ପଞ୍ଜାବ ଆପ ସଭାପତି ଓ ଉପସଭାପତିଙ୍କ ଇସ୍ତଫା

0

ଚଣ୍ଡିଗଡ଼ : ଆମ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜେରିୱାଲ ପଞ୍ଜାବର ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂହ ମାଜିଥିଆଙ୍କୁ ଲିଖିତ କ୍ଷମା ମାଗିବା ଘଟଣାକୁ ପଞ୍ଜାବ ଆପର ନେତାମାନେ ସହଜରେ ଗ୍ରହଣ କରିପାରିନାହାନ୍ତି । ଏହାକୁ ନେଇ ପଞ୍ଜାବ ଆପରେ ବିଦ୍ରୋହ ଦେଖାଦେଇଛି। କେଜେରିୱାଲଙ୍କ କ୍ଷମା ପ୍ରାର୍ଥାନର ଗୋଟିଏ ଦିନ ପରେ ସାଙ୍ଗରୁର ସାଂସଦ ତଥା ପଞ୍ଜାବ ଆପର ରାଜ୍ୟ ସଭାପତି ଭଗୱନ୍ତ ମାନ ଓ ଉପସଭାପତି ଅମନ ଅରୋରା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ​‌

ଇସ୍ତଫା ଦେବା ପରେ ମାନ ଟ୍ୱିଟ୍‌ କରିଛନ୍ତି ଯେ ମୁଁ ପଞ୍ଜାବ ଆପର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଉଛି । କିନ୍ତୁ ଡ୍ରଗ୍‌ ମାଫିଆ ଏବଂ ଦୁର୍ନୀତି ବିରୋଧରେ ଲଢେଇ ଜାରି ରଖିବି ।

ପ୍ରକାଶ ଯେ ପଞ୍ଜାବ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ କେଜେରିୱାଲ ଓ ଆପ ନେତାମାନେ ପଞ୍ଜାବରେ ଡ୍ରଗ୍ସ କାରବାରକୁ ନେଇ ଶାସକ ଦଳ ଉପରେ ବର୍ଷିଥିଲେ । ଏହି ସମୟରେ କେଜେରିୱାଲ ଶିରୋମଣି ଅକାଳି ଦଳ ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂ ମାଜିଥିଆଙ୍କ ନାମରେ ଡ୍ରଗ୍ସ କାରବାରେ ଲିପ୍ତ ଥିବାର ଅଭିଯୋଗ ଆଣିଥିଲେ ।

ଏଭଳି ଅଭିଯୋଗ ପରେ ମାଜିଥିଆ ଅଦାଲତରେ କେଜେରିୱାଲଙ୍କ ବିରୋଧରେ ଏକ ମାନହାନି ମକଦ୍ଦମା କରିଥିଲେ । ତେବେ ଅଦାଲତରୁ ମାମଲା ପ୍ରତ୍ୟାହାର କରିନେବା ପାଇଁ କେଜେରିୱାଲ ନିସର୍ତ୍ତ ଲିଖିତ ଭାବେ ମାଜିଥିଆଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଏହା ଜଣାପଡିବା ପରେ ପଞ୍ଜାବ ଆପରେ ବିଦ୍ରୋହ ଦେଖାଦେଇଛି । ବିଭିନ୍ନ ମହଲରେ କେଜେରିୱାଲଙ୍କୁ ସମାଲୋଚନା କରାଯାଉଛି । ଆପର ଅସନ୍ତୁଷ୍ଟ ନେତା କୁମାର ବିଶ୍ୱାସ ବି କଟାକ୍ଷ କରିଛନ୍ତି ।

ସେପଟେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ କ୍ଷମା ମାଗି ଆଉ ଏକ ମାନହାନି ମକଦ୍ଦମାକୁ ରଫାଦଫା କରିବା ପାଇଁ କେଜେରିୱାଲ ଚିନ୍ତା କରୁଥିବା ଦିଲ୍ଲୀର ଜଣେ ଆପ ନେତା ସୂଚନା ଦେଇଛନ୍ତି । କେଜେରିୱାଲଙ୍କ କ୍ଷମା ପ୍ରାର୍ଥନା ଋଣନୀତି ଦଳ ପାଇଁ ମହଙ୍ଗା ପଡ଼ିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

Leave A Reply