ମହାପ୍ରଭୁଙ୍କ ’ଅଧରପଣା’ ନୀତି : ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼

ପୁରୀ : ଳୀଳାମୟ ମହାପ୍ରଭୁଙ୍କ ବିଚିତ୍ର ଲୀଳା। କୋଟି ବ୍ରହ୍ମାଣ୍ଡର ମଉଡମଣି,ଭାବ ବିନୋଦିଆ କାଳିଆ ଠାକୁର ଲୀଳା ଲଗାଇ ବଡ଼ ଦେଉଳରୁ ଆସିଥିଲେ। ଦିନକ ପରେ ପୁଣି ରତ୍ନ ସିଂହାସନକୁ ବିଜେ କରିବେ । ଘୋଷଯାତ୍ରାର ଶେଷ ପର୍ଯ୍ୟାୟରେ ରବିବାର ସିଂହଦ୍ବାର ସମ୍ମୁଖରେ ରଥ ଉପରେ ’ଅଧରପଣା’ ନୀତି ଶେଷ ହୋଇଛି ।  ତିନି ଠାକୁରଙ୍କ ନିକଟରେ ଅଧର ଉଚ୍ଚାର ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହୋଇଛି । ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶାଇ ଏହି ସ୍ୱତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥିଲା। ପରେ ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ, ସେବକ ତିନି ରଥରେ ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଅଧରପଣା ହାଣ୍ଡିକୁ ଭଙ୍ଗାଯାଇଛି । ଚଣ୍ଡି, ଚାମଣ୍ଡା, ଅଶରୀରିମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧରହାଣ୍ଡି ଭଙ୍ଗା ଯିବାର ପରମ୍ପରା ରହିଛି । ରଥର ପାର୍ଶ୍ବ ଦେବାଦେବୀଙ୍କ ସମେତ ମହାପ୍ରଭୁଙ୍କ ଭୋଗ ପାଇବା ପଇଁ ଚଣ୍ଡୀ, ଚାମୁଣ୍ଡା ଉଦ୍ଦେଶ୍ୟରେ ଅଧରହାଣ୍ଡି ଭଙ୍ଗାଯାଇ ସେମାନଙ୍କୁ ପଣା ଉତ୍ସର୍ଗ କରାଯାଏ ।

ରଥ ଉପରେ ଅନୁଷ୍ଠିତ ହେଉଥିବା ଏହି ନୀତି ଦେଖିବା ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲ୍ଲକ୍ଷିତ ହୋଇଛି । ଆସନ୍ତାକାଲି ଅର୍ଥାତ୍ ସୋମବାର ମହାପ୍ରଭୁ ନିଳାଦ୍ରି ବିଜେ କରିବେ ।

 www.samajalive.inରେ ମହାପ୍ରଭୁଙ୍କ ନିଳାଦ୍ରି ବିଜେ’ର ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଛି । ସୋମବାର ଦିନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ www.samajalive.inରେ ଏହାର ସିଧା ପ୍ରସାରଣ ଉପଲବ୍ଧ ହେବ।  

Comments are closed.