ମୋଦୀଙ୍କ ରାଲି ପାଇଁ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୩୫ ଛାତ୍ରଛାତୀ ଆହତ

0

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କଙ୍ଗଡ ଜିଲାର ଲଙ୍ଗ ନିକଟରେ ଏକ ବସ ଓଲଟି ପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବାଗତ ପାଇଁ ଏକଲବ୍ୟ କମ୍ପୁଟର ସେଣ୍ଟର ଛାତ୍ରଛାତ୍ରୀମାନେ ଏହି ବସରେ ଧର୍ମଶାଳ ଯାଉଥିଲେ । ରାସ୍ତାରେ ଲଙ୍ଗ ନିକଟରେ ବସଟି ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପ୍ରାୟ ୩୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ନିକଟରେ କୌଣସି ମେଡିକାଲ ନଥିବା କାରଣରୁ ଘଟଣାସ୍ଥଳରେ ଆହତଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା ଓ ପରେ ସେମାନଙ୍କୁ ଲଙ୍ଗ ସିଏଚସୀ କୁ ସ୍ଥାନାନ୍ତର କରାଯାଇଛି । ଆହତ ଛାତ୍ରଛାତ୍ରୀଙ୍କ ବୟସ ୨୦ରୁ ୨୪ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

ସୂଚନାଯୋଗ୍ୟ, ଗୁରୁବାର ସାଢେ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧର୍ମଶାଳରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଥିଲା । ସେଠାରେ ଦଳୀୟ କର୍ମୀ ଏବଂ ସରକାରୀ କର୍ମୀଙ୍କ ସମେତ ୫୦ଜଣ ପ୍ରମୁଖ ବ୍ୟକ୍ତିଗଣ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ କରିବାର ଯୋଜନା ଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଏକଲବ୍ୟ କମ୍ପୁଟର ସେଣ୍ଟର ଛାତ୍ରଛାତ୍ରୀମାନେ ଆସୁଥିବା ବେଳେ ଦୁର୍ଘଟଣାରେ ସମ୍ମୁଖୀନ ହୋଇଛନ୍ତି ।

Leave A Reply