ମୁକ୍ତ ହେଲେ ଅଭିଜିତ୍‌ ଆୟର ମିତ୍ର

0

କଟକ/ଭୁବନେଶ୍ୱର . –  ଓଡ଼ିଶାର କଳା ଓ ସଂସ୍କୃତି ପ୍ରତି ଅରୁଚି କର ମନ୍ତବ୍ୟ ଦେଇ ଜେଲ୍‌ରେ ଥିବା ଅଭିଜିତ୍‌ ଆୟର ମିତ୍ର ମୁକ୍ତ ହୋଇଛନ୍ତି । ମଙ୍ଗଳବାରରେ ରାଜ୍ୟ ସରକାର ତାଙ୍କ ବିରୋଧରେ ଥିବା ମାମଲାକୁ ପ୍ରତ୍ୟାହାର କରିନେବେ ବୋଲି ସୂଚନା ଦେଇଥିଲେ । ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବାପରେ  ସହ ଆବଶ୍ୟକ ସର୍ତ୍ତ ରଖି ଜାମିନ ପ୍ରଦାନ କରିବାକୁ ନିମ୍ନ ଅଦାଲତକୁ ନିର୍ଦେଶ ଦେଇଥିଲେ । ଏହି କ୍ରମରେ କୋଣାର୍କ ଜେଏମ୍ଏଫସି କୋର୍ଟ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଓ ଭବିଷ୍ୟତରେ ଓଡ଼ିଶା ପ୍ରତି ଆଉ ଅରୁଚିକର ମନ୍ତବ୍ୟ ନଦେବାକୁ ସର୍ତ୍ତ ରଖି ଅଭିଜିତଙ୍କୁ ଜାମିନ ଦେଇଥିଲେ ।  ପୂର୍ବରୁ ଜେଲରେ ଥିବା ଅଭିଜିତ୍ ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା । ସେଠାରୁ ତାଙ୍କୁ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ମୁକୁଳିବା ପରେ ସେ ନିଜ ମାଆଙ୍କୁ ଭେଟିବା ପାଇଁ ବିମାନରେ ଚେନ୍ନାଇ ଯାଇଛନ୍ତି ।

ସୂଚନାଯୋଗ୍ୟ ଯେ ଅଭିଜିତ୍‍ଙ୍କ କୋଣାର୍କ ମନ୍ଦିର ବିରୋଧୀ ଅଶ୍ଲୀଳ ମନ୍ତବ୍ୟ ନେଇ ଓଡିଶାରେ ପ୍ରତିବାଦର ସ୍ୱର ଉଠିଥିଲା। ଏହାକୁ ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧୀ ମନ୍ତବ୍ୟ ବୋଲି କୁହାଯାଇ ମାମଲା ରୁଜୁ କରାଯାଇଥିଲା। ଅଭିଜିତ ଆୟାର ମିତ୍ର ଓଡ଼ିଶାର ସଂସ୍କୃତି, ଐତିହ୍ୟ ସର୍ବୋପରି ଓଡ଼ିଆମାନଙ୍କର ଭାବାବେଗ ସହିତ ଜଡ଼ିତ ଶ୍ରୀଜଗନ୍ନାଥଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ସମଗ୍ର ଓଡ଼ିଶାରେ ଦଳମତ ନିର୍ବିଶେଷରେ ପ୍ରତ୍ରିକ୍ରିୟା ପ୍ରକାଶ ପାଇଥିଲା । ଘଟଣାର ତଦନ୍ତ କରିବା ପାଇଁ  ବିଧାନସଭାରେ ଗୃହ କମିଟି ଗଠନ ପାଇଁ ବାଚସ୍ପତି ନିର୍ଦେଶ ଦେଇଥିଲେ । କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କର ଦୁଇ ବନ୍ଧୁ ଅଭିଜିତ ଆୟାର ମିତ୍ର ଓ ଆରତୀ ଟିକୁ ସିଂହଙ୍କୁ ନେଇ ହେଲିକପ୍ଟରରେ ଚିଲିକା, ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ଭ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ବିବାଦ ଥମି ନ ଥିବା ବେଳେ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରର କଳା ଓ ଭାସ୍କର୍ଯ୍ୟକୁ ନେଇ ଅଭିଜିତଙ୍କ ଅରୁଚିକର ମନ୍ତବ୍ୟ ବିବାଦକୁ ଆହୁରି ତାଜା କରିଥିଲା।

