ସଡକ  ଦୁର୍ଘଟଣାରେ ଦୁଇ ଗୁରୁତର

0

ପିପିଲି :ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଉଳା ନିକଟ ପମସରା ଛକ ଠାରେ ବୁଧବାର ଅପରାହ୍ନରେ ଏକ ବାଇକ ଧକ୍କାରେ ଦୁଇଜଣ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।ଦୁଇ ଜଣଙ୍କର ଅବସ୍ଥା ଅଧିକ ଗୁରୁତର ହେବାରୁ ପରେ ସେଠାରୁ  ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଏହାକୁ କେନ୍ଦ୍ର କରି ଦୁର୍ଘଟଣା ସ୍ଥଳରେ ପ୍ରାୟ ୨୦ମିନିଟ୍‍ ପାଇଁ ରାସ୍ତା ଅବରୋଧ କରାଯାଇଥିଲା।

ପମସରା ଗ୍ରାମର ଛେନା ବ୍ୟବସାୟୀ ଉପେନ୍ଦ୍ର ବେହେରା ଭୁବନେଶ୍ୱର ଯିବା ପାଇଁ ପମସରା ଛକ ନିକଟରେ ଗାଡିକୁ ଅପେକ୍ଷା କରି ଜାତୀୟ ରାଜପଥ କଡରେ ଛିଡା ହୋଇଥିଲେ। ପିପିଲିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ବାଇକ ହଠାତ ଭାରସାମ୍ୟ ହରାଇ ଉପେନ୍ଦ୍ରଙ୍କୁ ଖୁବ୍‍ ଜୋର୍‍ରେ ଧକ୍କା ଦେଇଥିଲା। ଫଳରେ ଉପେନ୍ଦ୍ର ଛିଟିକି ପଡିଥିବା ବେଳେ ତାଙ୍କ ଡାହାଣ ଗୋଡ ଭାଙ୍ଗିଯିବା ସହ ମୁଣ୍ଡରେ ଆଘାତ ଲାଗିଥିଲା। ତେବେ ବାଇକ ଚାଳକ ଯୁବକ ଜଣକ ଗାଡିରୁ ଛିଟିକି ଯାଇ ରାସ୍ତା ଉପରେ ପଡିବା ଫଳରେ ରାସ୍ତାରେ ତାଙ୍କ ମୁଣ୍ଡ ଖୁବ୍‍ ଜୋରରେ ମାଡ ହୋଇଥିଲା। ଏଥିରେ ତାଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲକୁ ପଠାଯାଇଥିଲା। ବାଇକ ଚାଳକଙ୍କ ଅବସ୍ଥା ସଂକଟାପନ୍ନ ଥିବା ଓ ସେ ବେହୋସ ଅବସ୍ଥାରେ ଥିବା ବେଳେ ଉଭୟଙ୍କୁ ପରେ ସେଠାରୁ କଟକ ବଡ ଡାକ୍ତରଖାନାକୁ ରେଫର କରାଯାଇଥିଲା। ତେବେ ଉଭୟଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ସେଠାରେ ପ୍ରାୟ ୨୦ମିନିଟ୍‍ ପାଇଁ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପିପିଲି ଆଇଆଇସି ଶରତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। ଗୁରୁତର ବାଇକ ଚାଳକଙ୍କ ଘର ପୁବାଶାସନ ପଞ୍ଚାୟତରେ ହୋଇଥିବା ସୂଚନା ମିଳିଛି।

Leave A Reply