ଆଡ଼ପ ମଣ୍ଡପ ଦର୍ଶନ ପାଇଁ ବଢୁଛି ଭିଡ଼

0

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ଜମିଛି। ଜନ୍ମବେଦୀରେ ବସି ଭକ୍ତଙ୍କ ଦୁଃଖସୁଖ ଶୁଣୁଛନ୍ତି ଦାରୁବ୍ରହ୍ମ। ଆଡ଼ପ ଅବଢାର ଦିବ୍ୟ ବାସନାରେ ମହକି ଉଠୁଛି ଗୁଣ୍ଡିଚା ମନ୍ଦିର। ପ୍ରଭୁଙ୍କ ସପ୍ତଦିନାତ୍ମକ ଆଡ଼ପ ମହୋତ୍ସବ ପାଇଁ ଲୋକାରଣ୍ୟ ଶରଧାବାଲି। ନାମସଂକୀର୍ତ୍ତନ, ଓ ହରିବୋଲ ହୁଳହୁଳୀରେ କମ୍ପୁଛି ପ୍ରଭୁଙ୍କ ଜନ୍ମସ୍ଥାନ। ଶତାଧିକ ସାଧୁସନ୍ଥ ଆଈତୋଟାରେ ଆସର ଜମାଇଛନ୍ତି। ଆଡ଼ପମଣ୍ଡପ ତଥା ଜନ୍ମବେଦୀରେ ପ୍ରଭୁଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳେ। ଭକ୍ତଙ୍କ ମନୋବାଞ୍ଛା ପୂରଣ ହୁଏ। ମୃତ୍ୟୁପରେ ବିଷ୍ଣୁଲୋକରେ ସ୍ଥାନ ମିଳେ। ଚତୁର୍ଦ୍ଧାମୂର୍ତ୍ତି ପ୍ରିୟଭକ୍ତଙ୍କ ଦୁଃଖକଷ୍ଟ ଓ ଗ୍ଲାନି ଦୂର କରନ୍ତି। ଶରଧାବାଲିରେ ପାଦଦେବା ମାତ୍ରେ ମନ ପବିତ୍ର ହୋଇଯାଏ। ଭକ୍ତି, ମୁକ୍ତି, ଶାନ୍ତି ଓ ମୋକ୍ଷ ମିଳେ। ବ୍ରହ୍ମପୁରାଣ ଅନୁଯାୟୀ ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନର ପୁଣ୍ୟ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଗୋଟିଏ ଦିନ ଦର୍ଶନ ସହ ସମାନ। ଦିନ ଦର୍ଶନଠାରୁ ରାତ୍ର ଦର୍ଶନର ୧୦ଗୁଣ ପୂଣ୍ୟ ମିଳିଥାଏ। ଇନ୍ଦ୍ରଦ୍ୟୁମ୍ନ ତୀର୍ଥପୁଷ୍କରିଣୀରେ ସ୍ନାନକରି ଆଡ଼ପମଣ୍ଡପରେ ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନଙ୍କୁ ଦର୍ଶନ କଲେ ସହସ୍ର ଅଶ୍ବମେଧ ଯଜ୍ଞର ପୂଣ୍ୟ ମିଳେବୋଲି ନୀଳାଦ୍ରି ମହୋଦୟ ଗ୍ରନ୍ଥରେ କୁହାଯାଇଛି। ସ୍କନ୍ଦ ପୁରାଣ ତଥ୍ୟ ଅନୁଯାୟୀ ଠାକୁରମାନେ ଗୁଣ୍ଡିଚା ମଣ୍ଡପରେ ଥିବା ସମୟରେ ବନଜାଗରଣ ବ୍ରତ ପାଳନ କଲେ ମହାପୁଣ୍ୟ ମିଳେ। ମହାବେଦୀରେ ଶ୍ରୀଜଗନ୍ନାଥଙ୍କ ଅବସ୍ଥିତିକୁ ମହାବେଦୀ ଯୋଗ କୁହାଯାଏ। ଏହା