ଆବୁଧାବି ଗ୍ରାଁ ପ୍ରିରେ ହାମିଲ୍‌ଟନ ଚମ୍ପିଆନ

ଆବୁଧାବି : ବ୍ରିଟିଶ୍‌ ଡ୍ରାଇଭର ଲୁଇସ୍ ହାମିଲ୍‌ଟନ ରବିବାର ଅନୁଷ୍ଠିତ ଆବୁଧାବି ଗ୍ରାଁ ପ୍ରି ରେସ୍‌ ଜିତିଛନ୍ତି। ଚଳିତ ସିଜିନ୍‌ରେ ଏହା ୨୧ତମ ତଥା ଅନ୍ତିମ ଗ୍ରାଁ ପ୍ରି ରେସ୍ ଥିବା ବେଳେ ମର୍ସିଡିଜ୍‌ର ଡ୍ରାଇଭର ହାମିଲ୍‌ଟନ ୧୧ଶ ରେସ୍ ଜିତିଛନ୍ତି। ଏହି ରେସ୍ ପୂର୍ବରୁ ଚମ୍ପିଆନ୍ ହେବା ନିଶ୍ଚିତ କରିଥିବା ହାମିଲ୍‌ଟନ ଜୀବନର ୮୪ତମ ଗ୍ରାଁ ପ୍ରି ରେସ୍ ବିଜୟ ହାସଲ କରିଛନ୍ତି। ୩୪ ବର୍ଷ ବୟସ୍କ ହାମିଲ୍‌ଟନ ସର୍ବାଧିକ ୪୧୩ ପଏଣ୍ଟ ସହ ଚମ୍ପିଆନ୍ ହୋଇଛନ୍ତି। ୩୨୬ ପଏଣ୍ଟ ସହ ମର୍ସିଡିଜ୍‌ର ଡ୍ରାଇଭର ଭାଲ୍‌ତେରି ବୋତାସ୍ ୨ୟ ଓ ୨୭୮ ପଏଣ୍ଟ ସହ ରେଡ୍‌ ବୁଲ୍‌ ଦଳର ମ୍ୟାକ୍ସ ଭର୍ଷ୍ଟାପେନ୍ ୩ୟ ସ୍ଥାନରେ ରହିଛନ୍ତି। ରବିବାର ଆବୁଧାବି ଗ୍ରାଁ ପ୍ରି ରେସ୍‌ରେ ଭାଲ୍‌ତେରି ବୋତାସ୍ ୨ୟ ଓ ମ୍ୟାକ୍ସ ଭର୍ଷ୍ଟାପେନ୍ ୩ୟ ସ୍ଥାନ ହାସଲ କରିଛନ୍ତି। ରେକର୍ଡ ୮୮ତମ ପୋଲ୍ ପୋଜିସନ୍‌ରୁ ରେସ୍ ଆରମ୍ଭ କରିଥିବା ହାମିଲ୍‌ଟନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଗରେ ରହିଛନ୍ତି। ଚଳିତବର୍ଷକୁ ମିଶାଇ କ୍ରମାଗତ ୩ ବର୍ଷ ଏହି ରେସ୍ ଜିତି ହାଟ୍ରିକ୍ ହାସଲ କରିଥିବା​ ବେଳେ ମୋଟ ୬ଷ୍ଠ ବିଶ୍ବ ଫର୍ମୁଲା ୱାନ୍ ଚମ୍ପିଆନ୍‌ସିପ୍ ଟାଇଟଲ ଜିତିଛନ୍ତି।

Comments are closed.