ପୁଣି ଜେରା ହେବେ ଆୟର

0

ଭୁବନେଶ୍ୱର: ମଙ୍ଗଳବାର ବିଧାନସଭା ଗୃହ କମିଟିରେ ଅଭିଜିତ ଆୟାର ମିତ୍ର ହାଜର ହୋଇ କ୍ଷମା ପ୍ରାର୍ଥନା କରିଛନ୍ତି । କ୍ଷମା ପ୍ରାର୍ଥନା ପରେ ନିଜର ‘ନିର୍ବୋଧ ପଣିଆ’ ଯୋଗୁଁ ସେ ଏପରି ମନ୍ତବ୍ୟ ଦେଇଥିବା ଅଭିଜିତ କହିଛନ୍ତି । ଆସନ୍ତା ନଭେମ୍ବର ୨ରେ ଗୃହ କମିଟିରେ ପୁଣି ହାଜର ହୋଇ ସତ୍ୟପାଠ ଦାଖଲ କରିବେ ବୋଲି ଅଭିଜିତଙ୍କୁ ନିର୍ଦ୍ଦେଶ ହୋଇଛି । ଗୃହ କମିଟି ବୈଠକ ପରେ ତାଙ୍କୁ ଭୁବନେଶ୍ବର ସହିଦ ନଗର ଥାନାକୁ ନିଆଯାଇଥିବା ଜଣାପଡିଛି । ଏନେଇ ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଓଡିଶାର କଳା ଓ ସଂସ୍କୃତି ସମ୍ପନ୍ନ କୋର୍ଣାକ ମନ୍ଦିର ଉପରେ ଆଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇ ଯାଇଥିଲେ ଅଭିଜିତ୍ । ଏହାକୁ ନେଇ ଭୁବନେଶ୍ୱର ଓ କୋଣାର୍କ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଥିବା ବେଳେ ବିଧାନସଭାରେ ଦୁଇ ଦିନ ଗୃହ କାର୍ଯ୍ୟ ବନ୍ଦ ରହିଥିଲା । ପରେ ଗୃହ କମିଟିରେ ହାଜର ହେବା ପାଇଁ ଅଭିଜିତଙ୍କୁ ନୋଟିସ୍ ହୋଇଥିଲା। ଅକ୍ଟୋବର ୫ରେ କୋଣାର୍କ ଥାନା ଓ ଅକ୍ଟୋବର ୧୧ରେ ଗୃହ କମିଟିରେ ହାଜର ହେବା ପାଇଁ ନୋଟିସ୍ ହୋଇଥିଲେ ମଧ୍ୟ ତିତଲି ବାତ୍ୟା ଯୋଗୁଁ ଅଭିଜିତ୍ ହାଜର ହୋଇନଥିଲେ । ଶେଷରେ ଆଜି ଦିନ ପୂର୍ବାହ୍ନରେ ଅଭିଜିତ୍ କଡା ସୁରକ୍ଷା ମଧ୍ୟରେ ଗୃହ କମିଟିରେ ହାଜର ହୋଇଥିଲେ । ୬ ଜଣିଆ ଗୃହ କମିଟି ସଦସ୍ୟଙ୍କ ଉପସ୍ଥିତିରେ ଅଭିଜିତଙ୍କୁ ପଚାରଉଚରା କରାଯାଇଥିଲା। ଗୃହ କମିଟି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ନିଜର ‘ନିର୍ବୋଧପଣିଆ’ ଯୋଗୁଁ ସେ ଏପରି ମନ୍ତବ୍ୟ ଦେଇଥିବା ସେ ସ୍ବୀକାର କରିଥିଲେ । ଏହା ସହ ଓଡ଼ିଶାର କଳାସଂସ୍କୃତି ଓ ବିଧାୟକମାନଙ୍କ ସଂପର୍କରେ ଦେଇଥିବା ଆଶାଳୀନ ମନ୍ତବ୍ୟ ଲାଗି ସେ ଦୁଃଖପ୍ରକାଶ କରିଥିଲେ । ଭବିଷ୍ୟତରେ ସେ ଏଭଳି ମନ୍ତବ୍ୟରୁ କ୍ଷାନ୍ତ ରହିବେ ବୋଲି ଅଭିଜିତ୍ କହିଛନ୍ତି ।

Leave A Reply