ଅତ୍ୟନ୍ତ ପବିତ୍ର। ଆଷାଢ ଶୁକ୍ଳ ପଞ୍ଚମୀ ତିଥି ମଘାନକ୍ଷତ୍ର ଶ୍ରୀଜଗନ୍ନାଥଙ୍କ ମହାସମାଗମ ଏହି ତିନି ମହାବେଦୀ ଯୋଗର ତ୍ରିପାଦ ସ୍ବରୂପ। ଏଥିସହ ଇନ୍ଦ୍ରଦ୍ୟୁମ୍ନ ସରୋବର ମିଳିତ ହେଲେ ଚତୁଃଷ୍ପାଦ ଯୋଗ ହୁଏ। ଏହା ପୂର୍ଣ୍ଣଯୋଗ ଏବଂ ପିତୃମାନଙ୍କ ମୁକ୍ତିପଦ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦ୍ବାଦଶଯାତ୍ରା ମଧ୍ୟରେ ଶ୍ରୀଗୁଣ୍ଡିଚାଯାତ୍ରା ଓ ମହାବେଦୀ ମହୋତ୍ସବ ସର୍ବଶ୍ରେଷ୍ଠ। ଏହାକୁ ନିର୍ମଳ ମନରେ ଦର୍ଶନ କଲେ ଶତକୋଟି ଜନ୍ମର ପାପକ୍ଷୟ ହୋଇଥାଏ​ ବୋଲି ବିଭିନ୍ନ ଶାସ୍ତ୍ରପୁରାଣରେ କୁହାଯାଇଛି। ଦୋଳବେଦୀରେ ଦୋଳଗୋବିନ୍ଦ, ଚନ୍ଦନଯାତ୍ରା ସମୟରେ ଚାପରେ ମଧୁସୂଦନ ଏବଂ ରଥଉପରେ ବାମନରୂପୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ପୁନଃଜନ୍ମ ହୁଏନାହିଁ। ରଥଯାତ୍ରାକୁ ପରମପାବନୀ ଏବଂ ପତିତପାବନ ଯାତ୍ରା କୁହାଯାଏ। ଜାତି, ବର୍ଣ୍ଣ ଓ ଧର୍ମ ନର୍ବିଶେଷରେ ଲକ୍ଷ ଲକ୍ଷ ଭକ୍ତଙ୍କ ସହ ପ୍ରଭୁ ନବଦିନ ଘୋଷଯାତ୍ରା କରନ୍ତି। ବଡ଼ଦାଣ୍ଡରେ ଏକାକାର ହୁଅନ୍ତି ଭକ୍ତ ଓ ଭଗବାନ। ଜଗଦୀଶ୍ବର ଶ୍ରୀଜଗନ୍ନାଥ ରଥଯାତ୍ରାରେ ସମସ୍ତଙ୍କ ପାପତାପ ଦୂର କରନ୍ତି। ଏଥିପାଇଁ ଶ୍ରୀକ୍ଷେତ୍ରକୁ ଛୁଟିଛି ଜନତାଙ୍କ ସୁଅ। ସକାଳୁ ରାତି ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଗହଳି ଲାଗି ରହିଛି। ଆଡ଼ପମଣ୍ଡପ ଦର୍ଶନ ଅତ୍ୟନ୍ତ ପୁଣ୍ୟପ୍ରଦ ହୋଇଥିବାରୁ ପିଲାଠୁ ବୁଢାଯାଏଁ ପରଂବ୍ରହ୍ମଙ୍କ ଦର୍ଶନ ପାଇଁ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି। ଆଗାମୀ ୨୨ତାରିଖ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଡ଼ପମଣ୍ଡପରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡାଯାତ୍ରା କରିବେ।

