ଗୋଡଭଙ୍ଗା ଘାଟିରେ ଓଲଟି ପଡିଲା ପରିବା ବୋଝେଇ ମିନି ଟ୍ରକ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଗୋଡ଼ଭଙ୍ଗା ଘାଟି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଠାକୁରମୁଣ୍ଡା ଅଞ୍ଚଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ପରିବା ବୋଝେଇ ମିନି ଟ୍ରକ ଗୋଡ଼ଭଙ୍ଗା ଘାଟି ନିକଟରେ ମଙ୍ଗଳବାର ଭୋରରୁ ଭାରସ୍ୟାମ ହରାଇ ଏକ ଗଛରେ ପିଟି ହୋଇଛି। ଫଳରେ ଗାଡି ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ପରିବା ନେଇ ଯାଉଥିବା ବେପାରୀ ନିର୍ମଳ ପଲେଇ ନାମକ ଯୁବକ ଗାଡ଼ିରେ ଚାପି ହୋଇ ରହିଯାଇଥିଲେ। ଗ୍ରାମର କିଛି ଯୁବକ ବହୁ ଚେଷ୍ଟା କରି ମଧ୍ୟ ବିଫଳ ହେବା ପରେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସାହାଯ୍ୟରେ ବେପାରୀଙ୍କୁ ଗାଡିରୁ ଉଦ୍ଧାର କରି ଉଭୟଙ୍କୁ ଠାକୁରମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଗୁରୁତର ଥିବା ପରିବା ବେପାରୀଙ୍କ ଗୋଡରେ ଗଭୀର ଆଘାତ ଲାଗି ହାଡ ଭାଙ୍ଗି ଯାଇଥିବାରୁ ତାକୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଘଟଣାସ୍ଥଳକୁ ମହୁଲଡିହା ଥାନା ପୁଲିସ ପହଞ୍ଚି ତଦନ୍ତ କରିବା ସହିତ ପିକଅପ ଭ୍ୟାନକୁ ଜବତ କରିଛି।

Comments are closed.