www.samajalive.in
Monday, December 15, 2025
24.1 C
Bhubaneswar

ଦୁଇ ଓଡ଼ିଆଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର

ଭୁବନେଶ୍ୱର : ପୁଣିଥରେ ଦୁଇ ଓଡ଼ିଆ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ବିଶିଷ୍ଟ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ଓ ଯୁବ ସ୍ରଷ୍ଟା ଜୟଦ୍ରଥ ସୁନା ପାଇବେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର-୨୦୧୮। ଗୌହାଟୀଠାରେ ଅନୁଷ୍ଠିତ ଅକାଦେମିର ସାଧାରଣ ପରିଷଦ ବୈଠକରେ ଏହି ଘୋଷଣା କରାଯାଇଛି। ଶ୍ରୀ ମହାନ୍ତି ଶିଶୁ କବିତା ସଂକଳନ ‘ରୁମ୍‌କୁ ଝୁମା’ ପାଇଁ ଓ ଶ୍ରୀ ସୁନା କବିତା ସଂକଳନ ‘ଶୋଷ’ ପାଇଁ ଅକାଦେମି ପୁରସ୍କାର ପାଇବେ।
ପୁରୀରେ ଅବସ୍ଥାପିତ ଶ୍ରୀ ମହାନ୍ତି ଶିଶୁ ସାହିତ୍ୟ କ୍ଷେତ୍ରରେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ୨୫ରୁ ଅଧିକ ପୁସ୍ତକର ରଚୟିତା ତଥା ଅନୁବାଦ ପୁସ୍ତକ ପାଇଁ ପ୍ରଶଂସିତ ଶ୍ରୀ ମହାନ୍ତି ଗୁରୁ କେଳୁଚରଣ ମହାପାତ୍ରଙ୍କ ଜୀବନୀ ପୁସ୍ତକକୁ ବଙ୍ଗଳାରେ ରଚନା କରି ପୁରସ୍କୃତ ଓ ପ୍ରଶଂସିତ ହୋଇଛନ୍ତି। ପୂର୍ବରୁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଜାତୀୟ ସାକ୍ଷରତା ମିଶନ ପୁରସ୍କାର, ଜାତୀୟ ବାଲ୍‌ କଲ୍ୟାଣ ପୁରସ୍କାର ପ୍ରଭୃତି ପ୍ରାପ୍ତ ହୋଇଛନ୍ତି। ଜଗତର ନାଥଙ୍କ ଆଶୀର୍ବାଦରୁ ଏହି ସଫଳତା ମିଳିପାରିଥିବା ଶ୍ରୀ ମହାନ୍ତି ପ୍ରତିକ୍ରିୟାରେ କହିଛନ୍ତି।
ସେହିପରି କଳାହାଣ୍ଡିର ଯୁବକବି ଶ୍ରୀ ସୁନା ନିଜସ୍ୱ ସୃଷ୍ଟି ପାଇଁ ପାଠକ ମହଲରେ ବେଶ୍‌ ପରିଚିତ। ବିଭିନ୍ନ ପତ୍ରପତ୍ରିକାରେ ତାଙ୍କ କବିତା ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି। ‘ଶୋଷ’ ତାଙ୍କର ପ୍ରଥମ କବିତା ସଂକଳନ ହୋଇଥିବାବେଳେ ଏହା କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇଁ ମନୋନୀତ ହେବା ଉଲ୍ଲେଖନୀୟ। ସେ ପ୍ରତିକ୍ରିୟାରେ କହିଛନ୍ତି, ସମାଜର ଶୋଷିତ, ଅବହେଳିତ ବର୍ଗଙ୍କ ପାଇଁ ମୋ କବିତା ସମର୍ପିତ। ଏହି ପୁରସ୍କାର ମୋ ରଚନାକୁ ଆହୁରି ସମୃଦ୍ଧ କରିବ।
ଅକାଦେମି ପକ୍ଷରୁ ଶିଶୁ ସାହିତ୍ୟ ପୁରସ୍କାର ଆଗାମୀ ଶିଶୁ ଦିବସ ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ। ତେବେ ଯୁବ ସାହିତ୍ୟ ପୁରସ୍କାର କେବେ ପ୍ରଦାନ କରାଯିବ ସେନେଇ ଘୋଷଣା ହୋଇନାହିଁ। ଅକାଦେମିର ସଭାପତି ଡ. ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମନୋନୀତ ପ୍ରତିଭାଧରଙ୍କୁ ୫୦ ହଜାର ଟଙ୍କାର ଚେକ୍‌ ଓ ଉପଢୌକନ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଦୁଇ ପ୍ରତିଭାଧରଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସଭାପତି କବି ହରିହର ମିଶ୍ର ଓ ସଚିବ ଡ. ଜୟନ୍ତୀ ରଥ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories