ସଡ଼କ ଦୁର୍ଘଟଣାରେ ବାଇକ ଅରୋହୀ ମୃତ, ୨ ଗୁରୁତର

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଖନପୁର ଥାନା ଅନ୍ତର୍ଗତ ଭଉଁରଖୋଲର ଡୁଡୁକା ଛକ ନିକଟସ୍ଥ ଜାତୀୟ ରାଜପଥ ୪୯ରେ ସୋମବାର ସନ୍ଧ୍ୟାରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଅରୋହୀଙ୍କ ଶୋଚନୀୟ ମୃତ ଘଟିଥିବା ବେଳେ ଆଉ ଦୁଇ ଜଣ ସାଇକଲ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ମହୁଲପାଲି ବାଙ୍କେ ଗ୍ରାମର ଫଗୁ ବାଗଙ୍କ ପୁଅ ପର୍ଶୁରାମ ବାଗ (୪୮)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଉଭୟ ସାଇକଲ ଆରୋହୀ ପତ୍ରାପାଲି ଗ୍ରାମର ମଧୁସୁଦନ ମୁଣ୍ଡାଙ୍କ ପୁଅ ଖଗେଶ୍ୱର ମୁଣ୍ଡା (୨୧) ଓ ବାଂଜିପଡ଼ାର ଲକ୍ଷ୍ମୀଧର ମୁଣ୍ଡାଙ୍କ ପୁଅ ସୁଜିତ ମୁଣ୍ଡା (୨୨) ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଭଉଁରଖୋଲର ଡୁଡୁକା ଛକ ନିକଟରେ ଏକ ମାର୍କେଟ କମ୍ପେ୍ଲକ୍ସର ନିର୍ମାଣ କାର୍ୟ୍ୟ ଜାରି ରହିଛି । ସେଠାରେ ଠିକା ଶ୍ରମିକ ଭାବରେ ପତ୍ରାପାଲିର ଖଗେଶ୍ୱର ଓ ବାଂଜିପଡ଼ାର ସୁଜିତ କାର୍ୟ୍ୟ କରୁଥିବା ବେଳେ ସୋମବାର ସନ୍ଧ୍ୟାରେ କାର୍ୟ୍ୟ ସମାପ୍ତ କରି ନିଜ ଘରକୁ ଫେରୁଥିଲେ । ସନ୍ଧ୍ୟା ପ୍ରାୟ ୭ଟାରେ ଅନ୍ୟପଟରୁ ଏକ ବାଇକ (ଓଡ଼ି ୧୫ଡି ୫୭୬୯) ଯୋଗେ ଅସୁଥିବା ମହୁଲପାଲି ବାଙ୍କେ ଗ୍ରାମର ପର୍ଶୁରାମଙ୍କ ସହିତ ଉଭୟ ବାଇକ ଓ ସାଇକଲ ମଧ୍ୟରେ ଭଉଁରଖୋଲର ଡୁଡୁକା ଛକ ନିକଟସ୍ଥ ଜାତୀୟ ରାଜପଥ ୪୯ରେ ପ୍ରଥମେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହୀ ପର୍ଶୁରାମଙ୍କ ସମେତ ସାଇକଲ ଆରୋହୀ ଖଗେଶ୍ୱର ଓ ସୁଜିତ ଗୁରୁତର ଆହତ ହୋଇଥିଲେ । ଘଟଣା ସ୍ଥଳରେ ଆଉ କେହିଁ ନଥିବାରୁ ଆହତ ଦୁଇ ସାଇକଲ ଆରୋହୀ ଏବଂ ବାଇକ ଆରୋହୀ ପରଷ୍ପରକୁ ରାସ୍ତାରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଏକ ଅଜଣା କାର ଦ୍ରୁତ ଗତିରେ ଆସି ବାଇକ ଆରୋହୀ ପର୍ଶୁରାମ ବାଗଙ୍କୁ ଧକ୍କା ଦେଇ କୁଆଡ଼େ ଫେରାର ହୋଇଯାଇଥିଲା । ଫଳରେ ଏହି ଦ୍ୱିତୀୟ ଦୁର୍ଘଟଣାରେ ବାଇକ ଆରୋହୀ ପର୍ଶୁରାମ ବାଗଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଏନେଇ ଖବର ପାଇଁ ଲଖନପୁର ଥାନାଧିକାରୀ ବୈକୁଣ୍ଠ ବିହାରୀ ସେଠ ଘଟଣା ସ୍ଥଳକୁ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାର୍ୟ୍ୟରେ ଆହତ ଦୁଇ ଜଣ ସାଇକଲ ଆରୋହୀ ଯୁବକଙ୍କୁ ଉଦ୍ଧାର କରି ତୁରନ୍ତ ବେଲପାହାଡ଼ ସ୍ଥିତ ଟିଆରଏଲ କ୍ରୋସାକି ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ପ୍ରକାଶ । ଏନେଇ ସାଧାରଣରେ ତୀବ୍ର ଉତେଜନା ପ୍ରକାଶ ପାଇଥିବା ବେଳେ ଲଖନପୁର ପୁଲିସ ଉତ୍ୟକ୍ତ ସ୍ଥାନୀୟ ବାସୀନ୍ଦାକୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି । ଏଥି ସହିତ ପୁଲିସ ଆସନ୍ତା କାଲି ମୃତ ପର୍ଶୁରାମଙ୍କ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିବ ବୋଲି ଜଣାପଡ଼ିଛି ।

Comments are closed.