 

ଶ୍ରୀଜୀଉଙ୍କ ଶ୍ରୀମୁଖସିଂହାର

ପୁରୀ: ଜନ୍ମବେଦୀରେ ମଙ୍ଗଳବାର ଶ୍ରୀଜୀଉଙ୍କ ଶ୍ରୀମୁଖସିଂହାର କରାଯାଇଛି। ଦ୍ବିତୀୟ ଭୋଗମଣ୍ଡପ ପରେ ଦତ୍ତମହାପାତ୍ର ସେବକ ବିଭିନ୍ନ ପ୍ରାକୃତିକ ରଙ୍ଗରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବନକଲାଗି (ଶ୍ରୀମୁଖସିଂହାର) କରିଛନ୍ତି। ସେଥିରେ କସ୍ତୁରୀ, ହରିତାଳ, ହିଙ୍ଗୁଳ, ଧଳା ଓ କଳା ବ୍ୟବହାର କରାଯାଇଛି। ଏଥିପାଇଁ ରାତିରେ ୪ଘଣ୍ଟା ଦର୍ଶନ ବନ୍ଦ ରହିଥିଲା।

ନନ୍ଦିଘୋଷ ଚକ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ: ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକ ଭାଙ୍ଗିବେ ମହାଲକ୍ଷ୍ମୀ। ବୁଧବାର ହେରାପଞ୍ଚମୀ ତିଥିରେ ଏହି ନୀତି ସମ୍ପନ୍ନ ହେବ। ତାଙ୍କୁ ସାଥୀରେ ନନେଇ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀଜଗନ୍ନାଥ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିବାରୁ ଅଭିମାନ କରିଛନ୍ତି ଜଗତଜନନୀ ମହାଲକ୍ଷ୍ମୀ। ଗୋପନରେ ଗୁଣ୍ଡିଚା ମନ୍ଦିରକୁ ଯାଇ ପ୍ରଭୁଙ୍କୁ ଦେଖିବା ସହ ତାଙ୍କ ରଥଚକ ଭାଙ୍ଗିବାକୁ ସ୍ଥିିର କରିଛନ୍ତି। ଶ୍ରୀମନ୍ଦିର ସ୍ବତ୍ବଲିପି ଅନୁଯାୟୀ ହେରାପଞ୍ଚମୀ ଦିନ ଲକ୍ଷ୍ମୀଠାକୁରାଣୀଙ୍କୁ ପାଳିଆ ସେବକମାନେ ମାଜଣା କରନ୍ତି। ମା’ଙ୍କୁ ପାଟଶାଢି, ଫୁଲ ଏବଂ ସୁବର୍ଣ୍ଣ ଅଳଙ୍କାରରେ ବେଶ କରାଯାଏ। ପୂଜାପଣ୍ଡା ପଂକ୍ତିଭୋଗ କରନ୍ତି। ଘଣ୍ଟ, ଛତା ଓ କାହାଳୀ ସହ ବିମାନରେ ବସି ମହାଲକ୍ଷ୍ମୀ ସେବକଙ୍କ ଗହଣରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବିଜେ କରନ୍ତି। ଶରଧାବାଲିରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ରହିଥିବା ଦେଖି ମହାଲକ୍ଷ୍ମୀ କ୍ରୋଧାନ୍ବିତ ହୁଅନ୍ତି। ପତିମହାପାତ୍ରଙ୍କ ଦ୍ବାରା ସେଠାରେ ପ୍ରସାଦଲାଗି, ବନ୍ଦାପନା, ଚାମର ଆଲଟଲାଗି, ଘସଷାବିଡିଆ ଓ ଦହିପଟି ମଣୋହି କରାଯାଏ। ଆଡ଼ପମଣ୍ଡପରେ ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ ପୂଜା ବସିଥିବା ବେଳେ ମହାଲକ୍ଷ୍ମୀ ଜଗମୋହନକୁ ବିଜେ କରନ୍ତି। ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଅଣାଯାଇ ମା’ଙ୍କୁ ପ୍ରଦାନ କରାଯାଏ। ଦଶମୀ ତିଥିରେ ଶ୍ରୀମନ୍ଦିରକୁ ଫେରିବାକୁ ପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଶ୍ରୁତି ଦେବାପରେ ଲକ୍ଷ୍ମୀଠାକୁରାଣୀ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ନନ୍ଦିଘୋଷ ରଥର ଚକଟିଏ ଭାଙ୍ଗିବା ପରମ୍ପରା ରହିଛି।
ନବଦିନବ୍ୟାପୀ ଘୋଷଯାତ୍ରାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଏହା ଆଉ ଏକ ମାନବୀୟ ଲୀଳା। ପତ୍ନୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ପ୍ରଭୁ ରଥ ଦକ୍ଷିଣମୋଡ ପାଇଁ ନିର୍ଦେଶ ଦିଅନ୍ତି। ପ୍ରଭୁଙ୍କ ଫେରିବା ପାଇଁ ରଥ ଓ ପଥ ପ୍ରସ୍ତୁତ କରାଯାଏ।

 

ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ, ସମୁଦ୍ରରେ ବୁଡ଼

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁମାନେ ମହୋଦଧି କୂଳରେ ଭିଡ଼ ଲାଗାଇଛନ୍ତି । ରଥଯାତ୍ରା ଆରମ୍ଭରୁ ଲଘୁଚାପ ବର୍ଷା ଯୋଗୁଁ ଅଶାନ୍ତ ସମୁଦ୍ର ଭିତରକୁ ପର୍ଯ୍ୟଟକ ଯିବାକୁ ଡରୁଥିଲେ। ମଙ୍ଗଳବାର ପାଗ ଟିକିଏ ଭଲ ଥିବାରୁ ଗତ ଦୁଇ ଦିନ ଅପେକ୍ଷା ଅଧିକ ଲୋକ ସମୁଦ୍ର ବେଳାଭୂମିରେ ଭିଡ଼ ଜମାଇଛନ୍ତି। ଆଜି ସଂକ୍ରାନ୍ତି ଥିବାରୁ ଉତ୍ତାଳ ଜୁଆର କୂଳକୁ ମାଡ଼ିଆସୁଛି । ଶ୍ରଦ୍ଧାଳୁ ପୁରୀକୁ ଆସିଥିବାରୁ ବଡ଼ ଦେଉଳ ଓ ସମୁଦ୍ର କୂଳ ସେମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ। ସେହିଭଳି ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ କରି ଆଡ଼ପ ମଣ୍ଡପେ ଚତୁର୍ଦ୍ଧା ମୂର୍ତ୍ତିକୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶ୍ରୀକ୍ଷେତ୍ର ଧାମରେ ୯ଦିନ ଧରି ମଧ୍ୟ ଭକ୍ତମାନେ ବ୍ରତ କରିଥାନ୍ତି। ବତିଘରଠାରୁ ବଳିଆ ପଣ୍ଡା ପର୍ଯ୍ୟନ୍ତ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି ।

Leave A Reply