୨୦୨୪ ସୁଦ୍ଧା ତୈଳ ଓ ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ପୁଞ୍ଜିନିବେଶ କରିବ ଭାରତ : ଧର୍ମେନ୍ଦ୍ର ପ୍ରଧାନ

ଆବୁଧାବୀ ଠାରେ ଅନ୍ତର୍ଜାତୀୟ ପେଟ୍ରୋଲିୟମ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

-ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ
-ଉର୍ଜା କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଭାରତ ଉତ୍କୃଷ୍ଟ ସ୍ଥାନ
-ୟୁଏଇ ମନ୍ତ୍ରୀଙ୍କ ସହ ଭାରତ ପ୍ୟାଭିଲିୟନକୁ ଉଦଘାଟନ କଲେ
-ବିଶ୍ୱ ହାରାହାରି ଠାରୁ ମୁଣ୍ଡ ପିଛା ଭାରତରେ ଉର୍ଜାର ବ୍ୟବହାର କମ୍‍
-ବିଶ୍ୱ ଉର୍ଜା ଗତିଶୀଳତାକୁ ଦାୟିତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିବ ଭାରତ
-ଉର୍ଜାର ଆବଶ୍ୟକତାକୁ ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ତୈଳ ଓ ଗ୍ୟାସ କ୍ଷେତ୍ର

ଆବୁଧାବୀ : ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ। ଏହି ମର୍ମରେ ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପଲାଇନ ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ପୁଞ୍ଜିନିବେଶ କରିବ। ଉର୍ଜା କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଭାରତ ଉତ୍କୃଷ୍ଟ ସ୍ଥାନ ବୋଲି ଦୁଇଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର
ଆବୁଧାବୀ ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପେଟ୍ରୋଲିୟମ ପ୍ରଦର୍ଶନୀ ଓ ସମ୍ମିଳନୀରେ(ଆଡିପେକ-୨୦୧୯) ଯୋଗଦେଇ କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଓ ୟୁଏଇ ମନ୍ତ୍ରୀ ସୁଲତାନ ଅଲ୍‍ ଜାବେରଙ୍କ ଭାରତ ପ୍ୟାଭିଲିୟନକୁ ମଧ୍ୟ ଉଦଘାଟନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଭାରତକୁ କମ୍‍ କାର୍ବନ ନିଗର୍ମନ ଅର୍ଥ ବ୍ୟବସ୍ଥା କରିବା ପାଇଁ ତଥା ଉର୍ଜାର ନିରନ୍ତର ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ସରକାର ଭାରତକୁ ଗ୍ୟାସ୍‍ ଆଧାରିତ ଅର୍ଥନୀତି କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ ଜାରୀ ରଖିଛନ୍ତି। ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ତଥା ୨୦୩୦ ସୁଦ୍ଧା ଗ୍ୟାସର ସେୟାରକୁ ୧୫ ପ୍ରତିଶତ ବୃଦ୍ଧି କରିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ମୁଣ୍ଡ ପିଛା ଉର୍ଜାର ବ୍ୟବହାର କ୍ଷେତ୍ରରେ ବିଶ୍ୱ ହାରାହାରି ଠାରୁ ଭାରତରେ ଉର୍ଜାର ବ୍ୟବହାର କମ୍‍। ତେଣୁ ୨୦୨୦ ମଧ୍ୟଭାଗ ସୁଦ୍ଧା ଉର୍ଜା କ୍ଷେତ୍ରରେ ଭାରତ ବୃହତ ବଜାର ହେବା ନେଇ ଆଶା ରଖିଛି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱ ଉର୍ଜା ଯୋଗାଣ ଏବଂ ଉର୍ଜା ବ୍ୟବହାରରେ ଭାରତ ମଧ୍ୟଭାଗରେ ଅଛି। ଭାରତରେ ସିଟି ଗ୍ୟାସ ନେଟୱାର୍କର ସଂପ୍ରସାରଣ ହୋଇଛି, ଯାହା ଭାରତ ଭୌଗଳିକର ୫୦ ପ୍ରତିଶତ ଆଚ୍ଛାଦିତ କରୁଥିବା ବେଳେ ଜନସଂଖ୍ୟାର ୭୦ ପ୍ରତିଶତ ଲୋକ ଏହାର ସୁବିଧା ପାଇଛନ୍ତି। ଭାରତକୁ ଗ୍ୟାସ୍‍ ଆଧାରିତ ଅର୍ଥବ୍ୟବସ୍ଥା କରିବାପାଇଁ ୬୦ ନିୟୁତ ଆମେରିକୀୟ ଡଲାର
ବ୍ୟୟ ବରାଦରେ ଗ୍ୟାସ୍‍ ଭିତିଭୂମି ଯଥା ଗ୍ୟାସ୍‍ ପାଇପ୍‍ ଲାଇନ୍‍ , ଟର୍ମିନାଲ , ସିଟି ଗ୍ୟାସ୍‍ ବିତରଣ ବ୍ୟବସ୍ଥା ଆଦି ବିଭିନ୍ନ କାର୍ଯ୍ୟ କ୍ରିୟାନ୍ୱୟନ ଚାଲିଛି।

ସେ କହିଛନ୍ତି ଯେ ଭାରତର ତୈଳ ଏବଂ ଗ୍ୟାସ କ୍ଷେତ୍ର ବହୁତ ଭଲ ଉପାୟରେ ସେବେ କାମ କରିପାରିବ ଯେତେବେଳେ ବିଶ୍ୱ ବିକାଶ ସହିତ ସମନ୍ୱୟ ରଖିବ। ଫଳରେ କେବଳ ଭାରତରେ ଉର୍ଜା ପରିବର୍ତନ ପ୍ରଭାବିତ ହେବ ନାହିଁ ବରଂ ବିଶ୍ୱ ଉର୍ଜା ଗତିଶୀଳତାକୁ ଦାୟିତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିବ। ଆଗାମୀ ଦଶକ ଗୁଡିକରେ ଭାରତ ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ର ବିନ୍ଦୁ ହେବ। ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ତୈଳ ଏବଂ ଗ୍ୟାସ କ୍ରମାଗତ ଭାବରେ ସେମାନଙ୍କ ଉର୍ଜାର ଆବଶ୍ୟକତାକୁ ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି।

Comments are closed.