କୋଣାର୍କ ମନ୍ଦିର ସାମ୍ନାରେ ଏକ ଭିଡିଓ ପୋଜ୍‍ ଦେଇ ଅଭିଜିତ କହିଥିଲେ ଯେ ‘କୋଣାର୍କ ମନ୍ଦିରରେ କଳା ଭାସ୍କର୍ଯ୍ୟ ନାମରେ ଯେଉଁ କାରୁକାର୍ଯ୍ୟ ହୋଇଛି ତାହା ଅଶ୍ଲୀଳ ଓ ମହିଳାଙ୍କ ପ୍ରତି ଅପମାନ। ଏହା କିଭଳି ଏକ ପବିତ୍ର ସ୍ଥାନ ହୋଇପାରେ? ହିନ୍ଦୁ ଓ ଓଡ଼ିଆମାନଙ୍କୁ ଅପମାନିତ କରିବା ପାଇଁ ମୁସଲମାନଙ୍କ ଏହା ଏକ ଷଡ଼ଯନ୍ତ୍ର। ଆମ ରାମମନ୍ଦିର ନିର୍ମାଣରେ ଏଭଳି କଳାଭାସ୍କର୍ଯ୍ୟ ରଖାଯିବ ନାହିଁ।’ ଏହାର କିଛି ଘଣ୍ଟା ପରେ ପୁଣି ଟ୍ୱିଟ୍‍ କରି ଅଭିଜିତ ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ, ଅପାମନସୂଚକ ଓ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଥିଲେ। ଟ୍ୱିଟରେ ଅଭିଜିତ ଉଲ୍ଳେଖ କରିଛନ୍ତି ଯେ ‘ଜଗନ୍ନାଥ ପ୍ରକୃତରେ କଲକାତାର ଠାକୁର। କଳିଙ୍ଗ ରାଜା ସେଠାରୁ ଜଗନ୍ନାଥଙ୍କୁ ଚୋରି କରି ନେଇଛନ୍ତି। ଓଡ଼ିଶାର କୌଣସି ସ୍ୱତନ୍ତ୍ରତା ନାହିଁ। ଓଡ଼ିଶାର ପ୍ରକୃତ ନାମ ହେଉଛି ଓରିଶଳା। ଏହି ଅଞ୍ଚଳ ଅବିଭକ୍ତ ପଶ୍ଚିମବଙ୍ଗର ଦକ୍ଷିଣ ପ୍ରଗଣାର ଏକ ଅଂଶ।’

