ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

କଲମପୁର: କଳାହାଣ୍ଡି ଜିଲା କୋକସରା ୨୬ ନମ୍ବର ଜାତୀୟ ରାଜପଥରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କୋକସରା ଗାଁର ପିଙ୍କୁ ପଟ୍ଟନାୟକ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ପାଣ୍ଡରିପଖାନ ଗାଁର ଆଇଆରବି ଯବାନ କ୍ଷୀରସିନ୍ଧୁ ଧରୁଆ ଓ ଅନ୍ୟ ଜଣେ ହେଲେ କୋକସରା ବ୍ଲକ ଅନ୍ତର୍ଗତ ପାଣି ଗାଁର ହୋମଗାର୍ଡ଼ ପୂର୍ଣ୍ଣ ନାଏକ। ପୂର୍ଣ୍ଣ ମୋଟେରୁ ଫାଣ୍ଡିରେ ହୋମଗାର୍ଡ଼ ଭାବେ କାର୍ଯ୍ୟ କରୁଥିଲେ। ବିଳମ୍ବିତ ରାତିରେ ଏକ ବାଇକରେ ଉକ୍ତ ୩ ଜଣ ଯାଉଥିବା ସମୟରେ କୋକସରା ଠାରେ ବସକୁ ଅତିକ୍ରମ କରି ଏକ କାନ୍ଥରେ ବାଇକଟି ପିଟି ହୋଇଥିଲା। ଫଳରେ ଏଭଳି ଅଘଟଣ ଘଟିଛି। ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ସହ ଲୋକେ ରାସ୍ତା ଅବରୋଧ କରିଥିଲେ। କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, କ୍ଷୀରସିନ୍ଧୁ ଓ ପିଙ୍କୁ ଏକ ବାଇକରେ ଯାଉଥିବା ସମୟରେ ହୋମଗାର୍ଡ଼ ପୂର୍ଣ୍ଣ ବସରେ ଯିବା ପାଇଁ ରାସ୍ତାରେ ଠିଆ ହୋଇ ବସଟିକୁ ଅଟକାଇବାକୁ ହାତ ଦେଖାଇଥିଲେ। ମାତ୍ର ବସଟି ଅଟକି ନଥିଲା। ସେହି ସମୟରେ କ୍ଷୀରସିନ୍ଧୁ ଓ ପିଙ୍କୁ ବାଇକରେ ଯାଉଥିଲେ ଓ ପୂର୍ଣ୍ଣଙ୍କୁ ବସ ନିକଟରେ ପହଞ୍ଚାଇବା ପାଇଁ ଲିଫ୍ଟ ଦେଇଥିଲେ। ୩ ଜଣ ଗୋଟିଏ ବାଇକରେ ବସ ନିକଟକୁ ଯାଉଥିବା ସମୟରେ ଓଭରଟେକ କରିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆଇଆରବି ଯବାନ କ୍ଷୀରସିନ୍ଧୁ ଧରୁଆ ନୂଆଁଖାଇ ପାଳିବାକୁ ଛୁଟିରେ କୋରାପୁଟରୁ ଗାଁକୁ ଆସିଥିଲେ।

Comments are closed.