନାଦୃତ କରିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Comments are closed.