ଅଭିଜିତ୍‍ଙ୍କ କୋଣାର୍କ ମନ୍ଦିର ବିରୋଧୀ ଅଶ୍ଲୀଳ ମନ୍ତବ୍ୟକୁ ନେଇ ଉଠିଥିବା ପ୍ରତିବାଦର ସ୍ୱର ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧୀ ମନ୍ତବ୍ୟ ପରେ ଆହୁରି ତୀବ୍ର ହୋଇଥିଲା। ଓଡ଼ିଆଙ୍କ ଭାବବେଗ ସହିତ ଜଣେ ଅଣଓଡ଼ିଆର ମନ୍ତବ୍ୟ ଦେବାର କୌଣସି ଅଧିକାର ନାହିଁ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ସାଧାରଣ ଜନତାଙ୍କ ଭିତରୁ ସୃଷ୍ଟି ହୋଇଥିବା ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟାର ସ୍ୱର ରାଜ୍ୟ ବିଧାନସଭାରେ ପ୍ରତିଫଳିତ ହୋଇଥିଲା। ଏହି ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ ଗୃହ ଭିତରେ ଓ ବାହାରେ ପ୍ରତିକ୍ରିୟା ରଖିଥିଲେ। କିନ୍ତୁ ଓଡ଼ିଶାର ଗୌରବ ଓ ସ୍ୱାଭିମାନ ଦୃଷ୍ଟିରୁ ଯେଭଳି ଢଙ୍ଗରେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପସ୍ଥାପିତ ହେବା କଥା ତାହା ହୋଇପାରୁନାହିଁ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇବା ପରେ ସରକାର ଓ ବିରୋଧୀ ଦଳ ଏ ଦିଗରେ ତତ୍ପରତା ପ୍ରକାଶ କରିଥିଲେ। ଅଭିଜିତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳମତ ନିର୍ବିଶେଷରେ ସଦସ୍ୟମାନେ ଅଡ଼ି ବସିଥିଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ପ୍ରସଙ୍ଗରେ ବିଧାନସଭାରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଥିଲେ। ଏହାକୁ ଆଇନ ମନ୍ତ୍ରୀ ସମର୍ଥନ କରିବା ପରେ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ସରକାରୀ ଦଳର ଅରୁଣ ସାହୁ, ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅଭିଜିତ୍‍ଙ୍କ ମନ୍ତବ୍ୟ ଓଡ଼ିଶାର କଳା, ଭାସ୍କର୍ଯ୍ୟ, ଗୌରବ, ଅସ୍ମିତା ଓ ସ୍ୱାଭିମାନ ପ୍ରତି ଅପମାନ ବୋଲି ସଦସ୍ୟମାନେ କହିଥିଲେ। ବିଧାନସଭାରେ ଆଲୋଚନା ପରେ ଅଭିଜିତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ତଦନ୍ତ ପାଇଁ ଗୃହ କମିଟି ଗଠନ କରାଯାଇଥିଲା। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଶାସକ ଦଳର ଦେବୀ ମିଶ୍ର, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଓ ପ୍ରମିଳା ମଲ୍ଲିକ ପ୍ରମୁଖ ସଦସ୍ୟ ରହିଥିଲେ । ଗୃହ କମିଟି ଆଗରେ ହାଜର ହେବାପାଇଁ ଅଭିଜିତ୍‌ଙ୍କୁ ନୋଟିସ୍  କରାଯାଇଥିଲା । ସେ ଅକ୍ଟୋବର ୧୧ ତାରିଖରେ ହାଜର ହେବାର ଥିଲା । ମାତ୍ର ସେ କୌଣସି କାରଣବଶତଃ ହାଜର ହୋଇ ନ ପାରି ଅକ୍ଟୋବର ୨୩ ତାରିଖରେ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଥିଲେ । ସେ ନିଜ ମନ୍ତବ୍ୟପାଇଁ କ୍ଷମା ପ୍ରାର୍ଥନା କରିଥିଲେ । ସେହିଦିନ ଅଭିଜିତ୍‌ ଆୟାରଙ୍କୁ ସହିଦ ନଗର ପୁଲିସ ଗିରଫ କରିବାପରେ ତାଙ୍କୁ ଭୁବନେଶ୍ୱର ଏସ୍‌ଡିଜିଏମ୍‌  କୋର୍ଟରେ ହାଜର କରାଇଥିଲା । ତାଙ୍କର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା  । ଅଭିଜିତ୍‌ଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କୋଣାର୍କ ଥାନା ଆଇଆଇସି ଓ ନିମାପଡା ଏସ୍‌ଡିପିଓ ଅଦାଲତରେ ଆବେଦନ କରିଥିଲେ  । ସେ ଝାରପଡା ଜେଲ୍‌ରେ ରହିଥିଲେ । ଜେଲ୍‌ ଭିତରେ କିଛିଦିନ ତଳେ ଅଭିଜିତ୍‌ଙ୍କୁ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା । ତାଙ୍କର ଅର୍ଶ ଯୋଗୁଁ ରକ୍ତସ୍ରାବ  ହୋଇଥିଲା । ଜେଲ୍‌ରେ ଚିକିତ୍ସାପରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାରରେ ରାଜ୍ୟ ସରାକାର ମାମଲା ପ୍ରତ୍ୟାହାର କରିବା ପାଇଁ ନିଷ୍ପତି ନେଇଥିଲେ ।ଓଡ଼ିଶା ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଥିଲା । ଗୁରୁବାରରେ ତାଙ୍କୁ କୋଣାର୍କ ଜେଏମ୍‌ଏଫସି ଅଦାଲତରୁ ଜାମିନ ମିଳିବା ପରେ ସେ ଝାରପଡା ଜେଲ୍‌ରୁ ମୁକୁଳିଛନ୍ତି । ତେବେ ତାଙ୍କୁ ଡାକ୍ତରଖାନାରେ ଅର୍ଶପାଇଁ ଚିକିତ୍ସା କରାଯାଉଥିଲା । ଡାକ୍ତରଖାନାରୁ ତାଙ୍କୁ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କ ପରିବାରର ଜିମା ଦେଇଛନ୍ତି । ସେ ନିଜ ମାଆଙ୍କୁ ଭେଟିବା ପାଇଁ ଚେନ୍ନାଇ ଯାଇଛନ୍ତି ।

 

Leave A Reply